ବିପର୍ଯ୍ୟୟ ମୁକାବିଲା: ବିରୋଧୀ ଅସନ୍ତୁଷ୍ଟ

ଏସ୍‌ଆରସି କହିଲେ, ଏବେ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ

ଭୁବନେଶ୍ବର : ଅନେକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି, ଅଥଚ ଶେଷ ହୋଇପାରୁନାହିଁ। କିଛି କ୍ଷେତ୍ରରେ ନୂଆ ପ୍ରସ୍ତାବ ଦିଆଯାଉଛି ଅଥଚ ତାହାକୁ ସରକାର ଗ୍ରହଣ କରୁନାହାନ୍ତି। ଆଉ କେତେକ ପ୍ରକଳ୍ପ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଅଣାଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଭିନ୍ନ ପ୍ରକଳ୍ପର ତାଲିକା ରଖି ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ବିରୋଧୀ ଦଳ ଅସନ୍ତୋଷ ଝାଡ଼ିଛନ୍ତି।

ଭିଡ଼ିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କଳାହାଣ୍ଡି ଜିଲ୍ଲା ସବୁବେଳେ ଦୁର୍ବିପାକ ପ୍ରବଣ। ବନ୍ୟା ବେଳେ ଅଧିକ କ୍ଷୟକ୍ଷତି ଦେଖୁଥିବା ବେଳେ ମରୁଡ଼ିରେ ବି ଜର୍ଜରିତ। ଏହି ଜିଲ୍ଲାରେ ଦୀର୍ଘ ଦିନରୁ ପ୍ରସ୍ତାବିତ ଲୋୟର ଉଦନ୍ତି ଜଳ ସେଚନ ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି ଅଥଚ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଜଳସେଚନ ପାଇଁ ତେଲ ନଦୀର ବିଭିନ୍ନ ସ୍ଥାନରେ ମେଗା ଲିଫ୍ଟ ଜଳ ସେଚନ ଯୋଜନା କରିବାକୁ ପ୍ରସ୍ତାବ ସେ ଦେଇଥିଲେ।

ବିରୋଧୀ ଦଳ ନେତା କହିଥିଲେ, ଭବାନୀପାଟଣା ଓ କଳହାଣ୍ଡି ନିର୍ବାଚନ ମଣ୍ଡଳୀର ଉଦନ୍ତି-ତେଲ ନଦୀର ସଂଗମ ସ୍ଥଳର ସେଁପୁର ବ୍ରିଜ୍‌ ପାଖରେ ବ୍ୟାରେଜ୍‌ କରି ବହୁମୁଖୀ ଜଳ ସେଚନ ଯୋଜନା କରାଯାଇପାରିବ। ଉଦନ୍ତି ଓ ତେଲ୍‌ ନଦୀକୁ ସଂଯୋଗ କରିବା ଫଳରେ ଖରାଦିନେ ଅର୍ପାଲ୍‌, ପେଲ୍‌ନା, ଡୁମୁରିଆ, ସିକୁଆ ଗ୍ରାମ ପଞ୍ଚାୟତକୁ ଜଳ ଯୋଗାଣ ସୁନିଶ୍ଚିତ ହୋଇପାରିବ। ତେଲ୍‌ ନଦୀର ବୋରଭଟ୍ଟା, ମାଟିଆ, ମାଦିଗୁଡ଼ା, ସେଁପୁର ଆଦି ଗାଁ ପାଖରେ ତେଲ୍‌ ନଦୀର ଅବ୍ୟବହୃତ ପାଣି ସମୁଦ୍ରକୁ ବୋହିଯାଉଛି। ଏସବୁ ତଳିଆ ଅଞ୍ଚଳରେ ଛୋଟ ଛୋଟ ବନ୍ଧ କରାଯାଇ ନଦୀପାଣିକୁ ସଂରକ୍ଷଣ କରି ରଖିଲେ ଖରାଦିନେ ଜଳ ସଂକଟକୁ ଦୂର କରାଯାଇପାରିବ। ଏହାସହିତ ଇନ୍ଦ୍ରାବତୀର ଦକ୍ଷିଣ କେନାଲ୍‌ କାମ ତୁରନ୍ତ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

