ପାର୍ଟି ଛାଡି ମୁଖ୍ୟସ୍ରୋତରେ ସାମିଲ ପାଇଁ ଆହ୍ବାନ ଦେଲେ ମାଓନେତା ସୁଧୀର

ମାଲକାନଗିରି: ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ସୁଧୀର ନାମରେ ଲୋକେ ଆତଙ୍କିତ ଓ ଭୟଭୀତ ହେଉଥିଲେ। ସୁଧୀର ଆସିଛି ଶୁଣିଲେ ଘରର ତାଟିକବାଟ ପଡିଯାଉଥିଲା। କୁଡୁମୁଲୁଗୁମ୍ମା ଦଳର କମାଣ୍ଡର ସୁଧୀର ଗତ ୫ ବର୍ଷ ଧରି ବିଛିନ୍ନାଞ୍ଚଳକୁ ନିଜ କବଜାକୁ ନେଇଥିଲେ। ଲୋକଙ୍କୁ ପ୍ରଜାକୋର୍ଟରେ ମାଡମାରିବା, ଲୁଟପାଟ କରିବା ସହ ପୁଲିସ ଉପରେ ଆକ୍ରମଣ କରିବା ତାଙ୍କର କାମ ଥିଲା। ସୁଧୀର ନାମରେ ଲୋକେ ଏତେ ଆତଙ୍କିତ ହୋଇପଡିଥିଲେ ଯେ ମାଲକାନଗିରି ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା।

ମାଓନେତା ସୁଧୀରକୁ ମୃତ୍ୟୁ କିମ୍ବା ଜୀବନ୍ତ ଧରିବା ପାଇଁ ପୁଲିସ ଦିନରାତି ଏକ କରି ଦେଇଥିଲେ। ମାଲକାନଗିରି ପୁଲିସ ଅପରେସନ ସୁଧିର ନାମରେ ଅଭିଯାନ ଆରମ୍ଭ କରି ଶେଷରେ ୨୦୧୯ ମସିହାରେ ସଫଳ ହୋଇଥିଲେ। ସୁଧୀରର ପ୍ରକୃତ ନାମ ଧନଞ୍ଜୟ ଗୋପ। ଘର କାଲିମେଳା ବ୍ଲକର ଏମ୍ପି‌ଭି ୩୧ ଗ୍ରାମ।

