ସରକାରଙ୍କ ମଲ୍‌ ପ୍ରୀତି ବିରୋଧରେ ଜନ ଆନ୍ଦୋଳନ କରାଯିବ: ସୁରେଶ ରାଉତରାୟ

ଭୁବନେଶ୍ବର : ସରକାରୀ ଜମି ଉପରେ ଭୁବନେଶ୍ବର କଳ୍ପନାଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ବେଆଇନ୍‌ ଭାବେ ସୌନ୍ଦର୍ଯ୍ୟୀକରଣ କରିଛି। ଏହାକୁ ଭାଙ୍ଗିବା ପରିବର୍ତ୍ତେ ରାସ୍ତା ପ୍ରଶକ୍ତିକରଣ ନାଁରେ ସରକାରୀ ପ୍ରତିଷ୍ଠାନ ଓ ଦୋକାନ ଭାଙ୍ଗିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ। ଗ୍ୟାଲେରିଆ ମଲ୍‌କୁ ସୁରକ୍ଷା ଦେବାକୁ ଯାଇ ସରକାରଙ୍କ ଯୋଜନା ସମ୍ପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏପରି ଚେତାବନୀ ଦେଇଛନ୍ତି।

ଶ୍ରୀ ରାଉତରାୟ କହିଛନ୍ତି, ଗୋଟିଏ ମଲ୍‌ର ବେଆଇନ ନିର୍ମାଣକୁ ନ ହଟାଇ ବିଏମ୍‌ସି ଗେଟ୍‌, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ୍‌ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭାଙ୍ଗିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗ୍ୟାଲେରିଆ ମଲ୍‌ ଓ ସରକାରୀ ବାବୁଙ୍କ ମଧ୍ୟରେ ଅର୍ଥ କାରବାର ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ମଲ୍‌ ଜବର ଦଖଲରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ୧୦ ମାସ ହେଲା ସରକାରୀ ସ୍ତରରେ ଆଲୋଚନା ହେଉଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରିନି। ଏବେ ମଲ୍‌ର ସୌନ୍ଦର୍ଯ୍ୟୀକରଣକୁ ପ୍ରଭାବିତ ନ କରି ପୂର୍ତ୍ତ ବିଭାଗ ରାସ୍ତା ସଂପ୍ରସାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ବିଏମ୍‌ସି କମିସନର ଜଣେ ଭଲ ଅଫିସର। କିନ୍ତୁ ତାଙ୍କ ଚାରିପାଖରେ କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଘେରି ରହିଛନ୍ତି। ବିଏମ୍‌ସିର ମୁଖ୍ୟ ଗେଟ୍‌, ଶୌଚାଳୟ, ସିକ୍ୟୁରିଟି ରୁମ୍‌, ଦୁଇ ମହଲା ବିଶିଷ୍ଟ ଅଭିଯୋଗ ପ୍ରକୋଷ୍ଠ, ଏଟିଏମ୍‌, ପାର୍କିଂ ଗେଟ୍‌, ପାର୍କିଂ ଅଞ୍ଚଳର କିଛି ସ୍ଥାନ ସମେତ ବିଏମ୍‌ସି ପାଚେରୀ ଭଙ୍ଗାଯିବା ନିଷ୍ପତ୍ତିକୁ କିପରି କମିସନର ଗ୍ରହଣ କରିପାରୁଛନ୍ତି, ତାହା ଆଶ୍ଚର୍ଯ୍ୟର ବିଷୟ। ସେହିପରି ଅଗ୍ନିଶମ କାର୍ଯ୍ୟାଳୟ, ସଂଗ୍ରହାଳୟ ମୁଖ୍ୟ ଗେଟ୍‌, ଟିକେଟ୍‌ କାଉଣ୍ଟର୍‌, ଗାଡ଼ି ପାର୍କିଂ ଅଞ୍ଚଳ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ କାର୍ଯ୍ୟାଳୟ, ବିଜେବି କଲେଜ୍‌ ପାଚେରୀ ଭାଙ୍ଗିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଗ୍ୟାଲେରିଆ ମଲ୍‌ ପ୍ରବେଶ ଓ ପ୍ରସ୍ଥାନ ପଥରେ ହୋଇଥିବା ଜବରଦଖଲକୁ ଆଖି ବୁଜିଦେଇ ଏତେସବୁ ପ୍ରତିଷ୍ଠାନ ଭାଙ୍ଗିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର