ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍, ମେ ୪ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର: ଆଗାମୀ ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସକାଳୁଅା ହେବ।  ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ନେଇ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଅଶୋକ କୁମାର ରଥଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଏପ୍ରିଲ ୨ରୁ ବିଦ୍ୟାଳୟରେ ପାଠପଢ଼ା ସମୟ ସାରଣୀରେ ପରିବର୍ତ୍ତନ କରାଯିବ। ସକାଳ ୬ଟା ୩୦ରେ ବିଦ୍ୟାଳୟ ଖୋଲି ପୂର୍ବାହ୍ନ ୧୦ଟା ୩୦ରେ ବନ୍ଦ ହେବ। ଏହି ସମୟରେ ପୂର୍ବାହ୍ନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବ। ସେହିଭଳି ପ୍ରତ୍ୟେକ ସ୍କୁଲରେ ପରୀକ୍ଷା ୨୦୧୮ ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରୀକ୍ଷା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ବ୍ୟବସ୍ଥା ରହିବ।

ଶିକ୍ଷା ବର୍ଷ ୨୦୧୮-୧୯ ଆଗାମୀ ଏପ୍ରିଲ ୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ଏପ୍ରିଲ ୨ରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ଶେଷ ହେବା ପରେ ଶିକ୍ଷକମାନେ ପିଲାମାନଙ୍କ ସହିତ ପାଠ୍ୟ ଖସଡ଼ା ଉପରେ ପୁଣି ଥରେ ଆଲୋଚନା କରିବେ। ଯେଉଁଠାରେ ନଳକୂପର ବ୍ୟବସ୍ଥା ନାହିଁ, ସେଠାରେ ପ୍ରଧାନଶିକ୍ଷକ ପାନୀୟ ଜଳର ବ୍ୟବସ୍ଥା କରାଇବେ। ଗ୍ରୀଷ୍ମ ସମୟରେ ବିଦ୍ୟାଳୟ ଚାଲୁଥିବା ବେଳେ ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ଛତା ଓ ପାଣି ବୋତଲ ସାଥୀରେ ନେଇ ବିଦ୍ୟାଳୟ ଆସିବାକୁ ପରାମର୍ଶ ଦେବେ।

ବିଦ୍ୟାଳୟରେ ଗ୍ରୀଷ୍ମ ସମୟରେ ଶାରୀରିକ ପ୍ରଶିକ୍ଷଣ ପିଲାମାନଙ୍କର ଇଚ୍ଛାଧୀନ ରହିବ। ଗ୍ରୀଷ୍ମ ଅବକାଶ ୨୦୧୮, ମେ ୪ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର