ବିଦାୟ ରଣଜିତ : ସୁବ୍ରତ ବାଗ୍‌ଚୀ

ଜୀବନର ଉତ୍‌ଥାନ ପତନ ମଧ୍ୟରେ, ଯିବା ଆସିବା ଅନିବାର୍ଯ୍ୟ। ଅନିଶ୍ଚିତତାକୁ ବହୁ ନିକଟରୁ ଅନେକ ଥର ଦେଖିବାପରେ, ମୋର ଅହଙ୍କାର ଥିଲା ଯେ ମୁଁ କୌଣସି ଘଟଣାରେ କେବେ ହେଲେ ଆଶ୍ଚର୍ଯ୍ୟ ହେବି ନାହିଁ। କିଛି ସମୟ ପାଇଁ ବ୍ୟାକୁଳ, ବ୍ୟଥିତ ହୋଇପାରେ ଯଦିଓ। କିନ୍ତୁ ରଣଜିତ୍‌ଙ୍କ ଖବର ମୋତେ ସ˚ପୂର୍ଣ୍ଣ ଭାବରେ ସ୍ତବ୍ଧ କରି ଦେଇଥିଲା। ଏତେ ଅଳ୍ପ ବୟସରେ, ଏତେ ଦକ୍ଷ, ନମ୍ର, କଠିନ ପରିଶ୍ରମୀ, ଶତ ପ୍ରତିଶତ ପ୍ରଫେସନାଲ୍‌ ମଣିଷଟିଏ ହଠାତ୍‌ ଆମ ପାଖରୁ ଚିରଦିନ ପାଇଁ ଚାଲିଗଲେ କେମିତି? କାହିଁକି?

୨୦୧୬ରେ ପ୍ରଥମଥର ପାଇଁ ମୁଁ ଯେତେବେଳେ ଦକ୍ଷତା ବିକାଶ ପ୍ରାଧିକରଣର ଦାୟିତ୍ବ ନେଇଥିଲି, ସେତେବେଳେ ରଣଜିତଙ୍କୁ ପ୍ରଥମ ଚିହ୍ନିଲି। ଓଡ଼ିଶାର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଧ୍ୟାନ କଲାପରେ, ଓଡ଼ିଆ ପୁଅଝିଅଙ୍କ ସହ ମିଶିବା ପରେ, ମନକୁ ଆସିଥିଲା, ଆମ ଓଡ଼ିଶା ସ˚ଭାବନାର ଭୂମି। ସେତେବେଳେ ଉପଲବ୍ଧି କଲି ଯେ ଆମର ପୁଅଝିଅମାନଙ୍କୁ ବିଶ୍ବମାନର ଗଢ଼ି ତୋଳିବାକୁ ଆହୁରି ଅନେକ କିଛି ପଦକ୍ଷେପ ନେବାକୁ ହେବ। ସେମାନଙ୍କୁ ବିଶ୍ବସ୍ତରକୁ ନେବାପାଇଁ, ସେମାନଙ୍କର ପରିଭାଷା ଓ ଚିନ୍ତାଧାରାକୁ ବଦଳାଇବାକୁ ହେବ। ମନକୁ ଆସିଲା, ‘ସମ୍ବାଦ’ର ଶ୍ରୀମତୀ ମୋନିକା ପଟ୍ଟନାୟକଙ୍କୁ କହିବି, ମତେ ଏଭଳି ସ୍ତମ୍ଭଟିଏ ଲେଖିବାକୁ ଦିଆଯାଉ ଯାହାଦ୍ବାରା ହଜାର ହଜାର ଯୁବକ ଯୁବତୀଙ୍କ ନିକଟରେ ଏକ ନୂତନ ଚିନ୍ତାଧାରା ପହଞ୍ଚି ପାରିବ। ଶ୍ରୀମତୀ ପଟ୍ଟନାୟକ ମୋତେ ଗୌରହରିଙ୍କ ପାଖକୁ ନେଇ ଯାଇଥିଲେ। ସେଇଠି ସ୍ଥିର ହେଲା ଯେ ‘ବିଶ୍ବବିଜୟୀ’ ସ୍ତମ୍ଭଟି ଆରମ୍ଭ ହେବ। ଏହାର ସ˚ପାଦନା ଦାୟିତ୍ବ ନିର୍ବାହ କରିବେ ରଣଜିତ୍‌। ତାଙ୍କ ସାଙ୍ଗରେ ପ୍ରଥମ ପରିଚୟରୁ ହିଁ ମୁଁ ତାଙ୍କର ବୌଦ୍ଧିକ ଗାମ୍ଭୀର୍ଯ୍ୟତାକୁ ଅନୁଭବ କରି ମୁଗ୍ଧ ହୋଇ ଯାଇଥିଲି। ଅଳ୍ପଭାଷୀ ମଣିଷ। ନିଜର ବକ୍ତବ୍ୟକୁ ପ୍ରାଧାନ୍ୟ ନ ଦେଇ ସେ ପ୍ରଥମେ ଅନ୍ୟ ମଣିଷର କଥା ଶୁଣିବାକୁ ଗୁରୁତ୍ବ ଦିଅନ୍ତି। ସାଙ୍ଗେ ସାଙ୍ଗେ ବୁଝିଯାଆନ୍ତି, ସ୍ତମ୍ଭକାର କ’ଣ କହୁଛି, କ’ଣ କହିବାକୁ ଚାହିଁଛି ଏବ˚ ଦୁଇଟି ମଧ୍ୟରେ ପାର୍ଥକ୍ୟ କେତେ? ଠିକ୍‌ ଯେତିକି ଉପଦେଶ ଦରକାର, ସେତିକି କହି ଦେଇ ପଚାରନ୍ତି, ଲେଖାଟି କେବେ ଶେଷ କରିପାରିବେ? ଏହିପରି ଭାବରେ ‘ବିଶ୍ବବିଜୟୀ’ ଆରମ୍ଭ ହୋଇଥିଲା।

