ପୁରୀ ରଥଯାତ୍ରା ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି, ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତା ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା‌ରେ ଲକ୍ଷାଧିକ ଭକ୍ତ ଭୁବନେଶ୍ବର ଓ କଟକ ହୋଇ ପୁରୀ ଯିବେ। ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଉକ୍ତ ଦିନ ପାଇଁ ବ୍ୟାପକ ଟ୍ରାଫିକ୍‌ ବନ୍ଦୋବସ୍ତ ହୋଇଛି। କେମିତି ସୁରୁଖୁରୁରେ ଗାଡ଼ି ମୋଟର ଯିବା ଆସିବା କରିପାରିବ, କୌଣସି ସ୍ଥାନରେ ଅଘଟଣ ହେଲେ କେମିତି ତା’ର ମୁକାବିଲା କରାଯିବ, କେତେ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ, ଏନେଇ ଆଜି ସ˚ଧୢାରେ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଥଯାତ୍ରା ଦିନ ଭୁବନେଶ୍ବର ଓ କଟକରେ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥାକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ପୁରୀ ବ୍ୟତୀତ ଭୁବନେଶ୍ବର ଇସ୍କନ, କିଟ୍‌ ଓ ଆର‌୍‌ସିଏମ୍‌ ଭଳି ଅନେକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ବ୍ୟବସ୍ଥାରେ ଅନେକ ପରିବର୍ତନ ହେବ। କମିସନରେଟ୍‌ ପୁଲିସ ପକ୍ଷରୁ ଏ ନେଇ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି।

ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ହାଇଟେକ୍‌ ଛକରେ କେତେକ ଟ୍ରାଫିକ୍‌ କଟକଣା କରାଯାଇଛି। କଟକ ପଟୁ ପୁରୀକୁ ଯିବାକୁ ଥିବା ସମସ୍ତ ଭାରୀଯାନ ଓ ହାଲୁକା ଯାନ ସପ୍ତସତୀ ମନ୍ଦିର ପୂର୍ବ ଛକ ନିକଟରେ ବାମକୁ ଡାଇଭର୍ସନ କରି ନୂଆ ବାଇପାସ୍‌ ରାସ୍ତା ବାଟେ ଯିବେ। ଖୋର୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନକୁ ପୂର୍ବଭଳି ପିତାପଲ୍ଲୀ ନିକଟରୁ ଡାଇଭର୍ସନ କରାଯିବ। କେବଳ ବସ୍‌ଗୁଡ଼ିକୁ ସହର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ପୁରୀକୁ ଯାଉଥିବା ବସ୍‌ଗୁଡ଼ିକୁ ସୁନିୟନ୍ତ୍ରିତ ଭାବେ ଛଡ଼ାଯିବ। ଜାତୀୟ ରାଜପଥ ୨୦୩ ଓ ୨୧୬ରେ ମଧୢ ଟ୍ରାଫିକ୍‌ ପୁଲିସ ଜଗି ରହିବେ। କେବଳ ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ବର ସୃଷ୍ଟି ହେବାକୁ ଥିବା ଟ୍ରାଫିକ୍‌ ସମସ୍ୟାର ନିୟନ୍ତ୍ରଣ ପାଇଁ ଜଣେ ଟ୍ରାଫିକ୍‌ ଏସିପିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କ ଅଧୀନରେ ୩୨ ଜଣ ଅଫିସର, ୪ ପ୍ଲାଟୁନ୍‌ ଫୋର୍ସ, ୧୪୦ ଜଣ ହୋମଗାର୍ଡ, ୨୫୦ ଜଣ ସ୍ବେଚ୍ଛାସେବୀ ଓ ୨୦୦ ଜଣ ଏନ୍‌ସିସି କ୍ୟାଡେଟ୍‌ ନିୟୋଜିତ ହେବେ। ସକାଳ ୬ଟାରୁ ପଳାଶୁଣୀଠାରୁ ସାମନ୍ତରାପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ୭ଟି ଟ୍ରାଫିକ୍‌ ଏଡ୍‌ପୋଷ୍ଟ ନିମାର୍ଣ ହେବ। କଟକରୋଡରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭ଟି ଟ୍ରାଫିକ୍‌ ଏଡପୋଷ୍ଟ ନିର୍ମାଣ କରାଯାଇଛି। ସେହିପରି ଇସ୍କନ ରଥଯାତ୍ରା ପାଇଁ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ୮ପ୍ଲାଟୁନ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ହେବେ। ନିଜେ ଡିସିପି ଅନୁପ ସାହୁ ପ୍ରତ୍ୟକ୍ଷ ଭାବେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ। ଇସ୍କନ ରଥଯାତ୍ରା ଆରମ୍ଭ ହେବା କ୍ଷଣି ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ୍‌‌‌ରେ କେତେକ ପରିବର୍ତ୍ତନ ହେବ।

ସମ୍ବନ୍ଧିତ ଖବର