ସ୍ପଷ୍ଟ କଲା ଟାଟା ମୋଟର୍ସ : ଆକାଶ କେବେ ଆମର କର୍ମଚାରୀ ନ ଥିଲେ

କାଲି ଭିଜିଲାନ୍ସ ଆଗରେ ସତ ମାନି ଯାଇଥିଲେ

ଭୁବନେଶ୍ୱର : ଟାଟା ମୋଟର୍ସର ନିର୍ଦ୍ଦେଶକ ପରିଚୟ ଦେଇ ଆକାଶ ଖାଲି ବେକାର ଯୁବକ/ଯୁବତୀଙ୍କୁ ଚୂନ ଲଗାଇ ନଥିଲେ, ବରଂ ଟ୍ରାଭେଲ୍ସ ଏଜେନ୍ସି, ବିଭିନ୍ନ ହୋଟେଲକୁ ମଧ୍ୟ ଠକିଥିବା ସନ୍ଦେହରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଚାର୍ଟର୍‌ ବିମାନରେ ଉଡ଼ିବା ନାଁରେ ଭୁବନେଶ୍ବର ପୋଖରୀପୁଟସ୍ଥିତ ସ୍କାଏ କିଙ୍ଗ୍ ଟ୍ରାଭେଲ ଏଜେନ୍ସିକୁ ୬୫ଲକ୍ଷ ଟଙ୍କା ଠକେଇ ମାମଲାର ଖୋଳତାଡ଼ ଚଳାଇଛି କମିସନରେଟ୍‌ ପୁଲିସ୍‌। ଟାଟା ମୋଟର୍ସ ଏମଡି କହି ଆକାଶ ଏକାଧିକ ଥର ଚାର୍ଟର ଫ୍ଲାଇଟ୍ ବୁକିଂ କରିଥିଲେ।

ଆକାଶ ଏମ୍‌ଡି କି ନାହିଁ, ତାହା ଜାଣିବା ଲାଗି ଟାଟା ମୋଟର୍ସକୁ କମିସନରେଟ୍ ପୁଲିସ ଲେଖିଥିବା ଚିଠିର ଉତ୍ତର ପାଇଛି। ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ ଆକାଶ କେବେ ବି ତାଙ୍କ କମ୍ପାନିର କର୍ମଚାରୀ ନ ଥିଲେ କିମ୍ବା ଜିଏସ୍‌ଟି ଭରଣା ପାଇଁ କେବେ ମଧ୍ୟ ଟ୍ରାଭେଲ୍ସ ଏଜେନ୍ସି ପକ୍ଷରୁ ଭାଉଚର କମ୍ପାନିକୁ ଆସିନାହିଁ। ସେହିପରି ସ୍କାଏ କିଙ୍ଗ୍ ଟ୍ରାଭେଲ୍ସ ସଂସ୍ଥା ଟାଟା କମ୍ପାନିର ଭେଣ୍ଡର୍‌ ନୁହେଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

ଟାଟା ମୋଟର୍ସ ସ୍ପଷ୍ଟୀକରଣ ପୂର୍ବରୁ ଆକାଶ ଗତକାଲି ଭିଜିଲାନ୍ସର ମାରାଥନ୍ ଜେରାରେ ସବୁ ସତ ମାନି ଯାଇଥିଲେ। ସେ ଟାଟା ମୋଟର୍ସରେ ଏମ୍‌ଡି ନୁହନ୍ତି ବୋଲି କହିଥିଲେ। କେବଳ ଲୋକଙ୍କୁ ଠକିବା ଓ ସମାଜରେ ହାଇ ପ୍ରୋଫାଇଲ ଷ୍ଟାଟସ୍ ଦେଖାଇବା ଲକ୍ଷ୍ୟ ଥିଲା ବୋଲି ସେ ସ୍ବୀକାର କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି, ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ଆକାଶ ଆହୁରି କେତେ ଠକେଇ କରିଛନ୍ତି? ଟ୍ରାଭେଲ୍ ଏଜେନ୍ସି ଭଳି ଆଉ କେଉଁ ସଂସ୍ଥାକୁ ଠକିଛନ୍ତି? ଓଡ଼ିଶା, ମହାରାଷ୍ଟ୍ର ପରି ଆଉ କେଉଁ ରାଜ୍ୟରେ ବେକାର ଯୁବକ/ଯୁବତୀଙ୍କୁ ଚୂନ ଲଗାଇଛନ୍ତି? ବିଦେଶରେ ଠକେଇ କରିଛନ୍ତି କି? ସେ ସବୁର ଖୋଳତାଡ଼ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଅନ୍ୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସହାୟତା ନିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ସ୍କାଏ କିଙ୍ଗ ଟ୍ରାଭେଲ୍ ଏଜେନ୍ସି ଜରିଆରେ ଆକାଶ ନିଜକୁ ଟାଟା ମୋଟର୍ସ ଏମଡି ପରିଚୟ ଦେଇ ଏକାଧିକ ଥର ଚାର୍ଟର ବିମାନରେ ସପରିବାର ଯାତ୍ରା କରିଥିଲେ। ବିମାନ ଭଡ଼ା ବାବଦରେ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା। ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଥିଲେ। ବାକି ୬୫ ଲକ୍ଷ ଟଙ୍କା ଦେଉ ନ ଥିଲେ। ଏ ନେଇ ଟ୍ରାଭେଲ ଏଜେନ୍ସି କର୍ତ୍ତୃପକ୍ଷ ବାକି ଟଙ୍କା ମାଗିବାରୁ ସେମାନଙ୍କୁ ଧମକଚମକ ଦେଉଥିଲେ। ଏ ନେଇ ଟ୍ରାଭେଲ ଏଜେନ୍ସିର ପରିଚାଳନା ପାର୍ଟନର୍‌ ପ୍ରଭାସ କୁମାର ଚୌଧୁରୀ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର