ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ପରିବାରକୁ ଭେଟିଲେ ରାଜ୍ୟ ମହିଳା କମିସନ୍‌ ଅଧ୍ୟକ୍ଷା

ପୁଲିସ ତଦନ୍ତରେ ଅବହେଳା ହୋଇଥିବା ମାନିଲେ, ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପାରିସ୍

ରାଇରଙ୍ଗପୁର/ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଦୁଷ୍କର୍ମ ପୀଡ଼ିତା ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଡ.ମିନତି ବେହେରା ରାଇରଙ୍ଗପୁର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ସରକାରଙ୍କୁ ସୁପାରିସ କରିବେ ବୋଲି ଅଧ୍ୟକ୍ଷା ଡ. ବେହେରା ସୂଚନା ଦେବା ସହ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଏବଂ ପୁଲିସ ତଦନ୍ତରେ ଘୋର ଅବହେଳା ହୋଇଥିବା ସ୍ବୀକାର କରିଛନ୍ତି। ତେବେ ପୀଡ଼ିତା ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ପୂର୍ବାହ୍‌ଣରେ ମହିଳା କମିସନ ଅଧ୍ୟକ୍ଷା ଡ. ବେହେରାଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍ ବାରିପଦାରୁ ବାହାରି ଝାରପୋଖରିଆ ଥାନା ଅଞ୍ଚଳରେ ପୀଡ଼ିତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ। ପୁଲିସର ଅବହେଳା ପାଇଁ ତାଙ୍କ ଝିଅ ଜୀବନ ହାରିଲା ବୋଲି ପୀଡ଼ିତାଙ୍କ ବାପା ମହିଳା କମିସନ ଅଧ୍ୟକ୍ଷାଙ୍କୁ କହିଥିଲେ। ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରିବା ଲାଗି ପରିବାର ପକ୍ଷରୁ ଦାବି କରାଯାଇଥିଲା। ପରେ ଅଧ୍ୟକ୍ଷା ମଧ୍ୟାହ୍ନ ୧୨.୪୦ରେ ରାଇରଙ୍ଗପୁର ଟାଉନ୍ ଥାନାକୁ ଯାଇ ସେଠାରେ ମାମଲାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ପୀଡ଼ିତା ଅଧ୍ୟାପିକା ଜୀବନ ହାରିଥିବା ସ୍ଥାନକୁ ଯାଇ ସେଠାରେ କଲେଜ ଅଧ୍ୟକ୍ଷ କୁବେର କୁମାର ମହାନ୍ତଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପାଖାପାଖି ୨୦ ମିନିଟ୍ ରହିବା ପରେ ଡ. ବେହେରା ଫେରି ଯାଇଥିଲେ। ପୀଡ଼ିତାଙ୍କ ପରିବାରକୁ ଭେଟିବା ପୂର୍ବରୁ ଅଧ୍ୟକ୍ଷା ବାରିପଦାରେ ମୟୂରଭଞ୍ଜ ଏସ୍‌ପି ସ୍ମିତ.ପି.ପରମାରଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ପୁଲିସ୍ ଅବହେଳା କରିଥିବା ନେଇ ପ୍ରଶ୍ନ କରାଯିବାରୁ ଅଧ୍ୟକ୍ଷା ଡ. ବେହେରା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇଥିଲେ। କହିଥିଲେ, ତଦନ୍ତରେ ଅବହେଳା ପାଇଁ ରାଜ୍ୟ ପୁଲିସ ଡିଜି ଝାର‌ପୋଖରିଆ ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନଘଟିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସ୍ପଷ୍ଟ ହେବ। ତେବେ ଦୁଷ୍କର୍ମ ଭଳି ଏକ ସଙ୍ଗିନ ମାମଲାରେ କେବଳ ଥାନା ପକ୍ଷରୁ ଅବହେଳା ହୋଇଥିବା କହି ଅଧ୍ୟକ୍ଷା ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଥିବା ବିରୋଧୀ ବିଜେପି ଅଭିଯୋଗ କରିଛି। ଆଜି ପୀଡ଼ିତା ପରିବାରଙ୍କୁ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ସାରସକଣା ବିଧାୟକ ବୁଢ଼ାନ୍‌ ମୁର୍ମୁ, ସଂଜୀବ ମହାନ୍ତି, ପ୍ରଦୀପ ମହାନ୍ତି ପ୍ରମୁଖ ଭେଟିଥିଲେ। ଏହି ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଦାୟିତ୍ବରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛି ବିଜେପି ପ୍ରତିନିଧିଦଳ।

ସମ୍ବନ୍ଧିତ ଖବର