୨୦୦୬ ମସିହାରେ ଯେତେବେଳେ ତାକୁ ୧୫ ବର୍ଷ ବୟସ ହୋଇଥିଲା ଏବଂ ଦଶମରେ ପାଠ ପଢୁଥିଲା କାଲିମେଳା ଦଳର ମାଓ କମାଣ୍ଡର ଦାମୋଦରର ନେତୃତ୍ବରେ ସେ ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମେ ସେ ପାର୍ଟି ମେମ୍ବର ଭାବେ କାମ କରିଥିଲେ। ପରେ ଧିରେଧିରେ ସେ ପଦନ୍ନୋତି ପାଇ ଡିସିଏମ୍‌ କ୍ୟାଡର ବନିଥିଲେ। ୩୦୩ ବନ୍ଧୁକରୁ ଆରମ୍ଭ କରି ଏକେ-୪୭ ବନ୍ଧୁକ ପର୍ଯ୍ୟନ୍ତ ପହଞ୍ଚିଥିଲେ। ପାର୍ଟି ତାକୁ କୁଡୁମୁଲୁଗୁମ୍ମା ଦଳର ମୁଖ୍ୟ କରିଥିଲେ। କୁଡୁମୁଲୁଗୁମ୍ମା ଦଳର ମୁଖ୍ୟ ହେବା ପରେ ସେ ଆଉ ପଛକୁ ଫେରିନଥିଲେ। ପିଏଲ୍‌ଜିଏ ପ୍ଲାଟୁନ୍‌ରେ ସେ ସଦସ୍ୟ ହେବା ସହ ସବୁବେଳେ ପୁଲିସ ଉପରେ ଆକ୍ରମଣ କରିବା ନେଇ ରଣନୀତି ପ୍ରସ୍ତୁତ କରୁଥିଲେ। ଆସନ୍ତାକାଲି ଠାରୁ ସହିଦ ସପ୍ତାହ ପାଳନ ହେଉଥିବା ବେଳେ ସୁଧୀର ଏନେଇ ତାଙ୍କର ପ୍ରତିକ୍ରିୟା କଣ ତାଙ୍କୁ ଭେଟିଥିଲୁ। ଗତ ୨୦୧୯ ଫେବୃୟାରୀ ୨୪ ତାରିଖରେ ସେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ପାର୍ଟିରେ ଆଉ ପୂର୍ବ ଭଳି କୌଣସି ଉଦେଶ୍ୟ ନେଇ କାମ କରାଯାଉ ନାହିଁ। ଜଳ, ଜଙ୍ଗଲ ଜମି ପାଇଁ ଯେଉଁ ଲଢେଇ ଚାଲିଛି ତାହା ସଂପୂର୍ଣ୍ଣ ମିଥ୍ୟା। ପାର୍ଟିରେ ସବୁବେଳେ ଭେଦଭାବ ଲାଗି ରହିଲା। ସେ ଯେଉଁ ପ୍ଲାଟୁନରେ ଥିଲେ ତାର ସଚିବ କ୍ରିଷ୍ଣା ସହ ତାଙ୍କର ସବୁବେଳେ ବଚସା ହେଉଥିଲା। ଦୁହେଁ ପ୍ରବଳ ବିରୋଧୀ ହେଲେ। ସଙ୍ଗଠନରେ ସୁଧିରର କଥାକୁ ଗୁରୁତ୍ବ ଦିଆଗଲା ନାହିଁ। ଦୀର୍ଘ ୧୨ ବର୍ଷ କାମ କରିବା ପରେ ମଧ୍ୟ ସୁଧିର ନିଜକୁ ଏକଲା ମନେ କଲେ।

ଆନ୍ଧ୍ର ଓଡିଶା ବର୍ଡ଼ର କମିଟିର ସେକ୍ରେଟାରୀ ଉଦୟଙ୍କ ନିର୍ଦେଶରେ ସେ ସମସ୍ତ କାମ କରୁଥିବା କହିଥିଲେ। କେତେ ଥର ପୁଲିସ ଉପରେ ଆକ୍ରମଣ କରିଛ ବୋଲି ପଚାରିବାରୁ ପ୍ରାୟ ୧୫ରୁ ୨୦ ଥର ଆକ୍ରମଣ କରିଛି ବୋଲି ସେ କହିଥିଲେ।ତେବେ କିପରି ତମେ ପୁଲିସ ଗୁଳିରୁ ବର୍ତ୍ତିଯାଉଥିଲ ବୋଲି ପଚରାଯିବାରୁ ସେ ଖସି ପଳାଇବାରେ ସକ୍ଷମ ହେଉଥିଲି ବୋଲି କହିଛନ୍ତି। କାଲିମେଳା ଦଳରୁ ନିଜର କାର୍ଯ୍ୟ ଆରମ୍ଭ କରି ବୈପାରିଗୁଡା, ଛତିଶଗଡ ପରେ ବିଛିନ୍ନାଞ୍ଚଳରେ ରହୁଥିବା କହିଥିଲେ। କେଉଁ ବଡବଡ ନେତାଙ୍କ ନେତୃତ୍ବରେ କାମ କରିଛ ବୋଲି ପଚରାଯିବାରୁ ରାମକ୍ରିଷ୍ଣା ଠାରୁ ଆରମ୍ଭ କରି ସମସ୍ତ ନେତାଙ୍କ ନିକଟରେ କାମ କରିଥିବା କହିଥିଲେ। ଭୁଲବଶତଃ ମୁଁ ବିପଥାଗାମୀ ହୋଇଯାଇଥିଲି।

Sambad

ଯେତେବେଳେ ନିଜର ଭୁଲ ବୁଝିପାରିଲି ମୁଁ ପାର୍ଟି ଛାଡିବା ପାଇଁ ସ୍ଥିର କରିଥିଲି। ତୁମେ କୁଡୁମୁଲୁଗୁମ୍ମା ଅଂଚଳରେ ବେଶ ପତିଆରା ଜମାଇଥିଲ, ଲୋକେ ତୁମକୁ ଡରୁଥିଲେ ବୋଲି ପଚରାଯିବାରୁ ସେ ମୋ ନାମରେ ଅନ୍ୟମାନେ ଲୋକଙ୍କୁ ଭୟଭିତ କରାଉଥିଲେ। ତେଣୁ ମୁଁ ବଦନାମ ଥିଲି। ଅନ୍ୟକୁ ମାରିବା, ପିଟିବା, ଲୁଟପାଟ କରିବା ଏବଂ ପୁଲିସକୁ ଆକ୍ରମଣ କରିବା ଭଳି ପ୍ରଶ୍ନ ଉତ୍ତରରେ ସେ ହସି ଦେଇଥିଲା। ପାର୍ଟିରେ ରହିଲେ ଉପର କମାଣ୍ଡରଙ୍କ ନିର୍ଦେଶକୁ ମାନିବାକୁ ପଡିବ। ନଚେତ୍‌ ପାର୍ଟି ତୁମ ଉପରେ ଆକ୍ସନ ନେବ ବୋଲି କହିଥିଲେ। ସୁଧିର ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ। ସୁଧୀରକୁ ପୁଲିସ ଧରିବା କିମ୍ବା ମାରିବା ପାଇଁ ଯୋଜନା କରୁଥିବା ସୁଧୀର ମଧ୍ୟ ଜାଣିଥିଲେ। ନିଜର ଭୁଲ ବୁଝି ଆତ୍ମସମର୍ପଣ କରିବା ପରେ ଏବେ ମୁଁ ଠିକ ବାଟରେ ଯାଉଛି ବୋଲି କହିଥିଲେ। ଅନ୍ୟ ନକ୍ସଲ ଭାଇମାନଙ୍କୁ ମୁଁ ଅନୁରୋଧ କରିବି ଯେ ସେମାନେ ଭୁଲ ବାଟରେ ଯାଉଛନ୍ତି।

ନିଜକୁ ଟିକେ ତର୍ଜମା ଏବଂ ପରୀକ୍ଷା କରନ୍ତୁ ସେମାନେ କଣ କରୁଛନ୍ତି। ଏହି ଅଞ୍ଚଳର ବିକାଶ କରୁନାହାଁନ୍ତି ବରଂ ବିନାଶ କରୁଛନ୍ତି। ଏଥିସହ ପାର୍ଟିରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ବହୁ ଗୁମର ଖୋଲିଥିଲେ ସୁଧୀର। ଯାହାକୁ ନେଇ ଲୋକେ ନକ୍ସଲ ପାର୍ଟି ଉପରେ ବିଶ୍ବାସ ତୁଟାଇ ସାରିଲେଣି। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜବୀନ ସୁଖରେ କଟାନ୍ତୁ। ଆଜି ମୋତେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସରକାରଙ୍କ ତରଫରୁ ୨ ଲକ୍ଷ ୫୦ ହଜାର ଟଙ୍କା ସହ ଘର ବାବଦକୁ ୪୫ ହଜାର ଟଙ୍କା, ଜାଗା ବାବଦକୁ ୨୫ ହଜାର ଟଙ୍କା, ପାଠ ପଢିବା ପାଇଁ ୩ ହଜାର ଟଙ୍କା, ବିବାହ କରିବା ପାଇଁ ୨୫ ହଜାର ଟଙ୍କା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ। ସୁଧୀର ଏବେ ବଢେଇ କାମ କରିବା ସହ ମିସ୍ତ୍ରୀ କାମ ମଧ୍ୟ କରୁଛନ୍ତି। ନିଜର ପତ୍ନୀକୁ ନେଇ ସେ ବେଶ ଖୁସିରେ ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର