ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ସୁରତରେ ଖୋଲିବ ସହାୟକ କେନ୍ଦ୍ର, ସାଂସ୍କୃତିକ ଭବନ

ପ୍ରତିଶ୍ରୁତି ଦେଇଥିଲେ ଶ୍ରମମନ୍ତ୍ରୀ

ପୋଲସରା : ଗୁଜରାଟର ସୁରତ ସହରରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଶ୍ରମିକ ସହାୟକ କେନ୍ଦ୍ର ଓ ସାଂସ୍କୃତିକ ଭବନ ଖୋଲିବ। ଏନେଇ ଓଡ଼ିଶା ସରକାର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ (ପତ୍ର ସଂଖ୍ୟା ୮୮୧୭/୨୬/୧୦/୨୨) ବିଧିବଦ୍ଧ ଅନୁମତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଐତିହାସିକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଆଉ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କଥା ଦେଇ କଥା ରଖିଛନ୍ତି।

ଗତ ସେପ୍ଟେମ୍ବର ୨୫ ତାରିଖରେ ମନ୍ତ୍ରୀ ଶ୍ରୀ ସାହୁ ସୁରତର ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏବଂ, ଓଡ଼ିଶା ସରକାରଙ୍କ ପକ୍ଷରୁ ସୁରତରେ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟ ତିନିମାସ ମଧ୍ୟରେ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରମ ବିଭାଗ ପକ୍ଷରୁ ଏବେ ଏନେଇ ସବୁଜ ସଂକେତ ମିଳିଛି, ଯାହାକି ଶ୍ରମିକଙ୍କ ମହଲରେ ଖୁସିର ଲହରି ଖେଳାଇ ଦେଇଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ସୁରତରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନେ ନିଜର ସମସ୍ୟା ଏବଂ ଅଭିଯୋଗ ଉପସ୍ଥାପନ କରିପାରିବେ। ଓଡ଼ିଶା ସରକାର ଏହାର ସମାଧାନ ଏବଂ ଅନୁଧ୍ୟାନ ଦିଗରେ ପଦକ୍ଷେପ ନେବେ।

ସେହିପରି, ସୁରତରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ମଧ୍ୟ ଓଡ଼ିଶା ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଏହାଦ୍ବାରା ପ୍ରବାସୀ ଓଡ଼ିଶା ଶ୍ରମିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି, ବିବାହ ଓ ବ୍ରତ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ସୁରତରେ ସାଂସ୍କୃତିକ ଭବନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାର ଆଧାରରେ ସରକାରୀ ଜାଗା ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କୁ ପତ୍ର ଲେଖାଯାଇଥିଲା। କିନ୍ତୁ, ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନଥିଲା। ଶ୍ରମମନ୍ତ୍ରୀ ଶ୍ରୀ ସାହୁ ସୁରତ ସେହି ଗସ୍ତରେ ଯାଇଥିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ଏନେଇ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଗୁଜରାଟ ସରକାରଙ୍କୁ ଓଡ଼ିଆ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ପ୍ରାୟ ଦୁଇ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର