ଝୁଲି ରହିଛି ୨ ଟାଇଗର ରିଜର୍ଭ ପ୍ରସ୍ତାବ : ୧୧ ବର୍ଷ ହେଲା ପ୍ରସ୍ତାବରେ ସୁନାବେଡା ଅଭୟାରଣ୍ୟ, ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ବି ପଠାଯାଇଛି ପ୍ରସ୍ତାବ

ଭୁବନେଶ୍ବର : ବର୍ଷେ କି ଦୁଇ ବର୍ଷ ନୁହେଁ, ଦଶନ୍ଧି ହେଲା ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ(ଟାଇଗର୍‌ ରିଜର୍ଭ) ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି। ୫ରୁ ଅଧିକ ଥର ଅନୁଧ୍ୟାନ ହୋଇଛି, ଏକାଧିକଥର ପ୍ରତିନିଧିଦଳ ଅଭୟାରଣ୍ୟ ଅନୁଧ୍ୟାନ କରିଛନ୍ତି। ଆଲୋଚନା ବି କରାଯାଇଛି। ତଥାପି ସଂରକ୍ଷିତ ଅଞ୍ଚଳ ଘୋଷଣା ଅପେକ୍ଷାରେ ରାଜ୍ୟର ଏହି ପ୍ରମୁଖ ଅଭୟାରଣ୍ୟ। କେବଳ ସୁନାବେଡ଼ା ନୁହେଁ, ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟକୁ ମଧ୍ୟ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମାନ୍ୟତା ଲାଗି ତିନି ବର୍ଷ ହେଲା ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଆଗେଇ ପାରୁନି। ଉଭୟ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମାନ୍ୟତା ନିଷ୍ପତ୍ତି ଏବେ ବି ଝୁଲି ରହିଛି।

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଓ ଅନୁଗୁଳ ଜିଲ୍ଲାର ସା‌ତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ପରେ ସୁନାବେଡ଼ା ଅଭୟାରଣ୍ୟକୁ ତୃତୀୟ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମାନ୍ୟତା ଦେବା ପାଇଁ ୨୦୦୮ରେ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିଲେ। ୬୦୦ ବର୍ଗକିମି ଅଞ୍ଚଳ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ବାଘ ରହୁଥିବା ବେଳେ ବଂଶବୃଦ୍ଧି ଲାଗି ସମସ୍ତ ପ୍ରକାର ସୁବିଧା‌ ସୁଯୋଗ ରହିଛି ବୋଲି ପ୍ରସ୍ତାବରେ ଦର୍ଶାଯାଇଥିଲା। କାରଣ ଏହାକୁ ଲାଗି ଛତିଶଗଡ଼ର ଉଦନ୍ତୀ ଓ ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ରହିଛି। ତଥ୍ୟ ଅନୁଯାୟୀ, ୯୦ ଦଶକରେ ଏଠାରେ ୩୨ଟି ମହାବଳ ବାଘ ଓ ୩୬ଟି କଲରାପତରିଆ ବାଘ ଥିଲେ। ଧୀରେ ଧୀରେ ଏହି ସଂଖ୍ୟା ହ୍ରାସ ପାଉଛି। ୨୦୧୬ରେ ରାଜ୍ୟ ସରକାରଙ୍କ ଗଣନା ଅନୁଯାୟୀ, ଏଠାରେ ୪ଟି ବାଘ ରହିଥିଲେ। ବାଘସଂଖ୍ୟା ବୃଦ୍ଧି କରିବା ପାଇଁ ଏକାଧିକ ଥର ପ୍ରୟାସ ହୋଇଥିଲେ ମଧ୍ୟ ସଫଳ ହୋଇପାରୁନି। ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମାନ୍ୟତା ଲାଗି ୨୦୧୬ ସୁଦ୍ଧା ଏହାର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ମାଓବାଦୀଙ୍କ ଧମକ ଓ କେତେକ ସଙ୍ଗଠନଙ୍କ ସ୍ବାର୍ଥ ରକ୍ଷା ପାଇଁ ମାନ୍ୟତା‌ ମିଳିବାରେ ବିଳମ୍ବ ହେଉଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

TravelTriangle

ଏବେ ପୁଣିଥରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ମାସରେ ଏନ୍‌ଟିସିଏ(ନ୍ୟାସନାଲ ଟାଇଗର କରଜରଭେସନ ଅଥରିଟି) ସମେତ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲାପାଳକଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଉଭୟ ରାଜ୍ୟର ସମନ୍ବୟରେ ସୁନାବେଡ଼ାକୁ କିଭଳି ସଂରକ୍ଷିତ ଅଞ୍ଚଳର ମାନ୍ୟତା ମିଳିବ, ସେନେଇ ବିଚାରବିମର୍ଶ ‌ହୋଇଛି। ବୈଠକରେ ହୋଇଥିବା ଆଲୋଚନାର ଏକ ରିପୋର୍ଟ ଉଭୟ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲା ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ଘୋଷଣା କରିବାକୁ ତିନି ବର୍ଷ ତଳେ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଦେବ୍ରିଗଡ଼ ଅଭୟାରଣ୍ୟ ଏବେ ୯୦୦ ବର୍ଗ କିମି ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି। ଏହାର ମଧ୍ୟ ଭାଗରେ ୫୦୦ ବର୍ଗ କିମିର ଘଞ୍ଚ ଜଙ୍ଗଲ ରହିଛି। ଏହାକୁ ୪ର୍ଥ ବ୍ୟାଘ୍ର ଅଭୟାରଣ୍ୟ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ। ତେବେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରିନି। ଅଭୟାରଣ୍ୟରେ ଲାଗିଥିବା କ୍ୟାମେରା ଟ୍ରାପ୍‌ରେ ଗତବର୍ଷ ଏକ ମହାବଳ ବାଘ ଚିହ୍ନଟ ହୋଇଥିଲା। ଏହାପରେ ମାନ୍ୟତା ଦାବି ଆହୁରି ଦୃଢ଼ ହୋଇଛି।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦେବ୍ରିଗଡ଼ ନେଇ ଏନ୍‌ଟିସିଏ ପକ୍ଷରୁ ୩ଟି ବିଷୟ ଉପରେ ମତ ଲୋଡ଼ା ଯାଇଥିଲା। ତାହାକୁ ସମୀକ୍ଷା କରାଯିବା ପରେ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିଲେ। ଅଭୟାରଣ୍ୟର ମାନଚିତ୍ର ଟିକିନିଖି ଅନୁଧ୍ୟାନ କରାଯିବା ପରେ ରିପୋର୍ଟ ଦାଖଲ ହୋଇଥିଲା। ଏନ୍‌ଟିସିଏର ପ୍ରତିନିଧିଦଳ ମଧ୍ୟ ଗତବର୍ଷ ଉକ୍ତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଆସିଥିଲେ। ବାଘ ବଂଶବୃଦ୍ଧି ଦିଗରେ ଏହି ଅଭୟାରଣ୍ୟ କେତେ ସହାୟକ ହୋଇପାରିବ, ସେନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି।

ସମ୍ବନ୍ଧିତ ଖବର