ରାଜ୍ୟର ଅନ୍‌ଲାଇନ୍‌ ସପିଂ ପ୍ଲାଟଫର୍ମରେ ନୂଆ କ୍ରେଜ୍‌ ‘ତାସୁକେରୁ’

ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଲେ ଆଶୁତୋଷ

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍‌ କାଳରେ ଲୋକେ ବିଶେଷ କରି ଯୁବପିଢ଼ି ଜୀବନଜୀବିକା ହରାଇ ଚିନ୍ତାରେ ପଡ଼ିଥିବା ବେଳେ ଏବେ ସେମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଆଶୁତୋଷ। ଆଉ ତାଙ୍କ ସହ-ପ୍ରତିଷ୍ଠାତା ଅଙ୍କିତ ଧଳ ଓ ମନୋଜ ବିଶ୍ଵାଳ ଏବଂ ମୁଖ୍ୟ ବୈଷୟିକ ଅଧିକାରୀ ଆଶୁତୋଷ ସାହୁ।

ଲକ୍‌ଡାଉନ୍‌ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର ଲୋକାଲ’ ନାରାରେ ଅନୁପ୍ରାଣିତ ହୋଇ ରେଭେନ୍ସାରୁ ଆଇଏସ୍‌ଟି ଓ ପରେ ଏମ୍‌ସିଏ ପଢ଼ିଥିବା ଆଶୁତୋଷ ୱେବ୍‌ସାଇଟ ଏବଂ ମୋବାଇଲ ଆପ୍‌ ଜରିଆରେ ଲୋକଙ୍କୁ ଅନଲାଇନ୍‌ ସପିଂର ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ନେଇ ନିଜର ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ନିଜ ଷ୍ଟାର୍ଟଅପ୍‌ ସଂସ୍ଥାର ନାମକରଣ କରିଥିଲେ ତାସୁକେରୁ। (‘ତାସୁକେରୁ’ ହେଉଛି ଏକ ଜାପାନୀ ଶବ୍ଦ। ଯାହାର ଅର୍ଥ ହେଲା ଅନ୍ୟକୁ ସାହାଯ୍ୟ କରିବା)। ଏହି ଅନ୍‌ଲାଇନ୍‌ ସପିଂ ପ୍ଲାଟଫର୍ମ ଜରିଆରେ ଆଶୁତୋଷ ପ୍ରଥମେ ତାଙ୍କର ଗ୍ରାହକମାନଙ୍କୁ ସ୍ୱଳ୍ପ ସମୟରେ ଓ ସଠିକ୍‌ ମୂଲ୍ୟରେ ରାଜଧାନୀ ଭୁବନେଶ୍ବର ଓ କଟକ ତଥା ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ପ୍ରସିଦ୍ଧ ଜିନିଷ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଆଶୁତୋଷଙ୍କ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ତାଙ୍କର ଏହି ଛୋଟିଆ ପ୍ରୟାସଟି ଏବେ ସଫଳତାର ପାହାଚ ଚଢ଼ିବାକୁ ଆରମ୍ଭ କରିଛି।

‘ତାସୁକେରୁ’ ଅନ୍‌ଲାଇନ୍‌ ସପିଂ ପ୍ଲାଟଫର୍ମ ଜରିଆରେ ଏବେ ଗ୍ରାହକମାନଙ୍କୁ ଗ୍ରୋସରି ସାମଗ୍ରୀ, ଫଳ ପନିପରିବା,ପ୍ରସାଧନ ସାମଗ୍ରୀ ଇତ୍ୟାଦି ଯୋଗାଇ ଦିଆଯାଉଛି। ଅନ୍ୟ ଜାତୀୟ ସ୍ତରର ଅନ୍‌ଲାଇନ୍‌ ସପିଂ ପ୍ଲାଟଫର୍ମଗୁଡ଼ିକ କୋଲକାତା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ପ୍ରଭୃତି ବାହାର ରାଜ୍ୟରେ ଥିବା ବଡ଼ବଡ଼ ଶୀତଳ ଭଣ୍ଡାରଗୁଡ଼ିକରୁ ପନିପରିବା ଆଣି ଯୋଗାଉଥିବା ବେଳେ ‘ତାସୁକେରୁ’ କିନ୍ତୁ ସ୍ଥାନୀୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ପରିବାକୁ କ୍ରୟ କରି ସେଗୁଡ଼ିକୁ ନେଇ ନିଜର ଗ୍ରାହକମାନଙ୍କ ନିକଟରେ ପହଞ୍ଚାଉଛି। ଫଳରେ ଲକଡାଉନ କାଳରେ ଉଭୟ ଗ୍ରାହକ ଓ ସ୍ଥାନୀୟ ବ୍ୟବସାୟୀ ନିକଟରେ ‘ତାସୁକେରୁ’ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

ଏତିକିରେ ନିଜ ସେବାକୁ ସୀମିତ ରଖିନାହିଁ ‘ତାସୁକେରୁ’; ଭୁବନେଶ୍ୱରର ମିଠା ଯେପରିକି ପାହାଳ ରସଗୋଲା, ଲିଙ୍ଗରାଜ ଲସି, ବିଭିନ୍ନ ମନ୍ଦିରର ପ୍ରସାଦ ଠାରୁ ଆରମ୍ଭ କରି ବିଭିନ୍ନ ହେଟେଲର ଖାଦ୍ୟକୁ ନେଇ ମଧ୍ୟ ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛି ସଂସ୍ଥା। ଗ୍ରାହକ ତାଙ୍କର ପସନ୍ଦ ମୁତାବକ ଯେଉଁ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବା ହୋଟେଲରୁ ଚାହୁଁଛନ୍ତି ସେହି ସ୍ଥାନରୁ ଜିନିଷ ଆଣି ସେମାନଙ୍କ ନିକଟରେ ପହଞ୍ଚାଉଛି ସଂସ୍ଥା। ଏଥିସହ ଗ୍ରାହକମାନଙ୍କୁ ପାର୍ସଲ ପିକ୍‌ ଆଣ୍ଡ୍‌ ଡ୍ରପ୍‌ ସେବା ମଧ୍ୟ ସଂସ୍ଥା ଯୋଗାଇ ଦେଉଛି।

ଏବେ ସୁଦ୍ଧା ଭୁବନେଶ୍ୱର, କଟକ ଓ ଭଦ୍ରକର ୫୦୦୦ରୁ ଅଧିକ ଗ୍ରାହକଙ୍କୁ ସଫଳତାର ସହ ସେବା ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ସଂସ୍ଥା ନିଜର ସେବାକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବା ସହ ନିଜର ସେବା ପ୍ରଦାନ ତାଲିକାରେ ଔଷଧ ପରି ଆହୁରି ବହୁବିଧ ସାମଗ୍ରୀକୁ ସାମିଲ କରିବ ବୋଲି କହିଛନ୍ତି ‘ତାସୁକେରୁ’ର ପ୍ରତିଷ୍ଠାତା ଆଶୁତୋଷ ପାତ୍ର।

ସମ୍ବନ୍ଧିତ ଖବର