ପିପିଲିରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏମିତି : ମରାମତି ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଦୂଷିତ ପାଣି ପିଉଛନ୍ତି ଲୋକେ

ପିପିଲି : ପିପିଲି ପୌରାଞ୍ଚଳରେ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପୂର୍ବାହ୍ନ ଓ ଅପରାହ୍ନରେ ମୋଟ ପ୍ରାୟ ୬ରୁ ୮ ଘଣ୍ଟା ଜଳ ଯୋଗାଣ ହେଉଛି। ଗତ କିଛି ବର୍ଷ ପୂର୍ବେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ(ପିଏଚ‌୍‌ଡି) ମାଧ୍ୟମରେ ରାସ୍ତା ପାର୍ଶ୍ବରେ ପାଇପ୍‌ ବିଛାଯିବା ସହ ଷ୍ଟାଣ୍ତପୋଷ୍ଟ ନିର୍ମାଣ କରି ଜଳ ଯୋଗାଣ ଚାଲୁ ରହିଛି। ମାତ୍ର ଏହାର ମରାମତି ନହେବା କାରଣରୁ କେଉଁଠି ଲୋକେ ଦୂଷିତ ପାଣି ପିଉଛନ୍ତି ତ କେଉଁଠି ପିଇବା ପାଣିର ଖୋଲାଖୋଲି ଅପଚୟ ହେଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। ମରାମତି ନାଁରେ ଯନ୍ତ୍ରୀ, ଠିକାଦାର ଓ ନେତାଙ୍କ ମଧୁଚନ୍ଦ୍ରିକାରେ ଲକ୍ଷାଧିକ ଟଙ୍କା ହଡ଼ପ ହେଉଥିବା ନେଇ ସଙ୍ଗିନ ଅଭିଯୋଗ ଉଠିଛି।

ପିପିଲି ମୁଖ୍ୟ ବଜାର ଅଂଚଳ ମଧ୍ୟରେ ରାସ୍ତା ପାର୍ଶ୍ବରେ ପିଇବା ପାଣି ଯୋଗାଣ ପାଇଁ ପାଇପ୍‌ ବିଛା ଯାଇଛି। ବଜାର ଅଂଚଳରେ ପିପିଲି–ନିମାପଡ଼ା ରାସ୍ତାର ପଣ୍ତା ବଜାରଠାରେ ମାଟିତଳେ ଥିବା ପାଇପ୍‌ ଫାଟି ଯାଇଥିବାରୁ ଏବେ ପାଣି ରାସ୍ତାରେ ଭାସୁଛି। ରାସ୍ତାକଡ଼ରେ ବର୍ଷାଦିନ ଭଳି ପାଣି ଜମାହୋଇ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ପାଣି ଜମାହୋଇ ରହୁଥିବା କାରଣରୁ ସେହି ସ୍ଥାନରେ ଦୁଇଚକିଆ ଆରୋହୀ ରାସ୍ତାର ଡାହାଣକୁ ମାଡ଼ି ଚାଲୁଛନ୍ତି। ଫଳରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନିର ଆଶଙ୍କା ରହୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ନଜର ଦେଉ ନାହାନ୍ତି। ସେହିପରି ରାସ୍ତାରେ ଯାଉଥିବା ଚାରି ଚକିଆରୁ ଆବର୍ଜନା ମିଶା ପାଣି ଲୋକଙ୍କ ଉପରେ ପଡ଼ୁଥିବାରୁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପାଇପ୍ ଫାଟିଥିବା ସ୍ଥାନରେ ପିଇବା ପାଣିରେ ଆବର୍ଜନା ମିଶୁଛି ଏବଂ ଲୋକମାନେ ସେହି ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ପ୍ରାୟ ତିନି ମାସ ପୂର୍ବରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏ ସଂପର୍କରେ ଅବଗତ ମଧ୍ୟ କରାଯାଇଛି। ମାତ୍ର କେହି ଶୁଣୁ ନାହାନ୍ତି କି ମରାମତି କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଏହି ରାସ୍ତାର ଇଣ୍ଡେନ୍‌ ଗ୍ୟାସ୍‌ ଅଫିସ୍‌ ସମ୍ମୁଖରେ ଥିବା ଷ୍ଟାଣ୍ତପୋଷ୍ଟରେ ବର୍ଷେ ହେବ ମରାମତି ଅଭାବରୁ ପାଣି ଅପଚୟ ହେଉଛି। ଏଠାରେ ଟ୍ୟାପ୍‌ ଭାଙ୍ଗି ଯାଇଥିବା ବେଳେ ପାଣି ଅପଚୟକୁ ରୋକିବା ପାଇଁ ବହୁଥର ଚାନ୍ଦା ଆଦାୟ ସହ କେତେଥର ନିଜେ ପ୍ଲାଷ୍ଟିକ୍‌ ଟ୍ୟାପ୍ ଲଗାଉଥିବା ଷ୍ଟାଣ୍ତପୋଷ୍ଟ ପାଖ ଦୋକାନୀ ସୁରେନ୍ଦ୍ର ନାୟକ କହିଛନ୍ତି। ଏବେ କିଛିଦିନ ହେବ ପୁଣି ଟ୍ୟାପ୍‌ ଭାଙ୍ଗି ଯାଇଥିବାରୁ ବିଭାଗୀୟ କର୍ମଚାରୀ ତାହାକୁ ମରାମତି କରୁନାହାନ୍ତି। ଫଳରେ ଅନବରତ ପାଣି ରାସ୍ତାରେ ଭାସିବା ସହ ପାଖ ଡ୍ରେନ୍‌କୁ ଯାଉଛି। ଏହି ଦୁଇଟି ସ୍ଥାନ ସ୍ଥାନୀୟ ପମ୍ପ୍‌ ହାଉସ୍‌ଠାରୁ ମାତ୍ର ପଚାଶରୁ ଶହେ ମିଟର ଦୂରତା ମଧ୍ୟରେ ରହିଛି। ସେହିପରି ହାଟଛକ ଓ ବ୍ଲକ୍‌ ଛକ ମଧ୍ୟବର୍ତ୍ତୀ ପଦାସାହି ଛକ ନିକଟରେ ମୁଖ୍ୟରାସ୍ତା ପାର୍ଶ୍ବସ୍ଥ ଷ୍ଟାଣ୍ତପୋଷ୍ଟର ଅନୁରୂପ ଅବସ୍ଥା। ବର୍ଷ ବର୍ଷ ଧରି ଏଠାରେ ଟ୍ୟାପ୍‌ ନାହିଁ। ଫଳରେ ପାଣି ରାସ୍ତାପାର୍ଶ୍ବ ଖାଲକୁ ଯାଉଛି। ଏଭଳି ଅବ୍ୟବସ୍ଥାକୁ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ, ଓ ଲୋକପ୍ରତିନିଧିମାନେ ଦେଖି ନିରବ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପାଇପ୍‌ ଲାଇନ୍‌ ଓ ଷ୍ଟାଣ୍ତପୋଷ୍ଟର ଆବଶ୍ୟକୀୟ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର