ଭୁବନେଶ୍ୱରରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ସମୀକ୍ଷା : ସମୟସୀମା ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଜୁଲାଇରେ ୯ ମହଲା ଓ ମଞ୍ଚେଶ୍ୱର ଟାଓ୍ଵାର, ଅଗଷ୍ଟରେ କୃଷି ଭବନ କାମ ସରିବ
ଭୁବନେଶ୍ୱର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା(ହାଇ ରାଇଜ୍) ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତିି। ନିର୍ଦିଷ୍ଟ ସମୟସୀମା ମଧ୍ୟରେ କୋଠାବାଡ଼ି ପ୍ରକଳ୍ପ ଗୁଡ଼ିକର କାମ ସାରିବାକୁ ସେ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୀକ୍ଷାର ସୂଚନା ମୁତାବକ ପୂର୍ତ୍ତ ବିଭାଗ ରାଜଧାନୀ ଭୁବନେଶ୍ୱରରେ ୬ଟି ଉଚ୍ଚ ଅଟ୍ଟାଳିକା ନିର୍ମାଣ କରୁଛି। ଏଥିମଧ୍ୟରୁ ସାଧାରଣ ପ୍ରଶାସନ ବିଭାଗର ୯ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକା କାର୍ଯ୍ୟ ଆସନ୍ତା ଜୁଲାଇ ମାସରେ ସରିବ। ଏଥିପାଇଁ ପ୍ରାୟ ୧୨୪ କୋଟି ବିନିଯୋଗ କରାଯାଉଛି। ସେହିପରି ୩୫ କୋଟି ବ୍ୟୟରେ ନିର୍ମାଣାଧୀନ କନ୍ଭେନ୍ସନ୍ ସେଣ୍ଟର କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ। ଏହାର ମୁଖ୍ୟ ହଲ୍ରେ ୩୯୦ଜଣ ବ୍ୟକ୍ତି ବସିପାରିବେ। ରାଜଭବନର ଅଭିଷେକ ହଲ୍ କାର୍ଯ୍ୟ ସରିବ ଡିସେମ୍ବରରେ। ଏହି ହଲ୍ର କ୍ଷମତା ୧୦୦୦ ଏବଂ କନ୍ଫରେନ୍ସ ହଲ୍ର କ୍ଷମତା ୬୦। ଏଥିପାଇଁ ୧୯ କୋଟି ବ୍ୟୟ କରାଯାଉଛି। ସେହିପରି ୟୁନିଟ୍-୮ରେ ସରକାରୀ ନିବାସ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କଳା ବ୍ଲକ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ଶୀଘ୍ର ସରିବ ବୋଲି ବୈଠକରେ ସୂଚନା ମିଳିଥିଲା।
ସୂଚନାନୁସାରେ ଇଡ୍କୋ ପକ୍ଷରୁ ନିର୍ମାଣାଧୀନ କୃଷି ଭବନ ପ୍ରକଳ୍ପ ଆସନ୍ତା ଅଗଷ୍ଟ ସୁଦ୍ଧା ସଂପୂର୍ଣ୍ଣ ହୋଇ କାର୍ଯ୍ୟ କରିବ। ଏଥିପାଇଁ ୭୦.୫୯ କୋଟି ବିନିଯୋଗ କରାଯାଉଛି। ସେହିପରି ୧୪୦ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ମଞ୍ଚେଶ୍ୱର ଟାଓ୍ଵାର ଆଗାମୀ ଜୁଲାଇ ସୁଦ୍ଧା ସଂପୂର୍ଣ୍ଣ ହେବ। ତେବେ ୨୦୨୦ ମେ’ ମାସ ସୁଦ୍ଧା ୧୦୫ କୋଟି ବ୍ୟୟରେ ନିର୍ମାଣାଧୀନ ଚନ୍ଦକା ଇନ୍କ୍ୟୁବେସନ୍ ସେଣ୍ଟର କାର୍ଯ୍ୟ ସରିବ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଠକ୍କରବାପା ହଷ୍ଟେଲ୍ ନିର୍ମାଣ କାର୍ଯ୍ୟ ଜୁଲାଇ ମାସରେ ସରିବ। ଆସନ୍ତା ଡିସେମ୍ବରରେ ୨.୩୯ କୋଟି ବ୍ୟୟରେ ନିର୍ମାଣାଧୀନ ହଜ୍ ହାଉସ୍ର କାମ ସଂପୂର୍ଣ୍ଣ ହେବ। ସେହିପରି ଓରେଡ଼ାର ନୂଆ କାର୍ଯ୍ୟାଳୟ କୋଠାବାଡ଼ି, ଓପିଟିସିଏଲ୍ ଅଫିସ ବିଲ୍ଡିଂ ଡିସେମ୍ବର ବେଳକୁ ସରିବ ବୋଲି ସୂଚନା ମିଳିଛି।
ଆଗାମୀ ଦିନରେ ପୂର୍ତ୍ତ ବିଭାଗ ପକ୍ଷରୁ ନନ୍ଦନକାନନର ୩୦୦ କ୍ଷମତା ବିଶିଷ୍ଟ ମଲ୍ଟି ଲେଭଲ୍ କାର୍ ପାର୍କିଂ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଥ୍ମେଟିକ୍ସର ହଷ୍ଟେଲ୍ ବିଲ୍ଡିଂ, ଭୁବନେଶ୍ୱରର ନୂଆ କୋର୍ଟ କମ୍ପ୍ଲେକ୍ସ ଓ ଅନ୍ୟ କେତେକ ସରକାରୀ ନିବାସ, ହଷ୍ଟେଲ୍ ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ କମିସନର, ପୂର୍ତ୍ତ ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଇଡ୍କୋ ସିଏମ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।