ପାରାଦୀପରେ ଷ୍ଟୋନ୍‌ମ୍ୟାନ୍! : ଦୁଇ ମାନସିକ ବିକୃତଙ୍କୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର : ଆଜି ସକାଳେ ପାରାଦୀପର ନେହେରୁ ବଙ୍ଗଳା ନିକଟରେ ଦୁଇଜଣ ମାନସିକ ବିକୃତଙ୍କ କ୍ଷତାକ୍ତ ଶବ ମିଳିଛି। ଗୋଟିଏ ମୃତଦେହ ନେହେରୁ ବଙ୍ଗଳା ମାକେର୍ଟ୍ କମ୍ପ୍ଲେକ୍ସ୍ ନିକଟରେ ପଡ଼ିଥିବା ବେଳେ ଅନ୍ୟଟି ତା’ଠାରୁ ଦୁଇଶହ ମିଟର ଆଗକୁ ଥିବା ସାମୁଦ୍ରିକ ଥାନା ନିକଟରୁ ମିଳିଛି। ଦୁଇ ମୃତକଙ୍କ ମୁହଁ ଓ ମୁଣ୍ତରେ ଶକ୍ତ ଆଘାତ ଲାଗିଥିବାରୁ ଦୁହିଁଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ରିପୋର୍ଟ‌୍ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସକୁ କିଛି ସୁରାକ୍‌ ମିଳିପାରି ନାହିଁ। ଏହି ନୃଶଂସ ହତ୍ୟା ଘଟଣା ୮୦ ଦଶକରେ ମୁମ୍ବଇର ଫୁଟ୍‌ପାଥରେ ‌ଲୋକଙ୍କୁ ରହସ୍ୟମୟ ଭ‌ାବେ ପଥରରେ ଛେଚି ହତ୍ୟା କରୁଥିବା ଷ୍ଟୋନ୍‌ମ୍ୟାନ୍‌ କଥା ମନେ ପକାଇ ଦେଇଛି।

ସୂଚନା ଅନୁଯାୟୀ, ଦୁଇ ମୃତ ମାନସିକ ବିକୃତ ଯୁବକ ଦୀର୍ଘଦିନ ଧରି ପାରାଦୀପର ବିଭିନ୍ନ ସ୍ଥାନରେ ବୁଲୁଥିଲେ। ଏଭଳି ଦୁଇଜଣ ବ୍ୟକ୍ତିଙ୍କୁ କିଏ ଓ କାହିଁକି ନୃଶଂସ ଭାବେ ହତ୍ୟା କଲା, ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତା’ଛଡ଼ା, ଥାନା ନିକଟରେ ଗତକାଲି ରାତିରେ ଏପରି ଜଘନ୍ୟ କାଣ୍ଡ ଘଟିଥିଲେ ବି ନିକଟରେ ଥିବା ଥାନାର କର୍ମଚାରୀମାନେ କିପରି ସେ ସମ୍ପର୍କରେ କିଛି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସକାଳେ ପ୍ରଥମେ ନେହେରୁ ବଙ୍ଗଳା ମାକେର୍ଟ୍ କମ୍ପ୍ଲେକ୍ସ ନିକଟରେ ପଡ଼ିଥିବା ଶବଟିକୁ କେତେଜଣ ବ୍ୟବସାୟୀ ଦେଖିଥିଲେ। ତା’ ଠାରୁ କିଛି ଦୂରରେ ଆଉ ଏକ ମୃତଦେହ ପଡ଼ିଥିଲା। ରାସ୍ତାରେ ରକ୍ତ ପଡ଼ିଥିବାରୁ ଉକ୍ତ ମୃତଦେହକୁ କେହି ଘୋଷାଡ଼ି ଘୋଷାଡ଼ି ନେଇଥିବା ସ୍ପଷ୍ଟ ଭାବେ ବାରି ହେଉଥିଲା। ଖବର ପାଇ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏହା କୌଣସି ନିଶାଖୋର ବ୍ୟକ୍ତିର କାମ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ, ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବର୍ତ୍ତମାନ କିଛି କହିବା କଷ୍ଟକର ବୋଲି ସାମୁଦ୍ରିକ ଥାନା ଆଇଆଇସି ପ୍ରଦ୍ୟୁମ୍ନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର