ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ପରିବା ଚାଷ ପାଇଁ ଆଗ୍ରହ

ଖୋର୍ଦ୍ଧା: କରୋନା ମହାମାରୀରେ ଅନେକ ଜୀବନ ଓ ଜୀବିକାର ମାର୍ଗ ବଦଳି ଯାଇଛି। ତେବେ ମହାମାରୀ ଅନେକ କ୍ଷେତ୍ରରେ ବରଦାନ ଭଳି ସାବ୍ୟସ୍ତ ହୋଇଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ କ୍ରମାଗତ ଚାଷୀଙ୍କ ମଧ୍ୟରେ ପରିବା ଚାଷ ନେଇ ଉତ୍ସାହ ହ୍ରାସ ପାଉଥିଲା। କିନ୍ତୁ କରୋନା ମହାମାରୀ ସମୟରେ ଚାଷୀମାନେ ରୋଜଗାର ପାଇଁ ପରିବାଚାଷକୁ ଆପଣାଇ ନେଇଥିବା ଦେଖିବାକୁ ମିଳିଛି।

୨୦୦୮-୦୯ର ରାଜ୍ୟ କୃଷି ପରିସଂଖ୍ୟାନ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ, ଆଳୁ, ପିଆଜ, କନ୍ଦମୂଳ ଓ ଅନ୍ୟ ପରିବା ଚାଷ ୨୬, ୯୦୦ ହେକ୍ଟରେ ଚାଷ ହେଉଥିଲା। ଏହା ମଧ୍ୟରୁ ଆଳୁ ମାତ୍ର ୧୫୦ ହେକ୍ଟର, ପିଆଜ ୩୩୦ ହେକ୍ଟର, କନ୍ଦମୂଳ ୯୦ ହେକ୍ଟର ଓ ପରିବା ୨୬, ୬୦୦ ହେକ୍ଟରରେ ଚାଷ ହେଉଥିଲା।

ମହାମାରୀ ପୂର୍ବରୁ ଅର୍ଥାତ୍ ୨୦୧୮-୧୯ରେ ଜିଲ୍ଲାରେ ପରିବା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ କମି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ବର୍ଷ ୧୮, ୩୫୫ ହେକ୍ଟରରେ ପରିବା ଚାଷ ହୋଇଥିବା ବେଳେ ୧୬ ଲକ୍ଷ ୬୪ ହଜାର ୪୫୦ କିଲୋଗ୍ରାମ ପରିବା ଉତ୍ପାଦନ ହୋଇଥିଲା। ୨୦୨୦ ଖରିଫ ଋତୁରେ ଜିଲ୍ଲାରେ ୧୦, ୪୮୨ ହେକ୍ଟର ଚାଷ ଜମିରେ ୧୧, ୩୮୪୧ ମେଟ୍ରିକ୍ ଟନ୍ ଅର୍ଥାତ୍ ୧୧ କୋଟି ୩୮ ଲକ୍ଷ ୪୧ ହଜାର କିଲୋଗ୍ରାମ ପରିବା ଉତ୍ପାଦନ ହୋଇଥିଲା। ଅର୍ଥାତ୍ ପ୍ରତି ହେକ୍ଟର ପିଛା ୧୦, ୫୦୦ କିଲୋଗ୍ରାମ ପରିବା ଉତ୍ପାଦନ ହେଉଥିଲା। ଜିଲ୍ଲା କୃଷି ବିଭାଗର ସୂଚନାନୁସାରେ, ଚଳିତ ଖରିଫ ଋତୁରେ ଏହି ଉତ୍ପାଦନ ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି। ଯେତେବେଳେ ୨୦୨୦ ଖରିଫରେ ୨୦ ହେକ୍ଟର ଧାନ ଚାଷ ହେଉଥିବା ଜମିକୁ ପରିବା ଚାଷରେ ପରିବର୍ତ୍ତିତ କରିବା ଯୋଜନା ହୋଇଥିଲା ସେହି ସମୟରେ ପୂର୍ବବର୍ଷ ତୁଳନାରେ ଅଧିକ ୧୦୦ ହେକ୍ଟର ଜମିରେ ପରିବା ଚାଷ ହୋଇଛି।

Sambad

ଚଳିତ ଖରିଫ ଋତୁରେ ୧୦, ୫୨୧ ହେକ୍ଟର ଚାଷ ଜମିରୁ ୧୧ କୋଟି ୩୬ ଲକ୍ଷ ୨୬ ହଜାର କିଲୋଗ୍ରାମ ପରିବା ଉତ୍ପାଦନ କରିବା ଲକ୍ଷ୍ୟ ରଖାଯାଇଛି। ସେହିଭଳି ଚଳିତ ଖରିଫରେ ପୂର୍ବ ବର୍ଷର ସଫଳତା ଦେଖି ଅଧିକ ୯୦ ହେକ୍ଟର ଜମିରେ ଧାନ ଓ ଅନ୍ୟ ଖାଦ୍ୟ ଶସ୍ୟ ବଦଳରେ ପରିବା ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ମୋଟ ପରିବା ଚାଷ ହେଉଥିବା ଜମି ମଧ୍ୟରୁ ଖୋର୍ଦ୍ଧା ବ୍ଲକରେ ୧୨୮୭ ହେକ୍ଟର, ବେଗୁନିଆରେ ସର୍ବାଧିକ ୨୦୯୫ ହେକ୍ଟର, ବୋଲଗଡ଼ରେ ୯୩୨ ହେକ୍ଟର, ଟାଙ୍ଗୀରେ ୧୯୯୧ ହେକ୍ଟର, ଚିଲିକାରେ ୧୨୫୭ ହେକ୍ଟର, ବାଣପୁରରେ ୧୨୮୩ ହେକ୍ଟର, ଭୁବନେଶ୍ୱର ବ୍ଲକରେ ସର୍ବନିମ୍ନ ୨୨୫ ହେକ୍ଟର, ଜଟଣୀରେ ୩୩୨ ହେକ୍ଟର, ବାଲିଅନ୍ତାରେ ୫୮୫ ହେକ୍ଟର, ବାଲିପାଟଣାରେ ୫୩୫ ହେକ୍ଟର ଚାଷ ଜମି ରହିଛି। ବୋଲଗଡ଼, ବାଣପୁର, ଟାଙ୍ଗୀ ଓ ଭୁବନେଶ୍ୱର ବ୍ଲକରେ ପରିବା ଚାଷ ପାଇଁ ଚାଷୀ ନୂତନ ଭାବେ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ୧୫୦ ହେକ୍ଟର ଜମିରେ ପରିବା ଚାଷ ପାଇଁ (ପ୍ରତି ୨ ହେକ୍ଟର ପିଛା ) ୩୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର