ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ଦାବି କଲା ଛାତ୍ର କଂଗ୍ରେସ

ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ବର : ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଆଜି ଏ ନେଇ ସଂଗଠନର ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଅର୍ଣ୍ଣବ ଜଣେ ଦେଶଦ୍ରୋହୀ ବୋଲି ସାରା ଦେଶ ଜାଣି ସାରିଲାଣି। ମାତ୍ର ଆନ୍ଦୋଳନରତ କୃଷକଙ୍କୁ ଦେଶଦ୍ରୋହୀ କହୁଥିବା ପ୍ରଧାନମନ୍ତ୍ରୀ ଓ ବିଜେପି ଅର୍ଣ୍ଣବଙ୍କୁ ଦେଶଦ୍ରୋହୀ କହିବାକୁ ଅମଙ୍ଗ। ଅର୍ଣ୍ଣବ ଓ ରିପବ୍ଲିକ୍ ଟିଭି ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବାଲାକୋଟ ଆକ୍ରମଣର ତିନି ଦିନ ପୂର୍ବରୁ ଏ ସମ୍ପର୍କରେ ଅର୍ଣ୍ଣବ ଜାଣିଲେ କିପରି ? ଏ ଦେଶର ପ୍ରତିରକ୍ଷା ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଅର୍ଣ୍ଣବଙ୍କ ପ୍ରଭାବ ରହିଥିବା ଜଣାପଡ଼ୁଛି। ଅର୍ଣ୍ଣବଙ୍କୁ ଏ ତଥ୍ୟ ଯୋଗାଇ ଦିଆଯାଇଛି ନା ସେ ତଥ୍ୟ ଚୋରି କରିଛନ୍ତି, ଏ ସମ୍ପର୍କରେ ଦେଶବାସୀଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ବିବୃତି ଦିଅନ୍ତୁ। ଏହା ସହ ରିପବ୍ଲିକ୍‌ ଟିଭିକୁ ସମ୍ପୂର୍ଣ୍ଣ ଅସିଦ୍ଧ ଘୋଷଣା କରିବା ସହ ଅର୍ଣ୍ଣବଙ୍କୁ ଦେଶଦ୍ରୋହ ଅପରାଧରେ ଦଣ୍ଡିତ କରିବାକୁ ସେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିହାର ରଞ୍ଜନ ‌େବହେରା, ବାବୁ ଜେନା, କାର୍ତ୍ତିକ କାଣ୍ଡି, ବିପ୍ଳବ ପରିଡ଼ା, ଅବିନାଶ ନନ୍ଦ, ରେହମାନ୍ ଖାନ୍, ଯୁବରାଜ ମହାନ୍ତି ଓ ବିଶ୍ବଭୂଷଣ ମହାପାତ୍ରଙ୍କ ସମେତ ବହୁ ଛାତ୍ର କଂଗ୍ରେସ ନେତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର