ପୁଣି ସେଲ୍ଫି ହେଲା କାଳ : ଭୀମକୁଣ୍ଡରେ ବୁଡ଼ିଗଲେ ଛାତ୍ର

ପାଟଣା/ଘଟଗାଁ : ସେଲ୍ଫି ଉଠାଇବାର ନିଶା ପୁଣି ଏକ ଜୀବନକୁ ଅନ୍ଧକାର ଭିତରକୁ ଠେଲିନେଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ଭୀମକୁଣ୍ଡରେ ଆଜି ଜଣେ ଯୁକ୍ତ ୨ ଛାତ୍ର ବୁଡ଼ିଯାଇଛନ୍ତି।

ନିଖୋଜ ଛାତ୍ରଙ୍କ ନାମ ରୋହନ କୁମାର ମିଶ୍ର (୧୮)। ସେ କଟକ ମଧୁପାଟଣାର ଏକ ଘରୋଇ ସ୍କୁଲ୍‌ରେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିଲେ। ତାଙ୍କ ଘର କଟକ, ମଧୁପାଟଣା ଥାନା ନୂଆପଡ଼ା ଲେବର କଲୋନିରେ ବୋଲି ଜଣାପଡ଼ିଛି। ଆଜି ସଂପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନରୁ ୨୯ ଛାତ୍ରଛାତ୍ରୀ ଓ ୮ ଜଣ କର୍ମଚାର ମିଶି ଏକ ବସ୍‌ରେ ପିକ୍‌ନିକ୍‌ ପାଇଁ ଏଠାକୁ ଆସିଥିଲେ। ସମସ୍ତେ ମଉଜମସ୍ତି କରୁଥିଲାବେଳେ ପ୍ରଥମ କୁଣ୍ଡ ନିକଟରେ ରୋହନ ସେଲ୍ଫି ନେଉଥିଲେ। ଏକ ପଥର ଉପରେ ସେ ଛିଡ଼ାହୋଇଥିଲେ। ପଥର ଖସିଯିବାରୁ ପାଣି ସୁଅରେ ପଡ଼ିଯାଇଥିଲେ। ୫୦ ଫୁଟ ଦୂରଯାଏ ସେ ଭାସୁଥିବା ଦେଖାଯାଉଥିଲା। ହେଲେ କେହି ଉଦ୍ଧାର କରିବାକୁ ସକ୍ଷମ ହୋଇନଥିଲେ। ସେଲ୍ଫି ନେଲାବେଳେ ତାଙ୍କ ଭାଇ ଥିଲେ ମଧ୍ୟ କିଛି କରିପାରିନଥିଲେ। ଶେଷରେ ଭାସିଭାସି ଯାଇ ସେ ମୁଖ୍ୟ କୁଣ୍ଡରେ ପଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ଅଧିକାରୀ ମନୋରଂଜନ ମହାନ୍ତଙ୍କ ନେତୃତ୍ବରେ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନାହାନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେବଳ ମକର ସଂକ୍ରାନ୍ତିରେ ଲୋକଙ୍କ ସୁରକ୍ଷା ପାଇଁ ଏଠାରେ ପୁଲିସ୍‌ ଜଗି ରହିଥା’ନ୍ତି। ଯଦିଓ ବର୍ଷତମାମ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଚାଲିଛି। ଗତ ୫ ବର୍ଷ ଭିତରେ ପାଖାପାଖି ୧୫ ଜଣ ଭୀମକୁଣ୍ଡରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର