ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ଦେବାଶିଷ ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି। ଶ୍ରୀ ମିଶ୍ର ସୁପ୍ରିମ୍‌ କୋର୍ଟରେ ଶ୍ରୀମିନ୍ଦର ମାମଲା ଲଢ଼ୁଥିଲେ। ମଧୁମେହ ଏବଂ ଲିଭର ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଗତକାଲି ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ମଧ୍ୟ ଆସୁଥିଲା। ତେବେ ଆଜି ସଂଧ୍ୟାରେ ଡାକ୍ତରମାନେ ତାଙ୍କୁ ଭୁଲ ଔଷଧ ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ସକାଳେ ତାଙ୍କ ମରଶରୀରକୁ ଏମ୍ସ ନିଆଯାଇ ସେଠାରେ ଶବ ବ୍ୟବଚ୍ଛେଦ କରାଯିବ। ସ୍ବର୍ଗତ ମିଶ୍ରଙ୍କର ପତ୍ନୀ ସୁଷମା ମିଶ୍ର, ଦୁଇ ଝିଅ ଯଶସ୍ବୀ ମିଶ୍ର, ଶ୍ରେୟଶ୍ରୀ ମିଶ୍ର ଏବଂ ପୁଅ ଅର୍ଚ୍ଚିଷ୍ମାନ ମିଶ୍ର ଅଛନ୍ତି। ତାଙ୍କ ଘର ଭୁବନେଶ୍ବରର ଧର୍ମ ବିହାରରେ। ଦୀର୍ଘ ୩୫ ବର୍ଷ ଧରି ସେ ସୁପ୍ରିମ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଅନ୍ତଃମହାଦେଶୀୟ ଆଇନଜୀବୀ ସଂଘର ଅଧ୍ୟକ୍ଷ ଥିଲେ।

ସମ୍ବନ୍ଧିତ ଖବର