ଭୁବନେଶ୍ବର : ସାହିତ୍ୟକୁ ନେଇ କିଛି ଲୋକଙ୍କ ଭ୍ରାନ୍ତ ଧାରଣା ରହିଛି। ସେମାନେ ଭାବନ୍ତି, ବୁଝିବାକୁ କଷ୍ଟ ହେଉଥିବା ସାହିତ୍ୟ ଭଲ ତଥା ଉଚ୍ଚକୋଟୀର ସାହିତ୍ୟ। କିନ୍ତୁ ବାସ୍ତବ କଥା ହେଲା, ପଢ଼ୁ ପଢ଼ୁ ବୁଝି ହେଉଥିବା ସାହିତ୍ୟ ସର୍ବୋତ୍ତମ ଓ ସେ ଲେଖକ ସଫଳ ଲେଖକ ବୋଲି କହିଛନ୍ତି ପ୍ରଖ୍ୟାତ କବି ରମାକାନ୍ତ ରଥ। ଆଜି ଭୁବନେଶ୍ବର କ୍ଲବ୍‌ଠାରେ ଟାଟା ଷ୍ଟିଲ୍‌ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି କବି ଶ୍ରୀ ରଥ ଏହା କହିଛନ୍ତି। ଏହି ଅବସରରେ ସେ ବିଶ୍ବ ସାହିତ୍ୟ ଉପରେ ଦେଖାଦେଇଥିବା ସଂକଟ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, କେବଳ ଓଡ଼ିଆ ସାହିତ୍ୟ ନୁହେଁ; ସାରା ବିଶ୍ବର ସାହିତ୍ୟ ବର୍ତ୍ତମାନ ବିପର୍ଯ୍ୟୟ ଦେଇ ଗତି କରୁଛି। ହିଂସା, ପରଶ୍ରୀକାତରତା ଓ ଶତ୍ରୁତା ଏବେ ଏତେ ମାତ୍ରାରେ ବଢ଼ିଯାଇଛି‌ ଯେ ଏ ସବୁକୁ ଅତିକ୍ରମ କରିବା କଷ୍ଟକର ହୋଇଗଲାଣି। ଆମେ ଯେପର୍ଯ୍ୟନ୍ତ ଏସବୁକୁ ଅତିକ୍ରମ ନ କରିଛେ, ଏକ ଚିରଞ୍ଜୀବୀ ସାହିତ୍ୟ ସୃଷ୍ଟି ଅସମ୍ଭବ।

Advertisment

‌ସେ ଆହୁରି କହିଥିଲେ, ସାହିତ୍ୟର କିଛି ସମୟସୀମା ନଥାଏ। ପ୍ରତିଟି କାଳଜୟୀ ଲେଖା ସମୟର ପରିଧି ବାହାରେ ପ୍ରତିଟି ପାଠକକୁ ଆମୋଦିତ କରିଥାଏ। ଏହାକୁ ସ୍ପଷ୍ଟ ଭାବେ ବୁଝାଇ ଶ୍ରୀ ରଥ ବିଶିଷ୍ଟ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଓ କାଳନ୍ଦୀଚରଣ ପାଣିଗ୍ରାହୀଙ୍କ ଉଦାହରଣ ଦେଇଥିଲେ। ଆଜି ବି ଏହି ଔପନ୍ୟାସିକମାନଙ୍କ ସାରସ୍ବତ କୃତି ବେଶ୍‌ ଉପଯୋଗୀ। ଏହା ଆମ ସାହିତ୍ୟଜଗତକୁ ପ୍ରାଚୁର୍ଯ୍ୟମୟ କରୁଛି।

ଭୁବନେଶ୍ବର ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀଙ୍କ ସ‌ଂଯୋଜନାରେ ଆୟୋଜିତ ଏହି ସମାରୋହରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ, ଓଡ଼ିଶା ସହ ଟାଟାର ସମ୍ପର୍କ ବେଶ୍‌ ନିବିଡ଼। ସାହିତ୍ୟର ପ୍ରଚାରପ୍ରସାର ଦିଗରେ ଟାଟା ନିଜକୁ ସାମିଲ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ବେଶ୍ ପ୍ରଶଂସନୀୟ। ଓଡ଼ିଶାର ସାହିତ୍ୟ ପରମ୍ପରା ବହୁ ପ୍ର‌ାଚୀନ। ଆଜି ଆମେ ଶାସ୍ତ୍ରୀୟ ଭାଷା ଦିବସ ପାଳନ କରୁଛୁ। ପୂର୍ବ ଭାରତରେ ସଂସ୍କୃତ ପରେ ଓଡ଼ିଆ ଭାଷା ହିଁ ଏକମାତ୍ର ଭାଷା, ଯାହା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଆମ ସାହିତ୍ୟ ବେଶ୍‌ ଶକ୍ତିଶାଳୀ। ଏଣୁ ଟାଟା ଏଭଳି କାର୍ଯ୍ୟକ୍ରମ ବହୁ ପୂର୍ବରୁ ଆରମ୍ଭ କରିବାର ଥିଲା। ତେବେ ଟାଟା ଓଡ଼ିଶା ସମେତ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ସ‌ାହିତ୍ୟ ଉତ୍ସବ କରିବା ଓ ‘ସମ୍ବାଦ’କୁ ଏହି କାର୍ଯ୍ୟକ୍ରମ ସହ‌ ଯୋଡ଼ିବା ପାଇଁ ଶ୍ରୀ ପଟ୍ଟନା‌ୟକ କୃତଜ୍ଞତା ଜ୍ଞାପନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଟାଟା ଷ୍ଟିଲ୍‌ର କର୍ପୋରେଟ୍‌ କମ୍ୟୁନିକେସନ ମୁଖ୍ୟ ସର୍ଭେଶ କୁମାର ଯୋଗ ଦେଇ ଭୁବନେଶ୍ବର ସାହିତ୍ୟ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