ଗତବର୍ଷ ତାଙ୍କ ସହ ଶେଷ ସାକ୍ଷାତ ହୋଇଥିଲା ବରଗଡ଼ରେ ‘ସମ୍ବାଦ’ ପରିବାର ଦ୍ବାରା ଆୟୋଜିତ ହୋଇଥିବା ଅସ୍ମିତା-୨୦୧୮, ଜୁଗାର‌୍‌ ପଞ୍ଚମ ବାର୍ଷିକ ସମ୍ମେଳନରେ। ତାଙ୍କ ଭାଷଣରେ ଭରି ରହିଥିଲା ଦେଶ ଓ ସମାଜ ପାଇଁ ଗଭୀର ଅନୁରାଗ, ଆଶା ଓ ଆକା˚କ୍ଷା। ତାଙ୍କ କଥା ଶୁଣି ମନକୁ ଆସିଲା ଯେ ତାଙ୍କ ଭଳି ଜଣେ ସାମ୍ବାଦିକ, ସ˚ପାଦକ ଏବ˚ ଲେଖକ ଓଡ଼ିଶାର ଗୌରବ। ସେ ଥିଲେ ଚିରାଚରିତ ଓ ଆନୁଷ୍ଠାନିକ ସ୍ବୀକୃତିର ବହୁ ଊର୍ଦ୍ଧ୍ବରେ, ନିଜ କାମରେ ସ˚ପୂର୍ଣ୍ଣ ଭାବେ ନିୟୋଜିତ, ସଦା କର୍ମରତ ମଣିଷଟିଏ। ତାଙ୍କ ଅନୁପସ୍ଥିତିକୁ ବିଶ୍ବାସ କରି ହେଉନାହିଁ। ଏବେ ବି ଲାଗୁଛି, ସତେ ଯେମିତି ଏହି ମୁହୂର୍ତ୍ତରେ ସେ ଫୋନ୍‌ କରିବେ, କହିବେ ଟିକେ ଅସୁସ୍ଥ ଥିଲି, ଏବେ କିନ୍ତୁ ଭଲ ଅଛି, ଲେଖା କେବେ ଦେବେ?

ସମ୍ବନ୍ଧିତ ଖବର