ପରୀକ୍ଷାଫଳର ୪ ମାସ ପରେ ବି ମିଳୁନି ସିଟି ମାର୍କସିଟ୍‌

ଚାକିରି, ଉଚ୍ଚଶିକ୍ଷାରୁ ବଞ୍ଚିତ ସିଟି ଛାତ୍ରଛାତ୍ରୀ; ବେଫିକର ବୋର୍ଡ

କଟକ :୨୦୧୮ ଅକ୍ଟୋବରରେ ପରୀକ୍ଷା ହେଲା। ୨୦୧୯ ଫେବ୍ରୁଆରିରେ ଫଳ ବାହାରିଲା। ନିୟମ ଅନୁଯାୟୀ, ତିନି ସପ୍ତାହ ମଧ୍ୟରେ ମାର୍କସିଟ ଏବଂ ଅନ୍ୟ ପ୍ରମାଣପତ୍ର ମିଳିବା କଥା। କିନ୍ତୁ ପରୀକ୍ଷାଫଳ ପ୍ରକାଶନକୁ ଚାରି ମାସ ବିତିଯାଇଥିଲେ ବି ଏ ଯାଏ ଛାତ୍ରଛାତ୍ରୀଙ୍କୁ ନା ମିଳିଛି ମାର୍କସିଟ ନା ମିଳିଛି ପ୍ରୋଭିଜନାଲ ସାର୍ଟିଫିକେଟ। ମାଟ୍ରିକ ତଥା ସିଟି ପରୀକ୍ଷାରେ ପରିଚାଳନାଗତ ତ୍ରୁଟିକୁ ନେଇ ସବୁବେଳେ ସମାଲୋଚନାର ଶରବ୍ୟ ହେଉଥିବା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ନାଁରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ବୋର୍ଡ ଦ୍ବାରା ପରିଚାଳିତ ସିଟି ପରୀକ୍ଷାକୁ ଆଠ ମାସ ଏବଂ ପରୀକ୍ଷାଫଳ ପ୍ରକାଶନକୁ ଚାରି ମାସ ବିତିଯାଇଥିବାବେଳେ ବି ଛାତ୍ରଛାତ୍ରୀଙ୍କୁ ଏ ଯାଏ ମାର୍କସିଟ କିମ୍ବା ଅନ୍ୟ ପ୍ରମାଣପତ୍ର ମିଳିନାହିଁ। ଫଳରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଅବା ଚାକିରି କ୍ଷେତ୍ରରେ ସିଟି ପରୀକ୍ଷାର କୌଣସି ପ୍ରମାଣପତ୍ର ନ ଦେଇ ପାରି ସୁଯୋଗରୁ ବଞ୍ଚିତ ହେଉଛନ୍ତି।

ସୂଚନା ଅନୁଯାୟୀ, ଧନ୍ଦାମୂଳକ ଶିକ୍ଷା ସିଟିରେ ନାମଲେଖା ପାଇଁ ରାଜ୍ୟରେ ୩୦ଟି ଡିଆଇଇଟି(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ), ୪ଟି ବ୍ଳକ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ ଏବଂ ୩୨ଟି ଏଲିମେଣ୍ଟାରୀ ଟିଚର ଏଜୁକେସନ ଟ୍ରେନିଂ ଇନଷ୍ଟିଚ୍ୟୁଟ(ଏଟିଇଟିଆଇ) ରହିଛି। ପ୍ରତି ଜିଲ୍ଲାରେ ‌ଗୋଟିଏ ଲେଖାଏଁ ଡିଆଇଇଟି ରହିଥିବାବେଳେ ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ,କୋରାପୁଟର ଉମରକୋଟ ଆଦି ସ୍ଥାନରେ ବ୍ଳକ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ ସେଣ୍ଟର ରହିଛି। କଟକର ଆରଏନଟି, ଥମ୍ପସନ, ଆଠଗଡ, ବାଙ୍କୀ ଏବଂ ଅନ୍ୟ ସ୍ଥାନଗୁଡିକରେ ୩୨ଟି ଏଲିମେଣ୍ଟାରୀ ଟିଚର ଏଜୁକେସନ ଟ୍ରେନିଂ ଇନଷ୍ଟିଚ୍ୟୁଟ(ଏଟିଇଟିଆଇ) ରହିଛି। ଏହିସବୁ ସିଟି ସ୍କୁଲମାନଙ୍କରେ ପ୍ରାୟ ଛଅ ହଜାର ସିଟ ରହିଛି। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହିସବୁ ସ୍କୁଲମାନଙ୍କରେ ଗତ ୨୦୧୮ ଅକ୍ଟୋବର ୨୨ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୦୧୯ ଫେବ୍ରୁଆରି ୧ ତାରିଖରେ ସିଟି ପରୀକ୍ଷାର ଫାଇନାଲ ପରୀକ୍ଷାଫଳ ବାହାରିଥିଲା। ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ‌ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାକୁ ଡାଉନଲୋଡ କରି ମାର୍କସିଟ ହାସଲ କରିଥିଲେ। ନିୟମ ଅନୁଯାୟୀ, ପରୀକ୍ଷାଫଳ ବାହାରିବାର ଦୁଇରୁ ତିନି ସପ୍ତାହ ମଧ୍ୟରେ ମାର୍କସିଟ, ପ୍ରୋଭିଜିନାଲ ସାର୍ଟିଫିକେଟ, ସ୍କୁଲ ଲିଭିଙ୍ଗ ଆଦି ମିଳିବା କଥା। କିନ୍ତୁ ଇତିମଧ୍ୟରେ ଚାରିମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ବୋର୍ଡ ତରଫରୁ ଛାତ୍ରଛାତ୍ରୀଙ୍କୁ ମାର୍କସିଟ କିମ୍ବା ଅନ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯାଇ ନାହିଁ। ଏ ନେଇ ଛାତ୍ରଛାତ୍ରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ‌ପ୍ରମାଣପତ୍ର ସମ୍ବନ୍ଧୀୟ କୌଣସି କାଗଜ ମାଗିଲେ କର୍ତ୍ତୃପକ୍ଷ ଏ ନେଇ ନିଜର ଅକ୍ଷମତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଛାତ୍ରଛାତ୍ରୀମାନେ କୌଣସି ସାକ୍ଷାତକାରର ସାମନା କରିପାରୁ ନ ଥିବାବେଳେ ସମୟ ଗଡାଇବା ଦ୍ବାରା ମାନସିକ ଚାପର ଶିକାର ହେଉଛନ୍ତି। ଏହି କାରଣ ଯୋଗୁ ଛାତ୍ରଛାତ୍ରୀମାନେ ଗତ ମାସରେ ଅନୁଷ୍ଠିତ କେନ୍ଦ୍ର ସରକ‌ାରଙ୍କ ଦ୍ବାରା ପରିଚାଳିତ ସିଟିଇଟି ଏଣ୍ଟ୍ରାନସ ପରୀକ୍ଷା ଦେଇ ପାରି ନ ଥିବା ଅଭିଯୋଗ ହୋଇଛି। ତେବେ ମାର୍କସିଟ ମିଳିବାରେ ବିଳମ୍ବ ସମ୍ପର୍କରେ ଛାତ୍ରଛାତ୍ରୀମାନେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ବୋର୍ଡ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏ ନେଇ କୌଣସି ଉତ୍ତର ମିଳୁ ନାହିଁ। ଅନ୍ୟପଟେ ଏ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାଶଙ୍କୁ ଟ୍ବିଟର ଯୋଗେ ଅବଗତ କରାଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳି ନ ଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ବୋର୍ଡ ସଭାପତି ଡକ୍ଟର ଜାହାନା ଆରା ବେଗମ କହିଛନ୍ତି ଯେ ସେ ସିଟି ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ପଚାଶ ହଜାରରୁ ଅଧିକ ସିଟି ପାସଧାରୀ ଅଛନ୍ତି। ଗତବର୍ଷ ଏଥିରେ ନାମଲେଖାଇବା ପାଇଁ ଅନୁଷ୍ଠିତ ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ ‌େହାଇଯିବା ଫଳରେ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏ ବର୍ଷ ମଧ୍ୟ ଓଟିଇଟି ପରୀକ୍ଷା ହୋଇନାହିଁ।

ସମ୍ବନ୍ଧିତ ଖବର