ଭୁବନେଶ୍ୱର: ରାଜ୍ୟରେ ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ପ୍ରଚଳନ ପରେ ରାଜସ୍ୱ ଆଦାୟ କମିଛି। ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ଜିଏସ୍ଟି ପରିଷଦର ୩୦ତମ ବୈଠକରେ ଯୋଗଦେବା ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ କଥା ସ୍ୱୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କ ସୂଚନା ମୁତାବକ ୨୦୧୭ ଅଗଷ୍ଟରୁ ୨୦୧୮ ମାର୍ଚ ମଧ୍ୟରେ ଓଡ଼ିଶାରେ ରାଜସ୍ବ ଆଦାୟ ୩୧ ପ୍ରତିଶତ ଥିଲା। ୨୦୧୮ ଏପ୍ରିଲ୍ରୁ ଗତ ଅଗଷ୍ଟ ପର୍ଯ୍ୟନ୍ତ ଏହା ୨୪ ପ୍ରତିଶତକୁ ହ୍ରାସ ପାଇଛି। ତେବେ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଓଡ଼ିଶାରେ ଉନ୍ନତି ଘଟିଛି। ୨୦୧୭ ଅକ୍ଟୋବର ସୁଦ୍ଧା ୪୫.୦୬ ପ୍ରତିଶତ ରିଟର୍ଣ୍ଣ ଫାଇଲ୍ କରାଯାଇଥିବା ବେଳେ ଗତ ଜୁଲାଇ ମାସ ସୁଦ୍ଧା ୬୧.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। କିନ୍ତୁ ଜିଏସ୍ଟି ପ୍ରଚଳନ ପରେ ଓଡ଼ିଶାର ରାଜସ୍ବ କମିଥିବା ସୂଚନା ଦେଇ ମନ୍ତ୍ରୀ କହିଲେ ଯେ ଜିଏସ୍ଟି ପ୍ରଚଳନ ପୂର୍ବରୁ ରାଜ୍ୟରେ ଧାନ, ଚାଉଳ, ଅଟା, ମଇଦା, ସୁଜି, ଗହମ, ଗୁଡ଼ ଆଦି ସାମଗ୍ରୀରୁ ୫ ପ୍ରତିଶତ କର ଆଦାୟ ହେଉଥିଲା। ଜିଏସ୍ଟି ପ୍ରଚଳନ ପରେ ଏସବୁ ସାମଗ୍ରୀ ଏବେ କରମୁକ୍ତ। ବଡ଼ କଥା ହେଉଛି ଯେ ରାଜ୍ୟର ପ୍ରମୁଖ କର ଖଣିଜ ପଦାର୍ଥ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀରୁ ଆଦାୟ ହୋଇଥାଏ। କିନ୍ତୁ ଜିଏସ୍ଟି ନିୟମ ଅନୁଯାୟୀ ଯେଉଁ ରାଜ୍ୟରେ ଏସବୁ ସାମଗ୍ରୀ ବ୍ୟବହାର କରାଯିବ ସେହି ରାଜ୍ୟରେ ଜିଏସ୍ଟି ଆଦାୟ କରାଯାଉଛି। ଫଳରେ ଓଡ଼ିଶା ରାଜସ୍ୱ ହରାଉଛି।
ମନ୍ତ୍ରୀ କହିଲେ ଯେ ପୂର୍ବରୁ ପ୍ରଚଳିତ ଭାଟ୍ରେ ଅଧିକାଂଶ ଦ୍ରବ୍ୟ ଉପରୁ ୧୪.୫ ପ୍ରତିଶତ କର ଆଦାୟ କରାଯାଉଥିଲା। ଏବେ ସେସବୁ ଦ୍ରବ୍ୟ ଉପରୁ ୯ ପ୍ରତିଶତ କର ଆଦାୟ ହେଉଛି। ଅବଶ୍ୟ, ଜିଏସ୍ଟି ପ୍ରଚଳନର ପ୍ରଥମ ପାଞ୍ଚବର୍ଷ ପର୍ଯ୍ୟନ୍ତ ରାଜ୍ୟମାନେ କ୍ଷତିପୂରଣ ପାଇବାର ବ୍ୟବସ୍ଥା କରାଯାଇଛି। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ଉପରେ ଭିଡିଓ କନ୍ଫରେନ୍ସିଂରେ ଗତ ଜୁଲାଇ ମାସରେ ସମଗ୍ର ଦେଶରୁ ୯୬ ହଜାର କୋଟିର ଜିଏସ୍ଟି ଆଦାୟ ହୋଇଥିବା ବେଳେ ଅଗଷ୍ଟ ମାସରେ ଏହା ୯୩ ହଜାର କୋଟିକୁ ହ୍ରାସ ପାଇଥିବା ଜଣାପଡ଼ିଛି।