ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଶ୍ରାଦ୍ଧୋତ୍ସବ: ବିଜୁବାବୁଙ୍କ କାମ କରିବା ଶୈଳୀ ଥିଲା ନିଆରା

ଭୁବନେଶ୍ବର: ବିଜୁବାବୁ ଥିଲେ ଅନନ୍ୟ। ତାଙ୍କ କାମ କରିବା ଶୈଳୀ ଥିଲା ନିଆରା। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆ ଜାତିର ଉନ୍ନତି। ବିକାଶ, ସଶକ୍ତୀକରଣ ଓ ଓଡ଼ିଆ ସ୍ବାଭିମାନ ହିଁ ସବୁବେଳେ ତାଙ୍କର ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ମହିଳା ସଶକ୍ତୀକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା। ଏଦିଗରେ ସେ ଅନେକ ମାଇଲ ଷ୍ଟୋନ୍ ସୃଷ୍ଟି କରିଯାଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଶ୍ରାଦ୍ଧୋତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ଏହା କହିଛନ୍ତି। ସେ କହିଥିଲେ, ନିକଟରେ ଅନୁଷ୍ଠିତ ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ମହିଳାମାନେ ବହୁସଂଖ୍ୟାରେ ଭାଗ ନେଇ ସଫଳତା ହାସଲ କରିବା ଖୁସିର ବିଷୟ। ମା’ ମାନେ ହିଁ ଆମ ନୂଆ ଓଡ଼ିଶାର ସାରଥି। ସେମାନଙ୍କ ଦକ୍ଷତା ଓ ସଫଳତା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଲେ, ବିଜୁବାବୁ ଶ୍ରମିକଙ୍କ ସ୍ବାର୍ଥରକ୍ଷାଠାରୁ ଆରମ୍ଭ କରି ନାରୀ ସଶକ୍ତୀକରଣ, ପଞ୍ଚାୟତିରାଜ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପାୟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଅବଦାନ ଅତୁଳନୀୟ। ବିଏମ୍‌ସି ମେୟର ସୁଲୋଚନା ଦାସ କହିଲେ, ଦାରିଦ୍ର୍ୟ ଦୂରୀକରଣ ବିରୋଧରେ କାମ କରିବା ସହ କୃଷି ଓ ଶିଳ୍ପର କିପରି ସମୃଦ୍ଧି ହେବ ସେନେଇ ବିଜୁବାବୁ ଚିନ୍ତା କରୁଥିଲେ। ଯୁବଗୋଷ୍ଠୀ ସ୍ବାଭିମାନର ସହ କିପରି ବଞ୍ଚିବ ସେନେଇ ଚିନ୍ତା କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ବିଜୁ ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତି ଓ ମହାନ୍ ଜୀବନାଦର୍ଶ ଓଡ଼ିଆ ଜାତିର ଇତିହାସକୁ ଗୌରବାମଣ୍ଡିତ କରିବ ବୋଲି କହିଥିଲେ। ବିଧାୟକ ସୁଶାନ୍ତ କୁମାର ରାଉତ ବିଜୁ ବାବୁଙ୍କ ସେବା ଓ ତ୍ୟାଗ ମନୋଭାବ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉତ୍କଳ ପ୍ରସଙ୍ଗ ସଂପାଦକ ଲେନିନ୍ ମହାନ୍ତି ବିଜୁ ବାବୁ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ବୋଲି କହିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ସୂଚନା ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର