କେଏମ୍‌ବିବି କଲେଜ୍‌ରେ ସ୍ବାମୀ ମୁକୁନ୍ଦାନନ୍ଦଜୀ

ଭଲ ଚିନ୍ତା କର, ଭଲ କାମ କର, ସବୁ ଭଲ ହେବ

ବାରଙ୍ଗ: ଭଲ ଚିନ୍ତା କର, ଭଲ କାମ କର, ତୁମର ଓ ଜଗତର ଭଲ ସାଧନ ହେବ। ଭଲ କରିବା ପାଇଁ ହେଲେ ନିଜ ଅନ୍ତରାତ୍ମାରେ ବିଶ୍ୱାସ ଜନ୍ମିବା ଆବଶ୍ୟକ। ଚିନ୍ତାଧାରା ଅନୁସାରେ ମନୁଷ୍ୟର ବିଶ୍ୱାସ ଜନ୍ମେ ଓ ସେଥିରୁ ବ୍ୟକ୍ତିତ୍ୱର ବିକାଶ ହୁଏ। ନିଜର ବିକାଶ ଓ ବିନାଶ ଅନନ୍ତ ଆତ୍ମାର ମୂଲ୍ୟାୟନ ଅନୁସାରେ ହୋଇଥାଏ। ବାରଙ୍ଗ ବେଲଗଛିଆ ପଞ୍ଚାୟତ ନରଣପୁରସ୍ଥିତ କେଏମ୍‌ବିବି ଜୁନିୟର୍‌ ସାଇନ୍ସ କଲେଜ ପ୍ରେକ୍ଷାଳୟରେ ମଙ୍ଗଳବାର ଅନୁଷ୍ଠିତ ‘ଜୀବନରେ ସଫଳତା ପାଇବାର ରହସ୍ୟ’ ଉପରେ ପ୍ରବଚନ ଦେଇ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀ ମହାରାଜ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଏପରି ସାଧୁବାଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସ୍ୱାମୀଜୀଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ସ୍ୱାମୀଜୀଙ୍କ ଭଳି ଆଧ୍ୟାତ୍ମିକ ଗୁରୁଙ୍କୁ ହିତୋପଦେଶ ଅନୁଷ୍ଠାନର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଫଳତାର ବାଟ ଦେଖାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। ‘ସମ୍ବାଦ’ ଶିକ୍ଷା ଅନୁଷ୍ଠାନ ସମୂହର ନିର୍ଦ୍ଦେଶକ ପ୍ରଫେସର୍‌ ସରୋଜ ପଣ୍ଡା ସ୍ୱାମୀଜୀଙ୍କ ପ୍ରଶଂସା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ସ୍ୱାମୀଜୀ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସଫଳତାର ମନ୍ତ୍ର ଦେଇଥିଲେ। ଶେଷରେ କଲେଜର ଏକାଡେମିକ୍‌ ଡିନ୍ ଡ. ବିଜୁନି କୁମାର ସୂତାର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର