କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଯୋଗ ଦେଲେ ସୁରେଶ ଚନ୍ଦ୍ର ଦଳାଇ

ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ଦାୟିତ୍ବ

କଟକ : କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଶୁ୍କ୍ରବାର ଦିନ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଦାୟିତ୍ବଗ୍ରହଣ କରିଛନ୍ତି। ସେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଦାୟିତ୍ବ ସହିତ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ। ଆଜି ଦାୟିତ୍ବ ନେବା ସମୟରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ତାଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ପୂର୍ବତନ ରାଜସ୍ବ ଆୟୁକ୍ତ ଗୋପବନ୍ଧୁ ଶତପଥୀ ଗତ ଫେବ୍ରୁଆରି ୨୮ରେ ଅବସର ଗ୍ରହଣ କରିଥିଲେ। ତାଙ୍କ ଅବସର ପରେ ଏହି ପଦବି ଖାଲି ପଡିଥିଲା।

ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ଦାୟିତ୍ବ

ଭୁବନେଶ୍ବର : ୨୦୦୨ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ପୂର୍ତ୍ତ ବିଭାଗର ସଚିବ କ୍ରିଷନ୍ କୁମାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ଶୁକ୍ରବାର ଦିନ ରାଜ୍ୟ ସରକାର ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଶ୍ରୀ ଯାଦବ ସମବାୟ ବିଭାଗର ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଏହା ସହ ରାଜ୍ୟ ପଛୁଆ ବର୍ଗ କମିସନ୍‌ର ସଦସ୍ୟ ସଚିବ, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଏବଂ ଟ୍ରେଡ୍ ପ୍ରୋମୋସନ୍ ଆଣ୍ଡ୍ ଇନ୍‌ଭେଷ୍ଟମେଣ୍ଟ୍ କମିସନର୍ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି। ପୂର୍ବରୁ ପାଞ୍ଚଟି ଦାୟିତ୍ବରେ ଥିବା ଶ୍ରୀ ଯାଦବଙ୍କୁ ଏବେ ପୁଣି ପୂର୍ତ୍ତ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯିବା କ୍ଷମତା କରିଡର୍‌ରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କ୍ରିଷନ୍ କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପିକେଡିଏ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲା ବେଳେ ଏହି ଦୁଇ ପଦବିରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଶ୍ରୀ କୁମାରଙ୍କୁ କେନ୍ଦ୍ରରେ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର