ରାଜ୍ୟ କ୍ୟାବିନେଟ୍‌ ବୈଠକ : ବାତ୍ୟା ପୁନରୁଦ୍ଧାର ପାଇଁ ନିୟମ କୋହଳ

ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ କରିହେବ, ଦୁଇ ମାସରେ ବାତ୍ୟା ପୁନରୁଦ୍ଧାର କାମ ସରିବ, ଶ୍ରମିକଙ୍କୁ ମିଳିବ ଦେଢ଼ଗୁଣା ମଜୁରି, ୧୫୦ ଟଙ୍କାର ଦୈନିକ ଖାଦ୍ୟପେୟ

ଭୁବନେଶ୍ବର : ବାତ୍ୟା ଫନି ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ସେଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ପୂର୍ତ୍ତ ବିଭାଗର କିଛି ନିୟମାବଳୀକୁ କୋହଳ କରାଯାଇଛି। ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ବିନା ଟେଣ୍ଡରରେ କରିହେବ। ଜରୁରି ପରିସ୍ଥିତିରେ ପ୍ରଚଳିତ ନିୟମକୁ କୋହଳ କରି ଆବଶ୍ୟକୀୟ ଯନ୍ତ୍ରପାତି ଓ ସାମଗ୍ରୀ ଗଚ୍ଛିତ ରଖିଥିବା ଉଚ୍ଚଶ୍ରେଣୀର ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇହେବ। ଏସବୁ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗର ନିୟମାବଳୀ(ଓପିଡବ୍ଲ୍ୟୁଡି)ରେ କିଛି ପରିବର୍ତନ କରାଯାଇଛି।

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଗୃହୀତ ହୋଇଛି। ବାତ୍ୟା ତାରିଖ ମେ’ ୩ରୁ ଏହି ପରିବର୍ତ୍ତିତ ନିୟମ ଲାଗୁ ହୋଇ ଦୁଇ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ସରକାରର ଶେଷ କ୍ୟାବିନେଟ୍‌ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯିବା ସହ ମୁଖ୍ୟତଃ ବାତ୍ୟା ସମ୍ପର୍କିତ କିଛି ପ୍ରସ୍ତାବ ଗୃହୀତ ହୋଇଥିଲା।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ପୂର୍ତ୍ତ ବିଭାଗର ପରିବର୍ତିତ ନିୟମାବଳୀ ଅନୁଯାୟୀ ଜଣେ ମୁଖ୍ୟଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରାଯାଇଛି। ସେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟାଦେଶ ବିନା ଟେଣ୍ଡରରେ ଦେଇପାରିବେ। ଏଥିପାଇଁ ସଂପୃକ୍ତ ଠିକାଦାର ଏ କ୍ଲାସ କି ସ୍ପେଶାଲ୍‌ କ୍ଲାସ ଏଭଳି ଶ୍ରେଣୀ ଦେଖାଯିବ ନାହିଁ। ବରଂ ଉଚ୍ଚଶ୍ରେଣୀର ଯେଉଁ ଠିକାଦାରଙ୍କ ନିକଟରେ ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ମହଜୁଦ୍‌ ରହିଛି ସେମାନଙ୍କୁ ସ୍ଥଳ ବିଶେଷରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ତେବେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ଯ୍ୟ ପାଇଁ ସରକାରଙ୍କ ଅନୁମତି ନେବାକୁ ହେବ। ବିନା ଟେଣ୍ଡର୍‌ରେ କାର୍ଯ୍ୟ ସମ୍ପାଦକ ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟର ଅଟକଳକୁ ବିଭାଜନ କରାଯିବ ନାହିଁ। ତେବେ କୌଣସି କ୍ଷେତ୍ରରେ ଏପରି କରିବା ନିହାତି ଜରୁରୀ ଥିଲେ, ଯନ୍ତ୍ରୀମୁଖ୍ୟ ବା ମୁଖ୍ୟଯନ୍ତ୍ରୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଜନ କରିପାରିବେ। ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ଯ୍ୟର ବିଭାଜନ ପାଇଁ ବିଭାଗୀୟ ପ୍ରଶାସନିକ ମଞ୍ଜୁରୀ ନେବାକୁ ପଡ଼ିବ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଦ୍ଦିଷ୍ଟ କାର୍ଯ୍ୟ ୧ ମାସ ମଧ୍ୟରେ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟ ୨ ମାସରେ ସାରିବାକୁ ହେବ। ଦୁଇ ମାସ ଅର୍ଥାତ୍‌ ଜୁଲାଇ ୩ ତାରିଖ ସୁଦ୍ଧା ଫନି ପରବର୍ତୀ ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ସରିବ ବୋଲି ମୁଖ୍ୟ ସଚିବ କହିଥିଲେ। ବାତ୍ୟା ଜନିତ ପୁନରୁଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟରେ ଯେଉଁ ଗାଡ଼ିଗୁଡ଼ିକୁ ନିୟୋଜିତ କରାଯାଇଛି ସେଥିପାଇଁ ଭଡ଼ା ନିର୍ବାଚନ କାର୍ଯ୍ୟ ନିମନ୍ତେ ଧାର୍ଯ୍ୟ ଦରରେ ପ୍ରଦାନ କରାଯିବ।

ବାତ୍ୟା ପରବର୍ତୀ ବିଦ୍ୟୁତ୍‌ ଭିତ୍ତିିଭୂମି ଓ ଅନ୍ୟାନ୍ୟ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟ ବାହାର ଯଥା: ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟରୁ ପ୍ରାୟ ୧୦ ହଜାର କୁଶଳୀ ଶ୍ରମିକ ବା ଗ୍ୟାଙ୍ଗମ୍ୟାନ ନିୟୋଜିତ ହୋଇଛନ୍ତିି। ଏହା ସହିତ ରାଜ୍ୟର ପ୍ରାୟ ୪ ହଜାର ଶ୍ରମିକଙ୍କୁ ଏସବୁ କାମରେ ଲଗାଯାଇଛି। ସେମାନଙ୍କୁ ରାଜ୍ୟରେ ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ପାଇଁ ପ୍ରଚଳିତ ମଜୁରିର ଦେଢ଼ଗୁଣା ମଜୁରି ଦେବା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। ଏହି ହାରରେ ଜଣେ ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୪୨୦ ଟଙ୍କା, ଅର୍ଧ କୁଶଳୀ ଶ୍ରମିକଙ୍କୁ ୪୮୦ ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ୫୫୫ ଟଙ୍କା ଦିଆଯିବ। ଏହା ସହିତ ସେମାନଙ୍କୁ ଦୈନିକ ଖାଦ୍ୟପେୟ ବାବଦରେ ୧୫୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ପୁନରୁଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ଓ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାସନ ଭତ୍ତା ଦିଆଯାଉଛି। ସେମାନଙ୍କୁ ରାଜ୍ୟ ହେଉ ବା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୦୦ ଟଙ୍କା ଲେଖାଏଁ ୧୦ ଦିନ ପାଇଁ ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାରେ ପୋଖରୀଗୁଡ଼ିକର ସଫେଇ ଓ ବିଶୁଦ୍ଧୀକରଣ ପାଇଁ ୧୫ ଲକ୍ଷ ଟଙ୍କା ଦିଆଯାଇଛି। ଏହି ଅର୍ଥ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପ୍ରଦାନ କରିବାକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍‌।

ବାତ୍ୟା ଫନି ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ କ୍ୟାବିନେଟ୍‌ ବୈଠକରେ ଅବଗତ କରାଯାଇଥିଲା। ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତିର କ୍ଷତିର ଆକଳନ ସମାପ୍ତ ହୋଇ ନ ଥିଲେ ମଧ୍ୟ ପ୍ରାଥମିକ ଆକଳନ ଅନୁଯାୟୀ ୬୧୬୭.୨୬ କୋଟି ଟଙ୍କାର ସରକାରୀ ସମ୍ପତ୍ତିର କ୍ଷତି ହୋଇଛି ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ପାଇଁ ୬୭୬୭.୫୬ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଥିଲା। ବିପର୍ଯ୍ୟସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର କ୍ଷେତ୍ରରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିୟମାବଳୀରେ କିଛି ପରିବର୍ତନ ଜରୁରି ବୋଲି ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର