୨୦୨୩ ଏପ୍ରିଲ୍‌ରୁ ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ଯୋଗାଣ

ବ୍ରହ୍ମପୁର : ଶରୀରରେ ଭିଟାମିନ୍‌ ଅଭାବ ଜନିତ କୁପୋଷଣ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭିଟାମିନ୍‌ଯୁକ୍ତ ଚାଉଳ ଯୋଗାଣ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦୨୩ ଏପ୍ରିଲ ପହିଲାରୁ ପୋଷଣଯୁକ୍ତ (ଫର୍ଟିଫାଇଡ୍‌) ଚାଉଳ ମିଳିବ। ସାଧାରଣ ଚାଉଳ ସହିତ ପୋଷଣଯୁକ୍ତ ଚାଉଳକୁ ମିଶ୍ରଣ କରାଯାଇ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ୍‌ କାର୍ଡ଼ଧାରୀଙ୍କୁ ବଣ୍ଟନ କରାଯିବ। ଏ ନେଇ ଜିଲ୍ଲାର ସମସ୍ତ ଧାନ ମିଲ୍‌ଗୁଡ଼ିକରେ ସ୍ବତନ୍ତ୍ର ଯନ୍ତ୍ରପାତି ସ୍ଥାପନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ସୁଦ୍ଧା ଏହି ଯନ୍ତ୍ରପାତି ସ୍ଥାପନ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନିୟମିତ ଏ ନେଇ ତଦାରଖ କରାଯାଉଛି ବୋଲି ଜାତୀୟ ଖାଦ୍ୟ ନିଗମ ଜଗନ୍ନାଥପୁର ଗୋଦାମ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନ ଆରମ୍ଭ ହୋଇଯାଇଛି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୯୪ତମ ସ୍ଥାନରେ ରହିଛି। ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ମୃତ୍ୟୁର ୬୮ପ୍ରତିଶତ କୁପୋଷଣଜନିତ। ଏଣୁ ଦେଶରେ ପୋଷଣଯୁକ୍ତ ଚାଉଳ ବଣ୍ଟନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୦୨୪ ସୁଦ୍ଧା ପୃଥକ ପୃଥକ ପୋଷଣ ଯୋଜନାରେ ମିଳୁଥିବା ଚାଉଳକୁ ପୋଷଣଯୁକ୍ତ ଚାଉଳରେ ରୂପାନ୍ତରିତ କରାଯିବ। ପୋଷଣଯୁକ୍ତ ଚାଉଳରେ ଆଇରନ୍‌, ଫୋଲିକ୍‌ ଏସିଡ୍‌, ଭିଟାମିନ ବି-୧୨ ଓ ଅନ୍ୟ ଖଣିଜ ମିଶ୍ରଣ କରାଯିବ। ଖାଦ୍ୟ ସୁରକ୍ଷା ଯୋଜନା, ମଧ୍ୟାହ୍ନ ଭୋଜନ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ଜାତୀୟ ପୋଷଣ ଅଭିଯାନରେ ମିଳୁଥିବା ଚାଉଳ ସହିତ ଏହାକୁ ପ୍ରଦାନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଏଜିଏମ୍(ଗୁଣବତ୍ତା ନିୟନ୍ତ୍ରଣ) ମନିଷ୍‌ ଦେବ ପ୍ରତାପ, ଡିପୋ ମ୍ୟାନେଜର ଯୁଗଳ କିଶୋର କିରୋ, ମ୍ୟାନେଜର(ଗୁଣବତ୍ତା ନିୟନ୍ତ୍ରଣ) ରଞ୍ଜିତ କୁମାର ସାହୁ, ମ୍ୟାନେଜର ଡିପୋ ଜୟ ଏକ୍କା, ମ୍ୟାନେଜର(ଲୋକସଂପର୍କ) ରୁଦ୍ରପ୍ରସାଦ ଗାନିକ୍‌ଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ମ୍ୟାନେଜର(ଆକାଉଣ୍ଟ୍‌) ରମାରମଣ ମେହେରା ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର