ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୁଖ୍ୟ ପ୍ରଶାସକ, ସେବାୟତ

ପରିଚାଳନା କମିଟି ନିଷ୍ପତ୍ତି ଜଣାଇଲେ, ସ୍ନାନଯାତ୍ରାକୁ ନିମନ୍ତ୍ରଣ କଲେ

ପୁରୀ : ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ସହ ନୀତି ସଂପୃକ୍ତ ସେବାୟତମାନେ ଆଜି ସଂଧ୍ୟାରେ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି। ସ୍ନାନଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ତାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେବା ସହ ସ୍ନାନଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି।

ଏ ସଂପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଗତ ୩୦ ତାରିଖରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ସହ ଚମ୍ପକ ଦ୍ବାଦଶୀ ନୀତି ଚୂଡ଼ାନ୍ତ ହୋଇଥିଲା। ଏ ସଂପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇଛି। କେଉଁ ପ୍ରକାରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ, ସେ ସଂପର୍କରେ ବିସ୍ତୃତ ଭାବେ କୁହାଯାଇଛି। ବିଶେଷକରି ଚମ୍ପକ ଦ୍ବାଦଶୀ ନୀତିରେ ମହାପ୍ରଭୁ ବାହାରକୁ ଆସନ୍ତି। ମହାପ୍ରଭୁ ବାହାରକୁ ଆସିବେ କି ନାହିଁ ସେ ନେଇ ଆଲୋଚନା ବେଳେ ଚୂଡାନ୍ତି ନିଷ୍ପତ୍ତି ହୋଇନାହିଁ। ଏ ନେଇ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ଏହି ନୀତିକାନ୍ତି ପାଇଁ ସଂପୃକ୍ତ ସେବକଙ୍କ ସହ ଆଲୋଚନା ‌ପାଇଁ ବୈଠକ ଡକାଯିବ। ଯଥାସମ୍ଭବ ସୀମିତ ସେବକରେ ଚମ୍ପକ ଦ୍ବାଦଶୀ ଅନୁଷ୍ଠିତ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ସ୍ନାନଯାତ୍ରା ପୂର୍ବରୁ ଦଇତା ପ୍ରବେଶ ଥିବାରୁ କେତେ ସଂଖ୍ୟକ ଦଇତାପତି ଯିବେ ଓ ନୀତିକାନ୍ତି କରିବେ, ସେ ଉପରେ ମଧ୍ୟ ଆଲୋଚନା ହୋଇଛି। ଆଲୋଚନା ବେଳେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗର ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର