ଥାନାରେ ଯୁବକଙ୍କୁ ମାଡ଼ ଅଭିଯୋଗ: ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଂଚଳର ଜଣେ ଯୁବକଙ୍କୁ ଜଣେ ମହିଳା ପୁଲିସ ଅଧିକାରୀ ମାଡ଼ ମାରିଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ମାଧ୍ୟମରେ ତରଭା ଥାନାରେ ତାଙ୍କୁ ମାଡ଼ ମରାଯାଇଥିବା ସମ୍ପୃକ୍ତ ଯୁବକ ଅଭିଯୋଗ କରୁଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗରୁ ଜଣାପଡ଼ିଛି ଯେ, ତରଭା ଥାନା ଖଇଟିକିରା ଗ୍ରାମର ରାଜେନ୍ଦ୍ର ସୁନାଙ୍କୁ ପୁଲିସ କୌଣସି ଏକ ମାମଲାରେ ତଦନ୍ତ ପାଇଁ ଥାନାକୁ ଡାକିଥିଲେ। ଏହି ସମୟରେ ମହିଳା ପୁଲିସ ଅଧିକାରୀ ଜଣକ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ମାଡ଼ ଯୋଗୁଁ ତାଙ୍କ ହାତ ଓ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି। ମାଡ଼ ମାରିବା ପରେ ପୁଲିସ ତାଙ୍କୁ ଥାନାରୁ ଛାଡ଼ି ଦେଇଥିବା ସେ କହୁଥିବା ଜଣାଯାଇଛି। ରାଜେନ୍ଦ୍ରଙ୍କ ସମ୍ପର୍କୀୟ ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିବା ଜଣାଯାଇଛି। ଏ ସମ୍ପର୍କରେ ତରଭା ଥାନା ଅଧିକାରୀ ଡୋଳାମଣି ଭୋଇଙ୍କୁ ଯୋଗାଯୋଗ କରାଯିବାରେ ଥାନାରେ ସେମିତି କୌଣସି ଘଟଣା ଘଟି ନାହିଁ କି ଏସମ୍ପର୍କରେ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ପ୍ରକାଶ କରିଥିଲେ। ସେହିପରି ସୋନପୁର ଏସଡିପିଓ ମିହିର ପଣ୍ତାଙ୍କୁ ଯୋଗାଯୋଗ କରାଯିବାରୁ ଏସମ୍ପର୍କରେ ତାଙ୍କ ନିକଟକୁ କୌଣସି ଅଭିଯୋଗ ଆସି ନାହିଁ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର