ଭୁବନେଶ୍ବର: ‘‘ମଣିଷ ଯେତେବେଳେ ଧୀରେ ଧୀରେ ନିଜ ନିକଟରୁ ଦୂରେଇ ଯାଏ, କ୍ରମେ ନିଜଠାରେ ସୁଦ୍ଧା ଅପରିଚିତ ହୋଇପଡ଼େ ଓ ତାହା ଯେଉଁ ସବୁ ବିକୃତି ସୃଷ୍ଟି କରେ; ତାହା ହେଉଛି ପ୍ରାୟ ମୋ ଅଧିକାଂଶ ଗଳ୍ପ ଓ କଥାବସ୍ତୁ। ସେ ବିକୃତିର ପ୍ରତିକାର କ’ଣ? ୪୪ ବର୍ଷ ପରେ ମୁଁ ଆଜି ଏହି ବ୍ୟାଧିର ପ୍ରତିକାର ପାଇଁ ଭଗବାନ ଓ ଧର୍ମାଚାର ପ୍ରଭୃତି ମାନିବାକୁ ବାଧ୍ୟ ହେଉଛି। ତାହା ହେଉଛି ମୋ ରଚନା ‘ଅନ୍ଧଦିଗନ୍ତ’ରୁ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ର ଯାତ୍ରା...।’’ ଏହା ହେଉଛି ପ୍ରଖ୍ୟାତ ସାହିତ୍ୟିକ, ପୂର୍ବତନ ସାଂସଦ ତଥା ‘ସମ୍ବାଦ’ର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ୧୯୬୫ ମସିହାରେ ଲେଖିଥିବା ଚିଠିର କିଛି ପଂକ୍ତି।
ଆଜି ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଓ ‘ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ-୧’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ଏହି ଚିଠିକୁ ଉଦ୍ଧୃତ କରିବା ସହ ଏଥିରୁ ଝରିପଡ଼ୁଥିବା ସ୍ବର୍ଗତ ମହାନ୍ତିଙ୍କ ଅତୃପ୍ତି ଭାବ କଥା ପ୍ରକାଶ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ, ଅତୃପ୍ତି ଭାବ ଅନ୍ବେଷଣକୁ ଜନ୍ମ ଦିଏ। ଅତୃପ୍ତି ଓ ଅନ୍ବେଷଣ; ଏ ଦୁଇଟିର ସମଷ୍ଟିରେ ସ୍ବର୍ଗତ ମହାନ୍ତି ଆଜି ଜଣେ ପ୍ରଖ୍ୟାତ ସାହିତ୍ୟିକ ହୋଇପାରିଛନ୍ତି। ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସ୍ବର୍ଗତ ମହାନ୍ତିଙ୍କ ରାଜନୈତିକ, ସାମ୍ବାଦିକ ଓ ସାହିତ୍ୟିକ ଜୀବନ ସମ୍ପର୍କରେ ଶ୍ରୀ ମହାପାତ୍ର ଆଲୋକପାତ କରିଥିଲେ। ସେ କହିଥିଲେ ଯେ ରାଜନୀତି ଓ ସାମ୍ବାଦିକତାକୁ ସ୍ବର୍ଗତ ମହାନ୍ତି କେବେ ଛାଡ଼ି ପାରି ନଥିଲେ ବି ସାହିତ୍ୟ ତାଙ୍କୁ ଛାଡ଼ି ନଥିଲା। ସେ ନାଟକଠାରୁ ଆରମ୍ଭ କରି ଗଳ୍ପ, ଉପନ୍ୟାସ ଓ ଜୀବନ ଚରିତ୍ର ରଚନା ଆଦି ସାହିତ୍ୟର ସବୁ ଦିଗରେ ଲେଖନୀ ଚାଳନା କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ଅତୃପ୍ତି ଓ ଅନ୍ବେଷଣ ପରସ୍ପରକୁ ପରିପୂର୍ଣ୍ଣ କରନ୍ତି। ବ୍ୟକ୍ତି ମଧ୍ୟରେ ଥିବା ଅତୃପ୍ତି ଭାବ, ଅନ୍ବେଷଣକୁ ଜନ୍ମ ଦିଏ। ଏହା ଅଧିକ ଅନୁଧ୍ୟାନ, ଗବେଷଣା ଓ ସୃଷ୍ଟି ପାଇଁ ଇନ୍ଧନ ଯୋଗାଏ। ଏହା ବ୍ୟକ୍ତିକୁ ବଡ଼ କରେ। ଏହିପରି ଜଣେ ବଡ଼ ସାହିତ୍ୟିକ ଥିଲେ ସ୍ବର୍ଗତ ମହାନ୍ତି। ନିଜର ଗୋଟିଏ ପରେ ଗୋଟିଏ ସୃଷ୍ଟିରେ ସନ୍ତୁଷ୍ଟି ନ ପାଇ ଅତୃପ୍ତିର ଛାଇରେ ସେ ରହୁଥିଲେ। ତାଙ୍କର ଅତୃପ୍ତି ତାଙ୍କୁ ଅନ୍ବେଷଣ ପାଇଁ ବାଧ୍ୟ କରୁଥିଲା। ଫଳରେ ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣବେଣୀରେ ସଂଧ୍ୟା’ ଭଳି କାଳଜୟୀ ସୃଷ୍ଟି ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଦେଇ ଯାଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ କହିଲେ, ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ଓଡ଼ିଆ କଥା ସାହିତ୍ୟର ଅନନ୍ୟ ସାଧକ ଓ ଜଣେ ଗ୍ରନ୍ଥକୀଟ। ବୃତ୍ତିଗତ ଭାବେ ସେ ରାଜନୀତି ଓ ସାମ୍ବାଦିକତାକୁ ଗ୍ରହଣ କରିଥିଲେ, ହେଲେ ପ୍ରବୃତ୍ତିରେ ଥିଲେ ସାହିତ୍ୟିକ। ଟଙ୍କା ନାହିଁ ବୋଲି ସେ ନିଜକୁ କେବେ ଦରିଦ୍ର ଭାବୁ ନଥିଲେ। ପୁରୀରେ ପ୍ରେମିକାକୁ ଦେଖା କରିବାକୁ ଯାଇ ଜଣେ ପବ୍ଲିସର୍ଠାରୁ ଶହେ ଟଙ୍କା ନେବା ଏବଂ ସେଥିପାଇଁ ପରବର୍ତ୍ତୀ ସମୟରେ ରାତି ଅନିଦ୍ରା ହୋଇ କିପରି ସେ ‘ସହସ୍ର ଶଯ୍ୟାର ନାୟିକା’ (୧୯୫୨) ଲେଖିଥିଲେ, ତାହା ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସୁରେନ୍ଦ୍ର ମହାନ୍ତି ଓ ଔପନ୍ୟାସିକ ଗୋପୀନାଥ ମହାନ୍ତି ପ୍ରତିଦ୍ବନ୍ଦ୍ବୀ ଥିଲେ ହେଁ ଦୁହିଁଙ୍କ ଭିତରେ ପରସ୍ପର ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା। ସୁରେନ୍ଦ୍ର ମହାନ୍ତିଙ୍କ ସମସ୍ତ ପୁସ୍ତକକୁ ସଂକଳନ କରି ସୁଲଭ ମୂଲ୍ୟରେ ବିକ୍ରି କରାଗଲେ, ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ। ସଭାରେ ସଭାପତିତ୍ବ କରି ‘ସମ୍ବାଦ’ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ, ସୁରେନ୍ଦ୍ର ମହାନ୍ତିଙ୍କ ପାଖରେ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଘଟିଥିଲା। ଏହି ତିନି କ୍ଷେତ୍ରରେ ସଫଳତାର ସ୍ବାଦ ଚାଖିଥିବା ବିରଳ ବ୍ୟକ୍ତିତ୍ବ ଥିଲେ ସ୍ବର୍ଗତ ମହାନ୍ତି। ‘ସମ୍ବାଦ’ ଆଜି ଯେଉଁ ସୌଧ ଉପରେ ଠିଆ ହୋଇଛି, ତାହାର ମୂଳଦୁଆ ସେ ପ୍ରତିଷ୍ଠା କରିଥିଲେ। ‘ସମ୍ବାଦ’ ଆଜି ତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆୟୋଜନ କରି ତାଙ୍କର ସେହି ଋଣ ପରିଶୋଧ କରୁଛି।
କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସମ୍ପାଦକ(ପ୍ରକାଶନ) ଅସିତ ମହାନ୍ତି ଯୋଗ ଦେଇ ‘ସୁରେନ୍ଦ୍ର ରଚନା ସମଗ୍ର: ଉପନ୍ୟାସ-୧’ ପୁସ୍ତକ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣବେଣୀରେ ସଂଧ୍ୟା’ ଆଦି ତିନିଟି ଯାକ ଉପନ୍ୟାସ; ଶ୍ରୀଜଗନ୍ନାଥଙ୍କ ଇତିହାସ ଓ ତାଙ୍କୁ କେନ୍ଦ୍ର କରି ଗଢ଼ିଥିବା ଓଡ଼ିଆ ଅସ୍ମିତାର ପ୍ରତିଫଳନ। ଏଣୁ ଆଜି ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବର୍ଷିକୀରେ ଏହି ତିନିଟି ପୁସ୍ତକକୁ ଏକାଠି କରି ସୁରେନ୍ଦ୍ର ରଚନା ସମଗ୍ରର ପ୍ରଥମ ଉପନ୍ୟାସ ଉନ୍ମୋଚିତ ହୋଇଛି। ଐତିହାସିକ ଉପନ୍ୟାସ ବହୁତ କମ୍ ଲେଖାଯାଉଥିବା ବେଳେ ଆଜିର ସାହିତ୍ୟିକ ଓ ଲେଖକମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ଏହି ତିନିଟି ପୁସ୍ତକ କେବଳ ଆମକୁ ଇତିହାସ ପ୍ରତି ସଚେତନ କରାଉନାହିଁ, ଓଡ଼ିଅା ଜାତିର ଅସ୍ମିତା ଓ ପରିଚୟ ଶ୍ରୀଜଗନ୍ନାଥଙ୍କୁ ନେଇ ଐତିହାସିକ ଉପନ୍ୟାସ ରଚନାର ଆବଶ୍ୟକତା ଲେଖକମାନେ ଅନୁଭବ କରନ୍ତୁ ବୋଲି ଆମକୁ ସତର୍କ କରାଇଥିବା ଶ୍ରୀ ମହାନ୍ତି କହିଥିଲେ।
‘କଥା’ର ସମ୍ପାଦକ ଗୌରହରି ଦାସ ଏହି ଅବସରରେ ସ୍ବାଗତ ଭାଷଣ ସହ ସୁରେନ୍ଦ୍ର ମହାନ୍ତିଙ୍କର ସଂଘର୍ଷ, ଉତ୍ଥାନ ଓ ସାମଗ୍ରିକ ଜୀବନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏକ ଲୋମଶ ସଁବାଳୁଆରୁ ସୁନ୍ଦର ପ୍ରଜାପତିର ଯାତ୍ରା ସମ୍ପର୍କରେ ସେ ଆଲୋଚନା କରିଥିଲେ। ନାଟକ ରଚନା, କଳିଙ୍ଗ ଓ ପ୍ରଜାତନ୍ତ୍ରର ସମ୍ପାଦକ, ପରେ ଗଳ୍ପ ଓ ଉପନ୍ୟାସର ରଚନା, ରାଜନୀତି, ଆଧ୍ୟାତ୍ମିକତାରେ ଅଭିଭୂତ ହୋଇ ଶ୍ରୀଜଗନ୍ନାଥଙ୍କୁ ନେଇ ‘ନୀଳଶୈଳ’ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ରଚନା ଆଦି ଭିତରେ ସ୍ବର୍ଗତ ମହାନ୍ତିଙ୍କ ଜୀବନର ନାଟକୀୟ ମୋଡ଼ ସମ୍ପର୍କରେ ଶ୍ରୀ ଦାସ ବର୍ଣ୍ଣନା କରିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।