publive-image

ଦ୍ବିତୀୟ ଅଧିବେଶନରେ ସମ୍ପଦ ପଟ୍ଟନାୟକଙ୍କ ସଂଯୋଜନାରେ ‘ଆମ୍‌ ଆଇ ଅଡିବୁଲ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପଡ୍‌କାଷ୍ଟ୍‌, ରେଡିଓ ଓ ଅଡିଓ ବୁକ୍‌ର ଉପାଦେୟତା, ଉପକାରିତା ଓ ପ୍ରଚଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବିଶିଷ୍ଟ ଲେଖକ ରସ୍କିନ ବଣ୍ଡ ଭର୍ଚୁଆଲରେ, ଲୋକପ୍ରିୟ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ଦୀପ ରାୟ ଓ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଆଲୋଚକ ଭାବେ ଯୋଗ ଦେଇଥିଲେ। କେବଳ ଦିବ୍ୟାଙ୍ଗ ବା ଛୋଟ ପିଲାଙ୍କ ମଧ୍ୟରେ ନୁହେଁ, ଏହି ସବୁର ଚାହିଦା ସବୁବର୍ଗ ଓ ବୟସ୍କଙ୍କ ମଧ୍ୟରେ ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏଥିସହ କାଳ୍ପନିକ, ଅନ୍ଧବିଶ୍ବାସ ଓ ପରୀ କାହାଣୀ ଭଳି ଉତ୍ସାହ ଉଦ୍ଦୀପକ କାହାଣୀର ରୁଚି ଶ୍ରୋତାଙ୍କ ମଧ୍ୟରେ ଅଧିକ ରହୁଛି। ଅଡିଓ କାହାଣୀର ସାଉଣ୍ଡ ଇଫେକ୍ଟ ଓ ସ୍ବର ବହୁ ଦିନ ପର୍ଯ୍ୟନ୍ତ ଶ୍ରୋତାଙ୍କ ମନରେ ରହିଯାଏ। ଏଣୁ ଏବେ ବହୁ ଉପନ୍ୟାସ ଓ ସାରସ୍ବତ କୃତିକୁ ଅଡିଓ ବୁକ୍‌ ଆକାରରେ ପ୍ରସାରିତ କରାଯାଉଛି। ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍‌ ପକ୍ଷରୁ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟଙ୍କ ଉପନ୍ୟାସ ‘ଯାଜ୍ଞସେନୀ’କୁ ରେଡିଓ ବୁକ୍‌ କରାଯାଇଥିବା ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଥିଲେ।

ଉତ୍ସବର ତୃତୀୟ ଅଧିବେଶନରେ ପ୍ରକାଶକ ତଥା ଶିକ୍ଷାବିତ୍‌ ରାକେଶ ଖାନ୍ନା ତାଙ୍କ ଲିଖିତ ପୁସ୍ତକ ‘ଘୋଷ୍ଟ୍‌, ମନ୍‌ଷ୍ଟର୍‌ସ୍ ଆଣ୍ଡ୍‌ ଡେମନ୍‌ସ୍‌ ଅଫ୍‌ ଇଣ୍ଡିଆ’ ଉପରେ ଆଲୋଚନା କରିଥିଲେ। କଶ୍ମୀରଠାରୁ କନ୍ୟାକୁମାରୀ, ଦେଶର ପ୍ରତିଟି ସ୍ଥାନରେ ପ୍ରଚଳିତ ତଥା କଥିତ ୩୦୦ରୁ ଅଧିକ ଭୂତ, ଅସୁର ଓ ରାକ୍ଷସଙ୍କ ଉପରେ ସେ ଆଲୋଚନା କରିଥିଲେ। ଏଥିସହ କିଛି ଅନ୍ଧବିଶ୍ବାସଭିତ୍ତିକ ମନ୍ଦିର ଯଥା ଓଡ଼ିଶାର ଚାମୁଣ୍ଡା ଓ ଗୋଆର ବେଦ ମନ୍ଦିର ସମ୍ପର୍କରେ ସୂଚନା ଦେଇଥିଲେ। ସେ ଗବେଷଣା କରିଥିବା ବିଭିନ୍ନ ଅଞ୍ଚଳର ଅସୁର, ରାକ୍ଷସ, ଭୂତଙ୍କ ସହ ପୁରାଣ ବର୍ଣ୍ଣିତ କିଛି କାହାଣୀ ଦର୍ଶକଙ୍କୁ ଜଣାଇଥିଲେ। ଶେଷ‌ରେ ଦର୍ଶକଙ୍କ ଦ୍ବାରା ପଚା‌ରାଯାଇଥିବା କିଛି ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ। ଅଧିବେଶନକୁ ସ୍ତମ୍ଭକାର ସନ୍ଦୀପ ରାୟ ସଂଯୋଜନା କରିଥିଲେ। ଶେଷରେ ଲୋକପ୍ରିୟ ହାସ୍ୟାଭିନେତା ଅଭିଜିତ ଗାଙ୍ଗୁଲିଙ୍କ ଷ୍ଟାଣ୍ଡ୍‌-ଅପ୍‌ କମେଡି ହାସ୍ୟରୋଳ ସୃଷ୍ଟି କରିଥିଲା।