ଟାହିଆ ପ୍ରସ୍ତୁତି ଶେଷ, ଟାହିଆରେ ଲାଗେ ଦୁବ ଘାସରୁ ପଦ୍ମ ଫୁଲ  

ପୁରୀ : ଗୁଣ୍ଡିଚା ବାଡ଼ି ବୁଲିଯିବାକୁ ପ୍ରଭୁ ଗୋଡ଼ ଟେକି ବସିଲେଣି। ଏଣେ ରଥ ସଜେଇ ହୋଇ ଗୁଣ୍ଡିଚା ଘର ଆଡ଼କୁ ମୁହଁ କରି ଛିଡ଼ା ହେଲାଣି। ମହାପ୍ରଭୁଙ୍କୁ ବୁଲେଇ ନେବାକୁ ସବୁକିଛି ଖଞ୍ଜା ସରିଲାଣି। ସଜେଇ ହେବାରେ ସରାଗ ରଖୁଥିବା ମହାପ୍ରଭୁ ଟାହିଆ ପିନ୍ଧି ଶ୍ରୀମନ୍ଦିରରୁ ଝୁଲିଝୁଲି ରଥ ଉପରକୁ ଆସିବେ। ସେଥିପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ରୂପକାର ସେବକ। ମହାପ୍ରଭୁଙ୍କ ପହଣ୍ଡିରେ ଆକର୍ଷଣ ସାଜୁଥିବା ଟାହିଆକୁ ସଯତ୍ନରେ ପ୍ରସ୍ତୁତ କରୁଛନ୍ତି ବସନ୍ତ କୁମାର ରଣା ଓ ଅନ୍ୟ ୭ଜଣ ସହଯୋଗୀବୃନ୍ଦ। ମହାପ୍ରଭୁ ଅମାପ ମାପ ସମ୍ପତିର ଅଧିକାରୀ ହୋଇଥିଲେ ହେଁ ଦୁବ ଭଳି ଏକ କ୍ଷୁଦ୍ର ଘାସକୁ ନିଜ ମଥାରେ ସ୍ଥାନ ଦେଇ ପ୍ରମାଣିତ କରିଦିଅନ୍ତି ସେ ସମସ୍ତଙ୍କଠାରେ ଶ୍ରଦ୍ଧା ରଖନ୍ତି।

ରାଘବ ଦାସ ମଠ ପକ୍ଷରୁ ଟାହିଆ ପ୍ରସ୍ତୁତିର ସମସ୍ତ ଭାର ନିଆଯାଇଛି। ପରମ୍ପରା ମୁତାବକ ଟାହିଆ ପ୍ରସ୍ତୁତି ପର୍ବ ଅକ୍ଷୟ ତୃତୀୟାଠୁ ଅନୁକୂଳ ହେଉଥିଲେ ହେଁ ରଥର ୫ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ଟାହିଆ ଫ୍ରେମ ପ୍ରସ୍ତୁତି। ବାଉଁଶରୁ ପାତ କରାଯିବା ପରେ ବେତ, ପଟ୍ଟ, ସୂତା ଓ କଇଁଥ ଅଠା ସାହାଯ୍ୟରେ ଏହାକୁ ବନ୍ଧା ଯାଇଛି। ଏହା ଉପରେ ସୋଲରେ ଚଉକ, ପାନପତ୍ରୀ, ତୀର, ପାଖୁଡ଼ା ଆଦି ପ୍ରସ୍ତୁତି କରାଯିବା ପରେ ଚିତ୍ରକର ଏହା ଉପରେ ରଙ୍ଗ ସ୍ପର୍ଶ ଦେଇଛନ୍ତି। ଟାହିଆରେ ଆକର୍ଷଣ ସାଜୁଥିବା ରଙ୍ଗଣି ଫୁଲ ବ୍ରହ୍ମଗିରି ବଡ଼ତରାରୁ ରାଘବ ଦାସ ମଠ ପକ୍ଷରୁ ମଗାଯାଇସାରିଛି। ଏହା ବ୍ୟତୀତ ଚୂଳ ପ୍ରସ୍ତୁତ ଲାଗି ତୁଳସୀ, ଦୟଣା, ଦୁବ ସମେତ ଟାହିଆରେ ଖଞ୍ଜିବା ଲାଗି ଜୁଇ, ମାଳତୀ, ମଲ୍ଲୀ ଓ ପଦ୍ମର ମାଳ ପ୍ରସ୍ତୁତି କରାଯାଇଛି। କିଛି ଫୁଲ ଭକ୍ତମାନେ ଯୋଗାଇ ଦେଇଥିବା ବେଳେ ଶ୍ରୀମନ୍ଦିରରୁ ଦୟଣା ଆସେ ବୋଲି ସେ ଶ୍ରୀ ରଣା କହିଛନ୍ତି।

ବସନ୍ତଙ୍କ କହିବା ମୁତାବକ, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ଟାହିଆରେ ୩୭ କାଠି, ବଳଭଦ୍ରଙ୍କ ଟାହିଆରେ ୩୧ କାଠି ବ୍ୟବହୃତ ହୁଏ। ଯଦିଓ ରଥଯାତ୍ରା ସମେତ ନୀଳାଦ୍ରି ବିଜେ, ସ୍ନାନପୂର୍ଣ୍ଣିମା ସମୟରେ ମଧ୍ୟ ଟାହିଆ ପ୍ରସ୍ତୁତ ହୁଏ ତେବେ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ୮ଫୁଟ ଉଚ୍ଚର ଟାହିଆ ପ୍ରସ୍ତୁତ କରାଯାଏ। ସୁଭଦ୍ରାଙ୍କ ପାଇଁ ତ୍ରିଭୂଜ ସଦୃଶ ଟାହିଆ ପ୍ରସ୍ତୁତ କରାଯାଏ। ଏହାକୁ ପାନିଆ କୁହାଯାଏ। ତେବେ ସୁଦର୍ଶନଙ୍କ ପାଇଁ କିଆ, ଦୁବ ଓ ଫୁଲରେ ପ୍ରସ୍ତୁତ ଚୂଳ ଚନ୍ଦ୍ରିକା ପ୍ରସ୍ତୁତ କରାଯାଏ। ଏଥିପାଇଁ ସନ୍ଧ୍ୟାରୁ ଫୁଲ ଖଞ୍ଜା ଆରମ୍ଭ ହୋଇଯାଏ। ରାତି ପର୍ଯ୍ୟନ୍ତ କାମ ଚାଲେ। ଆସନ୍ତାକାଲି ଅବକାଶ ସରିବା ପରେ ଡାକରା ଆସିଲେ ରାଘବ ଦାସ ମଠ ପକ୍ଷରୁ ଟାହିଆ ନେଇ ଯିବୁ। ମହାପ୍ରଭୁ ସାତ ପାହାଚକୁ ଓହ୍ଲାଇବା ପରେ ମହାପ୍ରଭୁଙ୍କ ମସ୍ତକରେ ଏହାକୁ ଲାଗି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର