ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ଫଟୋ, ଶ୍ରୀମନ୍ଦିର ପ୍ରଶାସନ ଦେଲା ଏତଲା

ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ପୂର୍ବରୁ ଫେସ୍‌ବୁକରେ ମନ୍ଦିର ଭିତର ବେଢ଼ା ଫଟୋ ବା ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଏଥର ଟିକଟକରେ ଭିଡିଓ ଭାଇରାଲ୍ ହୋଇଛି। ଜନୈକା ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓକୁ ଭାଇରାଲ୍ କରିଛନ୍ତି। ଏହାକୁ କେନ୍ଦ୍ର କରି ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଜନୈକ ଆଇନଜୀବୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ସଂପୃକ୍ତ ଯୁବତୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେବଳ ଯୁବତୀ ନୁହଁନ୍ତି, ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କ ବିରୋଧ ଉଦାହରଣମୂଳକ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ମାମଲି ମହାପାତ୍ର ନାମକ ଜଣେ ଯୁବତୀ ଟିକଟକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ ହୋଇଛି। ଆନନ୍ଦବଜାର ଓ ଭିତର ବେଢ଼ାର ବିଭିନ୍ନ କୋଣରୁ ଏହି ସୁଟିଂ କରାଯାଇଛି। ନିଜେ ଆନନ୍ଦବଜାରରେ ଏକାଧିକ ବ୍ୟକ୍ତିଙ୍କ ସହ ମହାପ୍ରସାଦ ଖାଇବାର ଦୃଶ୍ୟ ବି ରେକର୍ଡ଼ିଂ କରିଛନ୍ତି। ପରେ ଆନନ୍ଦବଜାରର ଏକ କୋଣରେ ବସି ବାଇଶିପାହାଚ ଓ ଭିତର ବେଢ଼ାରେ ଯାଆସ କରୁଥିବା ଭକ୍ତଙ୍କ ଭିଡିଓ ରେକର୍ଡିଂ କରିଛନ୍ତି।

ଏହି ଭିଡିଓ ସଂପର୍କରେ ଜଣାପଡ଼ିବା ପରେ ଶ୍ରୀଜଗନ୍ନାଥପ୍ରେମୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି। ଆଜି ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ସମାଲୋଚିତ ହେବା ପରେ ସିଂହଦ୍ବାର ଥାନାରେ ଏତଲା ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ ଶରତ ମିଶ୍ର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ୧୦୩/୨୦୧୯ରେ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ଆଇନଜୀବୀ ଅନୀଲ କୁମାର ସାହୁ ବି ଏ ସଂପର୍କରେ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର