ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରି ଗାଡ଼ି ଛଡ଼ାଇନେଲେ ବାଲି ମାଫିଆ

ବାଲେଶ୍ୱର : ‌ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲଦାର ଅଶେଷ ନାୟକ। ଦୁର୍ବୃତ୍ତଙ୍କ କବଳରୁ ତହସିଲଦାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉପଜିଲ୍ଲାପାଳ ମଧ୍ୟ ଆକ୍ରୋଶର ଶିକାର ହୋଇଛନ୍ତି। ବୁଧବାର ନୀଳଗିରି ଥାନା ପୁନ୍ଦାଳୋ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ମୁତାବକ, ସୋନ ନଦୀର ପୁନ୍ଦାଳୋଠାରେ ବୁଧବାର ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ଖବର ପାଇବା ପରେ ନୀଳଗିରି ତହସିଲଦାର ଅଶେଷ ନାୟକ ପୁଲିସ ଫୋର୍ସ ଧରି ସେଠାରେ ଚଢ଼ଉ କରିଥି‌ଲେ। ‌ଘଟଣାସ୍ଥଳରୁ ୨ଟି ଟିପର, ଗୋଟିଏ ଜେସିବି ଓ ଗୋଟିଏ ଲୋଡର ଜବତ କରି ଫେରୁଥିବା ବେଳେ ବାଲିମାଫିଆ ଓ ପୁନ୍ଦାଳୋ‌ ଗାଁର କିଛି ଲୋକ ଏକାଠି ହୋଇ ପୁଲିସ, ତହସିଲଦାରଙ୍କୁ ଚାରିପଟୁ ଘେରି ଯାଇଥିଲେ। ଦୁବୃର୍ତ୍ତମାନେ ତହସିଲଦାର ଶ୍ରୀ ନାୟକଙ୍କ ଉପରକୁ ଢେଲା ପଥର ମାଡ଼ କରି ଗାଡ଼ି ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଖବର ପାଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ସେଠାରେ ପହଞ୍ଚିବା ବେଳେ ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ। ଦୁବୃର୍ତ୍ତମାନେ ଉଭୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଘେରିଯାଇ ଠେଲାପେଲା କରିବା ସହ ଘଟଣାସ୍ଥଳରୁ ଗୋଟିଏ ଟିପର ଓ ଜେସିବି ମେସିନ୍‌ ଛଡ଼ାଇ ନେଇଥିବା ତହସିଲଦାର ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର