କଳାପଥର କେଳେଙ୍କାରୀ: ଜରିମାନା ହେଉଛି, ଆଦାୟ ହେଉନି

ଯାଜପର : ଲଘୁଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଲଘୁ ଖଣିଜ ସମ୍ପଦ କାରବାରକୁ ନିୟନ୍ତ୍ରଣ ପାଇଁ ରହିଥିବା ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବରୁ ଲୁଟ୍ ଚରମ ସୀମାରେ ପହଞ୍ଚିଛି। ବେଆଇନ୍ ଖାଦାନ ଓ ମେଗା କ୍ରସର ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନାମକୁ ମାତ୍ର ରାସ୍ତାଘାଟରେ ଗାଡ଼ି ଜବତ କରି ଡ୍ରାଇଭର ଓ ହେଲ୍‌ପର୍‌ମାନଙ୍କୁ ଗିରଫ କରି ​ପରୋକ୍ଷରେ ​କଳାପଥର କେଳେଙ୍କାରୀକୁ ପ୍ରୋତ୍ସାହିତ କରିବାରେ ଲାଗିଛି ପ୍ରଶାସନ। ବେଆଇନ୍‌ କାରବାର ଧରାପଡ଼ିଲେ ଜରିମାନା ହେଉଛି କିନ୍ତୁ ଅର୍ଥ ଆଦାୟ ହୋଇପାରୁନି। ଯାଜପୁର ଜିଲ୍ଲାପାଳଙ୍କ ଚିଠି ନମ୍ବର ୧୧୬୨ରେ ୨୨ ଜାନୁଆରି ୨୦୨୧ରେ ଜିଲ୍ଲାର ୧୦୬ କ୍ରସର ଉପରେ ୧କୋଟି ୧୦ଲକ୍ଷ ୭ହଜାର ୬୫୨ଟଙ୍କା ଜରିମାନା କରାଯାଇଥିଲା। ଏଥିମଧ୍ୟରେ କାଁ ଭାଁ କ୍ରସର ମାଲିକ ​ଜରିମାନା ଦେଇଛନ୍ତି। ଅଧିକାଂଶ ପ୍ରଭାବଶାଳୀ ମାଲିକ ପ୍ରଶାସନର ନିର୍ଦ୍ଦେଶକୁ ଖାତିର କଲେନାହିଁ। ସେହିପରି ୬ଜଣ ଲିଜଧାରୀଙ୍କ ଉପରେ ୧୭୩କୋଟି ଟଙ୍କା ଜରିମାନା ହୋଇଛି। ନିୟମ ଠାରୁ ଅଧିକ ଖନନ କରି ଚୋରାରେ ବିକ୍ରି କରିଛନ୍ତି ବୋଲି ଧର୍ମଶାଳା ତହସିଲ ଲିଜଧାରୀଙ୍କୁ ନୋଟିସ କରିଛି। ମାତ୍ର ଲିଜଧାରୀଙ୍କ ଠାରୁ ​ଜରିମାନା ଆଦାୟ ପ୍ରହସନରେ ପରିଣତ ହୋଇଛି।

ଡଙ୍କାରୀ ପାହାଡ଼ ଲିଜଧାରୀ ଶ୍ରୀବାସ ଜେନାଙ୍କ ଉପରେ ପ୍ରଶାସନ ୫୯କୋଟି ଟଙ୍କା ଜରିମାନା କରିଥିଲେ। ଶ୍ରୀ ଜେନା ଏହାକୁ କୋର୍ଟରେ ଚାଲେଞ୍ଜ କରି ରଦ୍ଦ କରିଦେଲେ। ପ୍ରଶାସନ ଚୁପ୍ ହୋଇବସିଛି। ସେହିପରି ଆରୁହା ପାହାଡ଼ରେ ତ୍ରିନାଥ ଜେନାଙ୍କ ନାମରେ ୯କୋଟି ୭୭ଲକ୍ଷ ଟଙ୍କା ଜରିମାନା ହୋଇଛି। ମାତ୍ର ଶ୍ରୀ ​ଜେନାଙ୍କୁ ଏହି ଖାଦାନ ଖୋଳିବା ପାଇଁ ପରିବେଶ ଅନୁମତି ମିଳିନଥିଲା। ସେ ୨୦୧୯ ମସିହାରୁ ଏହି ଖାଦାନକୁ ପରିବେଶ ମଞ୍ଜୁରି ​ମିଳୁନଥିବାରୁ ଫେରାଇ ଦେବା ପାଇଁ ତହସିଲକୁ ଲିଖିତ ଭାବେ ଜଣାଇଛନ୍ତି। ଅନୁମତି ମିଳିନଥିବା ଖାଦାନରୁ ସେ ଖନନ କଲେ କିପରି? ଲୋକାୟୁକ୍ତରେ କେସ ହେବା ପର୍ଯ୍ୟନ୍ତ ପ୍ରଶାସନ ନିରବ ରହିଲା କିପରି ବୋଲି ଶ୍ରୀ ଜେନା ପାଲଟା ପ୍ରଶ୍ନ କରିଛନ୍ତି। ସେହିପରି କିଛିମାସ ପୂର୍ବରୁ ୪ଜଣ ଲିଜ୍‌ଧାରୀ ସରୋଜ ରାଉତ, ରଞ୍ଜନ ଜେନା, ସାବିତ୍ରୀ ପରିଡ଼ା ଓ ତାଙ୍କ ସ୍ବାମୀ ଚନ୍ଦ୍ରମଣୀ ପରିଡାଙ୍କ ନାମରେ ମୋଟ ୧୦୫କୋଟି ଟଙ୍କା ଜରିମାନା କରିଛନ୍ତି। ଏଥି ମଧ୍ୟରୁ ସର୍ବାଧିକ ବେଆଇନ ଖନନ ନେଇ ନୋଟିସ ହୋଇଥିବା ସରୋଜ ରାଉତ(ଗେଡ଼) ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଚ୍ୟାଲେଞ୍ଜ କଲେଣି। ମୋଟାମୋଟି ଉପରେ ପ୍ରଶାସନ ଯେଉଁ ​ଜରିମାନା ଧାର୍ଯ୍ୟ କରୁଛି ତାହା ଆଦାୟ ହୋଇପାରୁନି। ଲିଜ୍‌ଧାରୀ ଓ କ୍ରସର ମାଲିକ ଆଇନ ଜାଲରେ ଛନ୍ଦି ହେବା ବଦଳରେ ପ୍ରଶାସନର ଅଡୁଆ ବଢ଼ାଉଛନ୍ତି।

ସମ୍ବନ୍ଧିତ ଖବର