ପଛୁଆ ବ୍ୟାଙ୍କକୁ ଭରସା କରିଥିଲା ଶ୍ରୀମନ୍ଦିର ପ୍ରଶାସନ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ବି ମାନିନଥିଲା ୟେସ୍ ବ୍ୟାଙ୍କ: ହେମନ୍ତ ପଣ୍ଡା

ବିଚାର ବିଭାଗୀୟ ତଦନ୍ତ ଦାବି

ବଲାଙ୍ଗୀର : ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରାନଯାଇ ଦେଶର ସାମାଜିକ ଉତ୍‌ଥାନ ପାଇଁ କାର୍ଯ୍ୟ କରୁଥିବା ବ୍ୟାଙ୍କମାନଙ୍କ ମଧ୍ୟରେ ସବୁଠୁ ପଛୁଆ ତାଲିକାରେ ଥିବା ୟେସ୍ ବ୍ୟାଙ୍କରେ ଅର୍ଥ ଜମା କରାଯାଇଥିଲା। ଏହା ପଛରେ ଅସାଧୁ ଉଦ୍ଦେଶ୍ୟ ରହିଥିବା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏପରିକି ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ଶ୍ରୀ ପଣ୍ଡା ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ, ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା କରିବା ପାଇଁ ୧୨ଟି ସିଡ୍ୟୁଲ କମର୍ସିଆଲ ବ୍ୟାଙ୍କମାନଙ୍କ ମଧ୍ୟରେ ଟେଣ୍ଡର ଆହ୍ୱାନ କରିଥିଲା। ୟେସ୍ ବ୍ୟାଙ୍କ ୮.୬୧ ହାରରେ ସୁଧ ଦେବାକୁ ରାଜି ହୋଇଥିବାରୁ ଚୟନ କରାଗଲା ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ବିଧାନସଭାରେ କହିଥିଲେ। ହେଲେ ଏହି ବିପୁଳ ଟଙ୍କା ଜମା ପାଇଁ ବ୍ୟାଙ୍କ ଚୟନ ପ୍ରକ୍ରିୟା ସମୟରେ ବ୍ୟାଙ୍କ ମାନଙ୍କର ଅନ୍ୟାନ୍ୟ କ୍ଷେତ୍ରର ପାରଦର୍ଶିତା ଓ ଦକ୍ଷତାକୁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଆଦୌ ବିଚାରକୁ ନନେଇ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପଣ୍ଡା କହିଛନ୍ତି। ଦେଶର ଜନସାଧାରଣଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ପାଇଁ ତଥା କ୍ୟାସଲେସ୍ ଇକୋନମି ପାଇଁ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ତଥା ପ୍ରମୁଖ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ସମଗ୍ର ଦେଶରେ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାରେ ୟେସ୍ ବ୍ୟାଙ୍କ ଦେଶର ସବୁଠୁ ପଛୁଆ ବ୍ୟାଙ୍କ ବୋଲି କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ସୂଚନା ଅଧିକାରୀ କର୍ମୀ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। ଏହି ତଥ୍ୟ ଆଧାରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୨୦୧୮ ମସିହା ସୁଦ୍ଧା ଆକାଉଣ୍ଟ ଖୋଲିବାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବୋଚ୍ଚ ସ୍ଥାନରେ ରହିଥିବା ବେଳେ ୟେସ୍ ବ୍ୟାଙ୍କ ସବୁଠାରୁ ପଛରେ ରହିଛି। ଏପରିକି ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ୟେସ ବ୍ୟାଙ୍କ ଦେଶର ଏକମାତ୍ର ବ୍ୟାଙ୍କ ଯେଉଁ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଆଦୌ ନିଯୁକ୍ତି କରାଯାଇ ନଥିବା ତଥ୍ୟ ପ୍ରଦାନ କରାଯାଇଛି। ମୋଦୀ ସରକାର କ୍ଷମତାକୁ ଆସିବା ପରେ ତଥା ୨୦୧୪ ମସିହାରେ ଯେଉଁ କେତେକ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହାମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏକ ପ୍ରମୁଖ କାର୍ଯ୍ୟକ୍ରମ। ନିଜେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ସମୀକ୍ଷା କରୁଥିଲେ ଏବଂ ବିଭିନ୍ନ ସମୟରେ ବ୍ୟାଙ୍କମାନଙ୍କର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେବା ପାଇଁ ଏବଂ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବାକୁ ସମସ୍ତ ବ୍ୟାଙ୍କକୁ ଅହ୍ୱାନ ଓ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ୟେସ୍ ବ୍ୟାଙ୍କ ଉପରେ ପଡ଼ି ନଥିବା ପଣ୍ଡା ତଥ୍ୟ ଆଧାରରେ କହିଛନ୍ତି। ଦେଶର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ୟେସ ବ୍ୟାଙ୍କର ପ୍ରତିବଦ୍ଧତା ନଥିବା ଅର୍ଥ ବିଭାଗର ଏହି ତଥ୍ୟ କହୁଛି ବୋଲି ପଣ୍ଡା କହିଛନ୍ତି। ଏହି ଘଟଣାରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାର ବିରୋଧୀ ଦଳ ମାନଙ୍କ ସହ ସଲାସୁତୁରା କରି ଅପବାଦ ଭୟରେ ବିଧାନସଭାକୁ ମଧ୍ୟ ବନ୍ଦ କରିଦେଲେ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ଏହାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବା ପାଇଁ ପଣ୍ଡା ଦାବି କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କ ସହିତ ପଶ୍ଚିମ ଓଡ଼ିଶାର ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର ଓ ବାବା ବିବୁତି ଭୂଷଣ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର