ଗଠନ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରି କମିଟି
ପ୍ରଫୁଲ୍ଲ କର ଚଳଚ୍ଚିତ୍ର, ଘନଶ୍ୟାମ ମହାପାତ୍ର ଧାରାବାହିକ ଅଧ୍ୟକ୍ଷ
ଭୁବନେଶ୍ବର : ଖୋଲିଲା ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାରର ଭାଗ୍ୟ। ଦୀର୍ଘଦିନର ବିଚାର ବିମର୍ଶ ପରେ ଗଠନ ହୋଇଛି ଜୁରି କମିଟି। ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୬ଜଣଙ୍କୁ ନେଇ ଜୁରି କମିଟି ଗଠନ କରାଯାଇଛି। ବିଶିଷ୍ଟ ସଂଗୀତ ନିର୍ଦେଶକ ପଦ୍ମଶ୍ରୀ ଫ୍ରଫୁଲ୍ଲ କର ଏହି ଜୁରି କମିଟିର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ତତ୍ତ୍ବାବଧାନରେ ଓଡ଼ିଆ ସିନେ ଜଗତ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୫ ଜଣ ବ୍ୟକ୍ତିବିଶେଷ ରହିଛନ୍ତି। ଏହି ଜୁରି କମିଟିରେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବ ତଥା ଅଭିନେତା ଧୀରେନ୍ଦ୍ରନାଥ ମଲ୍ଲିକ, ଜଣାଶୁଣା ଫିଲ୍ମ ସାମ୍ବାଦିକ ପରୀକ୍ଷିତ ଜେନା, ଗୀତିକାର ତଥା ସଂଳାପ ଲେଖକ ବିଜୟ ମଲ୍ଲ, ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ ଏବଂ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଜୁରି ବୋର୍ଡର ସଦସ୍ୟ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମ ୨୦୧୦ ଅନୁଯାୟୀ ଏହି ଜୁରି କମିଟି ଗଠିତ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ଅଭିବୃଦ୍ଧି ଓ ଉନ୍ନତିରେ ବିଶେଷ ଅବଦାନ ରଖିଥିବା ଜଣେ କୃତୀ ବ୍ୟକ୍ତିତ୍ବଙ୍କୁ ‘ଜୟଦେବ ପୁରସ୍କାର’ ପାଇଁ ଏହି କମିଟି ମନୋନୀତ କରିବେ। ଚଳିତ ବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୨୧ଟି ଚଳଚ୍ଚିତ୍ର ବିଚାରକୁ ଆସିଛି। ୨୦୧୭ ମସିହା ଜାନୁଆରି ୧ରୁ ଡିସେମ୍ବର ୩୧ ମଧ୍ୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ କେବଳ ସ୍କ୍ରିନିଂ କରିବା ପାଇଁ ସୁଯୋଗ ଦିଆଯିବ। ଏଥିସହିତ ଚଳଚ୍ଚିତ୍ରର ୨୭ଟି ବର୍ଗରେ ପୁରସ୍କାର ପାଇଁ ଚୟନ କରାଯିବ। କମିଟି ଗଠନ ହେବାର ୩ ମାସ ମଧ୍ୟରେ ଫିଲ୍ମ ସ୍କ୍ରିନିଂ ସହ ପୁରସ୍କାର ଚୟନ କରିବା ପାଇଁ ସମୟ ଦିଆଯାଇଛି।
ଏଥିସହ ଓଡ଼ିଶା ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ୟ ଅନୁରୂପ ଜୁରି କମିଟି ଗଠନ କରାଯାଇଛି। ଚଳଚ୍ଚିତ୍ର ନିର୍ଦେଶକ ଘନଶ୍ୟାମ ମହାପାତ୍ର ଟେଲି ପୁରସ୍କାରର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ଅଧୀନରେ ବିଗତ ଦିନର ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ର, ନାଟ୍ୟ ବ୍ୟକ୍ତିତ୍ବ ମନୋଜ ପଟ୍ଟନାୟକ, କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ ଏବଂ ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ପ୍ରମୁଖ ଜୁରି କମିଟିର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ୨୦୧୭ରେ ପ୍ରଯୋଜିତ ଟେଲି ଧାରାବାହିକ ଓ ଟେଲି ଫିଲ୍ମକୁ ନେଇ ବିଚାରକମାନେ ୨୦ଟି ବିଭାଗରେ ପୁରସ୍କାର ଘୋଷଣା କରିବେ। ଜୁରି କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଥମ ଗ୍ରେଡ୍ ଅଧିକାରୀର ମାନ୍ୟତା ଦିଆଯାଇଛି।
ସଂସ୍କୃତି ବିଭାଗର କ୍ୟାଲେଣ୍ଡର ମୁତାବକ ଏହା ଗତ ଡିସ୍ବେମରରେ ହୋଇପାରି ନଥିଲା। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏହାକୁ ଆୟୋଜନ କରିବା ନେଇ ଚେୟାରମ୍ୟାନ୍ କୁନା ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଉଭୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଉତ୍ସବ ଝୁଲି ରହିଥିଲା। ଗତ ଡିସେମ୍ବର ମାସରେ ସଂସ୍କୃତି ବିଭାଗ ଏହାର ଆୟୋଜନ କରିବା ନେଇ ସରକାର ଘୋଷଣା କରିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୧ ତାରିଖରୁ ଚଳଚ୍ଚିତ୍ର ଓ ଧାରାବାହିକର ସ୍କ୍ରିନିଂ ଆରମ୍ଭ ହେବ। ସମ୍ଭବତଃ ମାର୍ଚ ମାସରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।