ଓଡ଼ିଆ ଭାଷାରେ ନାମଫଳକ ଲେଖା ପାଇଁ କସ୍‌ରତ୍‌

ଜିଲ୍ଲାପାଳମାନଙ୍କ ସହ ଆଲୋଚନା କଲେ ଉନ୍ନୟନ କମିସନର୍‌, ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ନାମଫଳକ ଲେଖା ପାଇଁ ସରକାରୀ ସ୍ତରରେ କସରତ୍‌ ଆରମ୍ଭ ହୋଇଛି। ପ୍ରଥମରେ ସରକାରୀ ସଂସ୍ଥାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସମସ୍ତ ସରକାରୀ କାର୍ଯ୍ୟାଳୟ, ନିଗମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁଦୃଶ୍ୟ ଓଡ଼ିଆ ନାମଫଳକ ଲଗାଇବାକୁ ସମସ୍ତ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଏଥି ପାଇଁ ଦୁଇ ମାସ ସମୟ ଦିଆଯାଇଛି। ଆଜି ସଚିବାଳୟରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ ଏ ନେଇ ଆଲୋଚନା କରିଥିଲେ। ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ଏକ ସ୍ୱେଚ୍ଛାକୃତ ଜନଆନ୍ଦୋଳନର ରୂପ ଦେବା ପାଇଁ ସେ ଆହ୍ଵାନ ଦେଇଥିଲେ। ଉନ୍ନୟନ କମିସନର୍‌ କହିଥିଲେ, ଓଡ଼ିଶାର ମାତୃଭାଷା ଓଡ଼ିଆ। ମାତୃଭାଷାରେ ନାମଫଳକ ଲେଖିଲେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ବେଶି ଲୋକପ୍ରିୟ ଓ ଆସ୍ଥାଭାଜନ ହେବେ। ଲୋକମାନେ ଏଥିରେ ସ୍ୱେଚ୍ଛାକୃତ ଭାବେ ସାମିଲ୍‌ ହେବାକୁ ପସନ୍ଦ କରିବେ। ତେଣୁ ଦଣ୍ଡବିଧାନ ବା ଜରିମାନା ଆଦାୟ ଉପରେ ଗୁରୁତ୍ୱ ନ ଦେଇ ମାତୃଭାଷାର ବହୁଳ ବ୍ୟବହାରକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଆରେ ଦରଖାସ୍ତ ବା ଚିଠି ଦେଉଥିବା ଲୋକଙ୍କୁ ଓଡ଼ିଆରେ ଉତ୍ତର ଦେବାକୁ ସରକାରୀ କାର୍ଯ୍ୟାଳୟରେ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଛଡ଼ା ପ୍ରତି ଜିଲ୍ଲାରେ ପୁସ୍ତକ ମେଳାର ଆୟୋଜନ କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ଅଧିକ ବ୍ୟାପକ କରିବା ନିମନ୍ତେ ସମସ୍ତ ବଣିକ ସଂଘ, ଚାମ୍ବର୍‌ ଅଫ୍‌ କମର୍ସ ଓ ବୃତ୍ତିଗତ ସଂଘ ସହ ବୈଠକ ଓ ଆଲୋଚନା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପରିବହନ ବିଭାଗର ପ୍ରମୁଖ ସଚିବ ଜି ଶ୍ରୀନିବାସ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ମିଶ୍ର, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର