ଚିନ୍ତା ବଢ଼ାଇଲାଣି ଟ୍ରେନ୍‌ ଉପରକୁ ପଥର ମାଡ଼, ୮ ମାସ‌ରେ ୧୮ ଘଟଣା

୨୦୧୮ରେ ଭୁବନେଶ୍ବରରେ ସର୍ବାଧିକ, ୨୦୧୯ରେ ଯାଜପୁର କେନ୍ଦୁଝର ରୋଡରେ ୪ ଘଟଣା

ଭୁବନେଶ୍ବର : ଟ୍ରେନ୍‌ ଉପରକୁ ପଥର ଫୋପାଡ଼ିବା ଘଟଣା ପୂର୍ବତଟ ‌ରେଳପଥର ନିଦ ହଜାଇଲାଣି। ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଯୁବକ ଓ ପିଲାମାନେ ଖେଳ ହେଉ କିମ୍ବା ମଜା ନେବା ପାଇଁ ଚଳନ୍ତା ଟ୍ରେନକୁ ପଥର ଫିଙ୍ଗୁଛନ୍ତି। କିନ୍ତୁ ଏଥିରେ ଟ୍ରେନ୍‌ରେ ଥିବା ଥିବା ଯାତ୍ରୀମାନେ ଆହତ ହେଉଛନ୍ତି। ଟ୍ରେନ୍‌ କର୍ମଚାରୀମାନେ ବି ଏଥିରୁ ବର୍ତ୍ତିପାରୁ ନାହାନ୍ତି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଏଭଳି ବିପଦପୂର୍ଣ୍ଣ ଘଟଣାକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ରେଳପଥ ସୁରକ୍ଷା ହେଲ୍‌ପ ଲାଇନ ନମ୍ବର ‘୧୮୨’ରେ ଜଣାଇବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ଭୁବନେଶ୍ୱରରେ ୬ଟି, କଟକରେ ୨ଟି ଓ ସମ୍ବଲପୁର ରେଳମଣ୍ଡଳରେ ୨ଟି ଘଟଣା ସହ ଚଳନ୍ତା ଟ୍ରେନ୍‌ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ୨୦୧୯ ଅଗଷ୍ଟ ସୁଦ୍ଧା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୮ଟି ଘଟଣା ଘଟିଛି। ଯାଜପୁର କେନ୍ଦୁଝର ରୋଡ୍‌ ଅଞ୍ଚଳରେ ୪ଟି ଘଟଣା ହୋଇଥିବା ବେଳେ ଭୁବନେଶ୍ୱର ଓ ବିଶାଖାପାଟଣା ଅଞ୍ଚଳରେ ୩ଟି ଲେଖାଏଁ ଓ ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ୍‌, ଅନୁଗୁଳ ଓ କୋରାପୁଟ ଅଞ୍ଚଳରେ ଗୋଟିଏ ଲେଖାଏଁ ଘଟଣା ଘଟିଛି। ଚଳନ୍ତା ଟ୍ରେନ୍‌ରୁ ଉପରକୁ ପଥର ଫିଙ୍ଗା ଘଟଣାରେ କେତେକ ଯାତ୍ରୀ ଗୁରୁତର ଆହତ ହେଉଥିବା ଘଟଣା ନଜରକୁ ଆସିଛି। ଅନେକ ଯାତ୍ରୀ ଏ ବିଷୟରେ ଅଭିଯୋଗ ଆଣିଥିବା ବେଳେ ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ ବଗିର ଝରକା କାଚ ମଧ୍ୟ ପ୍ରଭାବିତ ହେଇଛି। ଏଭଳି ଘଟଣାରେ ୨୦୧୮ରେ ଜଣଙ୍କୁ ଓ ୨୦୧୯ରେ ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି।

ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ପକ୍ଷରୁ ଟ୍ରେନ୍‌ ଉପରକୁ ପଥର ମାଡ଼ ହେଉଥିବା କେତେକ ସ୍ଥାନକୁ ଚିହ୍ନଟ କରାଯାଇଛି। ନିୟମିତ ବ୍ୟବଧାନରେ ସୁରକ୍ଷା ବଳ କର୍ମଚାରୀମାନଙ୍କ ଦ୍ୱାରା ରେଳଧାରଣା ନିକଟରେ ପ୍ରହରା ଦେଉଥିବା ବେଳେ ସାଧା ପୋଷାକରେ ମଧ୍ୟ ପଥରଫିଙ୍ଗା ଘଟଣା ସମ୍ବନ୍ଧରେ ନିରୀକ୍ଷଣ କରୁଛନ୍ତି। ଏହାବ୍ୟତୀତ ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପିଲାଙ୍କ ପିତାମାତାଙ୍କୁ ଏ ବିଷୟରେ ଅବଗତ କରାଯାଇ ସେମାନଙ୍କ ପିଲାମାନଙ୍କୁ ରେଳଧାରଣା ନିକଟକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଉଛି। ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମାସେ ହେଲା ପଥପ୍ରାନ୍ତ ନାଟକ, ପୋଷ୍ଟର, ବ୍ୟାନର, ପାମ୍ପଲେଟ ଓ ବ୍ରୋଚର ଆଦି ମାଧ୍ୟମରେ ସଚେତନତା କରାଯାଉଛି।

newindianexpress.com

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜା ରାମଙ୍କ ନେତୃତ୍ୱରେ ସୁରକ୍ଷା ବଳ ଦଳ ଚିହ୍ନିତ ସ୍ଥାନଗୁଡ଼ିକରେ ଯୁବଗୋଷ୍ଠୀ ଓ ପିଲାମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ବୁଝାସୁଝା କରୁଛନ୍ତି। ଟ୍ରେନରେ ଯାତାୟାତ କରୁଥିବା ନିଜ ସମ୍ପର୍କୀୟ କିମ୍ବା ପରିବାରବର୍ଗ ପଥର ଫିଙ୍ଗା ଯୋଗୁଁ ଆହତ ହୋଇପାରନ୍ତି ବୋଲି ସଚେତନତା କରାଯାଉଛି। ଏଭଳି ବିପଦକୁ ଦୃଢ଼ତାର ସହ ଓ ନିରନ୍ତର ପ୍ରୟାସ ମାଧ୍ୟମରେ ସମସ୍ୟାର ସମାଧାନ କରିବା ଜାରି ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର