ମିଛ କହିବାର ଫଳ ଭୋଗୁଛି ବିଜେପି: ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଅଭିଯୋଗ ଆଣିଲା ପରେ ତାହାର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ବିଜେପି ଏବେ ମିଛ କହିବାର ସୀମା ଟପିଗଲାଣି। ଓଡ଼ିଶାବାସୀଙ୍କୁ ମିଛ କହିବାର ଫଳ ଏବେ ବିଜେପି ଭୋଗୁଛି। ସଦ୍ୟ ସମାପ୍ତ ଉପନିର୍ବାଚନରେ ଏହାର ଉତ୍ତର ଲୋକେ ଦେଇଛନ୍ତି। ବାରମ୍ବାର ଏପରି ଘଟି ଚାଲିଥିଲା ବେଳେ ବିଜେପି ଯଦି ତାହାର ସ୍ବଭାବରେ ପରିବର୍ତ୍ତନ ନ ଆଣେ, ତେବେ ଆଗାମୀ ଦିନରେ ସମଦଶା ଭୋଗିବ।

ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ତାଲିକା ବିଜେପି ଦେଖାଇ ବିଜେଡିକୁ ବଦନାମ କରିବାକୁ ଚାହୁଁଛି ସେଥିରେ କୌଣସି ସତ୍ୟତା ନାହିଁ। ହିତାଧିକାରୀ ଚୟନ ସମୟରେ ଦଳ ଅପେକ୍ଷା ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥାଏ। କିନ୍ତୁ ମିଛର ଆଶ୍ରୟ ନେଇ ବିଜେପି ଯେପରି ଘର ପାଇଥିବା ସମସ୍ତ ବ୍ୟକ୍ତି ବିଜେଡିର ବୋଲି ଦର୍ଶାଇଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଯଦି ଆବାସ ପାଇଥିବା ସବୁ ଲୋକ ବିଜେଡିର, ତେବେ ବିଜେପି ସେଠାରୁ କିପରି ଭୋଟ୍‌ ପାଉଛି ? ତେଣୁ ଘର ପାଇଥିବା ତାଲିକାକୁ ଅତିରଞ୍ଜିତ କରି ବିଜେପି ଯେଭଳି ପ୍ରଦର୍ଶନ କରୁଛି ତାହା ଗରିବ ଲୋକଙ୍କ ପ୍ରତି ଉପହାସ। ଏବେ ଘର ବଣ୍ଟାକୁ ଆଳକରି ରାଜ୍ୟ ବିଜେପିର କିଛି ହାରୁ ନେତା ନିଜର ହଜି ଯାଇଥିବା ସ୍ଥିତିକୁ ଜାହିର କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ସମ୍ବନ୍ଧିତ ଖବର