ରାଜ୍ୟର ଟେଷ୍ଟିଂ ଜାତୀୟ ହାରଠୁ କମ୍‌: ଧର୍ମେନ୍ଦ୍ର

ସମାଲୋଚନା କଲେନି, ତଥ୍ୟ ଦେଇ ସରକାରଙ୍କୁ ଟାର୍ଗେଟ୍‌ କଲେ

ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଜନ ଆନ୍ଦୋଳନ ଲାଗି ଆହ୍ବାନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସବୁଠି ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ। କିନ୍ତୁ ଓଡ଼ିଶାର ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ହାର ଠାରୁ କମରେ ରହିଛି। ବିଶେଷ ଭାବରେ ସମ୍ବଲପୁର, ଅନୁଗୁଳ, ବରଗଡ, ସୁନ୍ଦରଗଡ଼ ଓ କଳହାଣ୍ଡି ଭଳି ରାଜ୍ୟର ୧୪ଟି ଜିଲ୍ଲାରେ ପଜିଟିଭ୍ ରେଟ୍‌ ଜାତୀୟ ପଜିଟିଭ୍ ରେଟ୍ ଠାରୁ ଅଧିକ ରହିଛି। ଏସବୁକୁ ଦେଖିଲେ ଏଠାରେ ଟେଷ୍ଟିଂ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କରୋନା ମହାମାରୀ ସମୟରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ୍‌କୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଜନସାଧାରଣ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ‌ ସେ ଆହ୍ବାନ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ ସିଧ‌ାସଳଖ ସମାଲୋଚନା କରି ନ ଥିଲେ ବି ବିଭିନ୍ନ ରାଜ୍ୟର ପରିସଂଖ୍ୟାନ ଦେଇ ଓ ଏକାଧିକ ପ୍ରସ୍ତାବ ଛଳରେ ଶ୍ରୀ ପ୍ରଧାନ ରାଜ୍ୟରେ କୋଭିଡ୍‌ ପରିଚାଳନା ଠିକ୍ ଚାଲିନି ବୋଲି ପରୋକ୍ଷରେ ଦର୍ଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମେ’ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି। କିନ୍ତୁ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି। ଠିକ୍ ସେହି ସମୟରେ କେରଳରେ ଏହି ସଂଖ୍ୟା ୩୯୦ ଥିଲା ବେଳେ ଦିଲ୍ଲୀରେ ୪୧୭ ରହିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଓଡ଼ିଶା ଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି।

ପୂର୍ବରୁ ଶ୍ରୀ ପ୍ରଧାନ ୱାର୍ଡ ସ୍ତରରେ ‘କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି’ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏ ଦିଗରେ ସରକାର ଏ ଯାଏ କୌଣସି ପଦକ୍ଷେପ ନେଇ ନାହାନ୍ତି। ଆଜି ସେହି ପ୍ରସ୍ତାବକୁ ପୁଣି ଦୋହରାଇବା ସହ ସଙ୍କଟ ସମୟରେ ସର୍ବସମ୍ମତ ମତ ସମ୍ମାନ ଦେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ଶାସନ ସମ୍ଭାଳିବା ନିମନେନ୍ତେ ବହୁମତର ଆବଶ୍ୟକତା ଥାଏ। କିନ୍ତୁ ଯେତେବେଳେ ଜାତୀୟ ବିପତ୍ତି ହୁଏ ବା ସଙ୍କଟ ଆସେ, ସେତେବେଳେ ‘କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି’ ଗଠନ ହେବାର ଆବଶ୍ୟକତା ଥାଏ ଏବଂ ସର୍ବମତକୁ ପ୍ରାଥମିକତା ଦେବାର ଆବଶ୍ୟକତା ଥାଏ । ସବୁ ରାଜନୈତିକ ଦଳ, ସମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଛୋଟ ମଠ, ମନ୍ଦିର, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହ ତଥା ଏ ସମସ୍ତଙ୍କୁ ମିଶାଇ ବହୁମତକୁ ଏକାଠି କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି। ଏହା ହିଁ ପରିପକ୍ୱ ଗଣତନ୍ତ୍ରରେ ବଡ଼ ଆବଶ୍ୟକତା।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶ ଏବଂ ରାଜ୍ୟ କରୋନାର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଆ ଲୋକମାନେ ଚିନ୍ତାରେ ଅଛନ୍ତି। କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଷ୍ଟିଂ ବଢ଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଣ୍ଟ୍‌ କରିବା ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତ୍ରିନାଥ ରେଡ୍ଡି ଏକ ଖବରକାଗଜରେ ଏହି କଥାକୁ ପ୍ରାଥମିକତା ଦେଇଛନ୍ତି। କିନ୍ତୁ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଲୋକଙ୍କ ମନରେ କରୋନା ପ୍ରତି ଭୟ ଓ ଭ୍ରାନ୍ତି ଧାରଣା ଥିବାରୁ ଲୋକମାନେ ଟେଷ୍ଟିଂ କରିବାକୁ ଆସୁନାହାନ୍ତି। ବ୍ୟବସ୍ଥା ସତ୍ତ୍ବେ ନାଗରିକମାନେ ଟେଷ୍ଟିଂ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ। ଜନଜାତି ବସତି ଅଞ୍ଚଳରେ ଟେଷ୍ଟିଂ ପାଇଁ ଅଧିକ କୁଣ୍ଠାବୋଧ ଦେଖାଯାଇଛି। ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମାଜ ଓ ଆମ ସମସ୍ତଙ୍କର ଦାୟିତ୍ୱ । ସବୁ ପ୍ରକାର ଭେଦଭାବକୁ ଭୁଲି ଏ ଜଟିଳ ପରିସ୍ଥିତିରୁ ସମାଜକୁ ମୁକୁଳାଇବା ପାଇଁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଂଟକୁ ପ୍ରାଥମିକତା ଦେବା ପାଇଁ ପଡ଼ିବ। ଦେଶର ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳରେ ଧୀରେ ଧୀରେ କରୋନାର ସ୍ଥିତାବସ୍ଥା ସୁଧୁରୁଛି । ଦକ୍ଷଣାଞ୍ଚଳରେ ଏବେ କରୋନା ତା’ର ରୂପ ଦେଖାଉଛି। ଏହାକୁ ଧୈର୍ଯ୍ୟର ସହ ବୁଦ୍ଧି ଓ ସାହାସ ଦେଖାଇ ସମାଜ କରୋନା ମୁକାବିଲାର ସାମ୍ନା କରୁଛି । ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର, ସାମାଜିକ ସଂଗଠନ, ନାଗରିକମାନେ ଏଭଳି ଅଭାବନୀୟ ସ୍ଥିତିକୁ ସାମ୍ନା କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କରୋନା ଯୋଦ୍ଧା ବିଶେଷ ଭାବରେ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡିକାଲ, ପୁଲିସ ପ୍ରଶାସନ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଲୋକମାନେ, ଗ୍ୟାସ ଡେଲିଭରି ବଏ ସମସ୍ତେ ଏହି ସମୟରେ ସେବା ଯୋଗାଇ ଆସୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର