ଓମିସିଓର କିଟ୍‌ କିଣି ଅର୍ଥ ବରବାଦ କଲେ ରାଜ୍ୟ ସରକାର!

ଚଳିତମାସରେ ଅଢ଼େଇ ହଜାର ନମୁନାର ଜିନୋମ ସିକ୍ବେନ୍ସିଂ
ଦିନକରେ ୮୫୨ ପଜିଟିଭ୍, ୧୯ ମୃତ

ଭୁବନେଶ୍ବର : କରୋନାର ତୃତୀୟ ଲହର ଚାଲିଥିବା ‌ସମୟରେ ରାଜ୍ୟ ସରକାର ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଲାଗି ଓମିସିଓର କିଟ୍‌ କଣିଥିଲେ। ୫ଟି ମହାନଗର ନିଗମ ସହିତ ମେଡିକାଲ କଲେଜକୁ ଏହି କିଟ୍‌ ଦିଆଯାଇଛି। ମାତ୍ର ଏଥିରେ କେତେ ପରୀକ୍ଷା ହୋଇଛି ଓ ଏହାର ବିଶ୍ବସନୀୟତା କେତେ ତାହା ଉପରୁ ସନ୍ଦେହ ହଟିନାହିଁ। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟରୁ ପଜିଟିଭ୍ ଚିହ୍ନଟ ନମୁନାକୁ ଜିନୋମ ସିକ୍ବେନ୍ସିଂ କରିବାକୁ ଲ୍ୟାବ୍‌ମାନଙ୍କୁ ପଠାଇବାକୁ କହିବା ପରେ ଓମିସିଓର କିଟ୍‌କୁ ନେଇ ଏଭଳି ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାର ଜିନୋମ ସିକ୍ବେନ୍ସିଂ ଉପରେ ଭରସା କରୁଥିବା ବେଳେ ରାଜ୍ୟ ସରକାର ଓମିସିଓର କିଟ୍‌ରେ ପରୀକ୍ଷା କରିବା କେତେଦୂର ଯଥାର୍ଥ ତାହା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର କିଣିଥିବା ଓମିସିଓର କିଟ୍‌କୁ ନେଇ ଅନେକ ସ୍ଥାନରୁ ତ୍ରୁଟିର ସୂଚନା ମିଳିଛି। କେଉଁଠାରେ ଶତ ପ୍ରତିଶତ ଓମିକ୍ରନ୍ ପଜିଟିଭ୍ ଦେଖାଉଛି ତ ଆଉ କେଉଁଠି ଜମାରୁ ନାହିଁ। ପରୀକ୍ଷା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହି କିଟ ପ୍ରସ୍ତୁତ କରିଥିବା କମ୍ପାନିର ଅଧିକାରୀମାନେ ମଧ୍ୟ ଏହାକୁ ନେଇ ସନ୍ଦେହରେ ରହିଛନ୍ତି। ଓମିସିଓର କିଟ୍‌ରେ ରାଜ୍ୟରେ କେତେ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କୌଣସି ସୂଚନା ଦେଉ ନାହାନ୍ତି। କେବଳ ଆଇଏଲଏସ୍‌ରେ ଜିନୋମ ସିକ୍ବେନ୍ସିଂରୁ ମିଳିଥିବା ତଥ୍ୟକୁ ଆଧାର କରି ତଥ୍ୟ ଦିଆଯାଉଛି। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ କିଟ୍‌ ପାଇଁ ବରାଦ ଦେଇଥିବା ବେଳେ ବର୍ତମାନ ସୁଦ୍ଧା କେତେ କିଟ୍‌ ଆସିଛି ସେ ନେଇ ବି କେହି ମୁହଁ ଖୋଲୁନାହାନ୍ତି। ରାଜ୍ୟ ଔଷଧ ନିଗମ କେତେ ଟଙ୍କାରେ ଏହାକୁ କିଣିଛି ସେ ସଂପର୍କରେ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ବାହାବା ନେବା ଲାଗି ରାଜ୍ୟ ସରକାର ଏହି କିଟ୍‌ କିଣି ଅର୍ଥ ବରାବାଦ କଲେ ବୋଲି ଏବେ ଚର୍ଚା ଆରମ୍ଭ ହୋଇଗଲାଣି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଓମିସିଓର କିଟ୍‌ରେ ପଜିଟିଭ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ତଥ୍ୟ ଅନୁଶୀଳନ ଚାଲିଛି। ମୋଟାମୋଟି ଭାବେ ଏ ପର୍ଯ୍ୟନ୍ତ ୬୫ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କୁହାଯାଇପାରିବ। ମାତ୍ର ସମସ୍ତ ତଥ୍ୟର ଅନୁଶୀଳନ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ। ମାତ୍ର କେତେ କିଟ୍‌ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ଆସିଛି ତାହା ସଂପର୍କରେ ଅଧିକାରୀ କୌଣସି ସୂଚନା ଦେଇ ନ ଥିଲେ। ଅପରପକ୍ଷରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଡ଼ିଶାକୁ ଚଳିତମାସରେ ଅଢ଼େଇ ହଜାର ନମୁନା ଜିନୋମ ସ‌ିକ୍ବେନ୍ସିଂ ଲାଗି ଲ୍ୟାବ୍‌କୁ ପଠାଇବାକୁ କହିଛନ୍ତି। ଦେଶବ୍ୟାପୀ ୮୯,୮୪୦ ନମୁନା ଚଳିତ ମାସରେ ଜିନୋମ ସିକ୍ବେନ୍ସିଂ କରାଯିବ। କିଛିଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ହୋଇଥିବା ଜିନୋମ ସିକ୍ବେନ୍ସିଂରେ ୯୮ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତେଣୁ ରାଜ୍ୟରେ ଏବେ ଘାତକ ଡେଲ୍‌ଟା ପ୍ରଜାତିର ପ୍ରକୋପ କମିଥିବା ଏଥିରୁ ସ୍ପଷ୍ଟ ହୋଇଥିଲା।

ରାଜ୍ୟରେ ଗତ ୨୪ଘଣ୍ଟାରେ ୮୫୨ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୧୧୩, କୋରାପୁଟ ୯୦, ସୁନ୍ଦରଗଡ଼ ୮୯, କଟକ ୬୪, ଯାଜପୁର ୪୦, ଗଜପତି ୩୩, ସମ୍ବଲପୁର ୩୯, କନ୍ଧମାଳ ୨୬, ବାଲେଶ୍ବର ୨୫ ଓ ଷ୍ଟେଟ୍‌ ପୁଲରୁ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୮୯୮କୁ ବୃଦ୍ଧି ପାଇଛି। ଆଉ ୧୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଆଜି ସରକାରୀ ଘୋଷଣା କରାଯାଇଛି। ଫଳରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୮୯୪୫କୁ ବୃଦ୍ଧି ପାଇଛି। ଆଜି ୧୬୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୬୩ହଜାର ୧୦୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୭୯୪କୁ ଖସି ଆସିଛି।

ସମ୍ବନ୍ଧିତ ଖବର