 

New Indian Express

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ଯେତେସବୁ ଯୋଜନା କରିଛନ୍ତି ସେସବୁ ଲୋକଙ୍କ କାମରେ ଆସିପାରୁନି। ଦୁର୍ନୀତିଖୋର ଅଧିକାରୀଙ୍କ ଯୋଗୁଁ ସମସ୍ତ ଯୋଜନା ବିଫଳ ହେଉଛି। ଶ୍ରୀ ମିଶ୍ର କହିଥିଲେ, ଗତବର୍ଷ ଅଗଷ୍ଟ ୧୩ ତାରିଖରେ ବଲାଙ୍ଗୀରରେ ହୋଇଥିବା ଭୀଷଣ ବନ୍ୟାଜନିତ କ୍ଷୟକ୍ଷତି ଭରଣା ପାଇଁ ୧୦୦୦ କୋଟି ଟଙ୍କା ଦାବି କରାଯାଇଥିଲା। କିନ୍ତୁ ମିଳିଛି ମାତ୍ର ୨୫ କୋଟି ୩୨ ଲକ୍ଷ ୯୦୦ ଟଙ୍କା। ଲକ୍ଷ୍ମୀଯୋର ବନ୍ୟା ସୁରକ୍ଷା ଆଡ଼ିବନ୍ଧ ଓ ଉଭୟ ପଟ ରାସ୍ତା ନିର୍ମାଣ ପାଇଁ ୧୩ କୋଟି, ସୋନଗଡ଼ ନଦୀରେ ଆଡ଼ିବନ୍ଧ ପାଇଁ ୭ କୋଟି, ତେଲ ନଦୀର ୧୧୬ କିଲୋମିଟର ଆଡ଼ି ବନ୍ଧ ନିର୍ମାଣ ପାଇଁ ସେ ସରକାରଙ୍କୁ ଆଗରୁ ଦାବି କରିଥିଲେ। ତେଲ୍‌ ନଦୀର ରତାଖଣ୍ଡିରୁ ଆମଦହନରେ ବନ୍ୟା ସୁରକ୍ଷା ଆଡ଼ିବନ୍ଧ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ବି କାମ ଆରମ୍ଭ ହୋଇନାହିଁ।

ସେହିପରି କୋଭିଡ୍‌-୧୯ ପରିଚାଳନାକୁ ନେଇ ସେ କହିଥିଲେ କୌଣସି ଜନ ପ୍ରତିନିଧିଙ୍କୁ ଦାୟିତ୍ବ ନ ଦେଇ ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଦାୟିତ୍ବ ଦେଇ ସରକାର ଦୁର୍ନୀତିକୁ ଆମନ୍ତ୍ରଣ କରିଛନ୍ତି। ମନହିରା ପଞ୍ଚାୟତରେ ହୋଇଥିବା ଟିଏମ୍‌ସିରେ ସରପଞ୍ଚ କିଭଳି ନିମ୍ନମାନର ଖାଦ୍ୟ ଅନ୍ତେବାସୀମାନଙ୍କୁ ଦେଇ ଟଙ୍କା ହରିଲୁଟ୍‌ କରିଛନ୍ତି ସେ ନେଇ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୁର୍ବିପାକ ମୁକାବିଲା ଦକ୍ଷତାକୁ ପ୍ରଶଂସା କରିଥିଲେ। ଏହାସହିତ ଆଗାମୀ ବର୍ଷା ଋତୁରେ ବନ୍ୟା, ବାତ୍ୟା, ମରୁଡ଼ି ସ୍ଥିତି ଉପୁଜେ ସେସବୁକୁ କିପରି ଅଧିକ କ୍ରିୟାଶୀଳ ଢଙ୍ଗରେ ମୁକାବିଲା କରାଯିବ ସେଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ। ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ଜରିଆରେ ଅଧିକକୁ ଅଧିକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିବା ଶ୍ରୀ ଜେନା କହିଥିଲେ।

ସମ୍ବନ୍ଧିତ ଖବର