‘ଆଇଟିସିଏମ୍‌-୦୨’ର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର ଆଇଟିଆର୍‌ ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ବୁଧବାର ସକାଳ ୯ଟା ୫୩ ମିନିଟ୍‌ରେ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର (ପୂର୍ବରୁ ‘ନିର୍ଭୟ ନାମରେ ନାମିତ ଥିଲା) ‘ଆଇଟିସିଏମ୍-୦୨ର ସଫଳ ପରୀକ୍ଷଣ ହୋଇଛି।

ଆଗରୁ ‘ନିର୍ଭୟ’ କ୍ଷେପଣାସ୍ତ୍ରରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ ଏବେ ଉକ୍ତ କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ବିକଶିତ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ‘ମାଣିକ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରିଛି। ଯାହାଫଳରେ ଏହି କ୍ରୁଜ୍ କ୍ଷେପଣାସ୍ତ୍ର ଆହୁରି ଘାତକ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ‘ମାଣିକ୍‌ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌’ର ବିଶେଷତ୍ବ ହେଉଛି, ଏହି କ୍ଷେପଣାସ୍ତ୍ର କମ୍ ଶବ୍ଦରେ ଅଧିକ ବେଗରେ ଗତି କରି ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ। ‘ଆଇଟିସିଏମ୍ କ୍ଷେପଣାସ୍ତ୍ର’ର ଓଜନ ୧୫ ଶହ କିଲୋଗ୍ରାମ, ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଏବଂ ଡେଣାର ଲମ୍ବ ୨.୭ ମିଟର ରହିଛି। ଏହି କ୍ରୁଜ୍ କ୍ଷେପଣାସ୍ତ୍ରରେ ୨ ଶହରୁ ୩ ଶହ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚ ୧୨ ତାରିଖରେ ପରୀକ୍ଷଣ କରାଯାଇଥିବା ବେଳେ ଆଜି ନବମଥର ପାଇଁ ପରୀକ୍ଷା କରାଯାଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର