ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରବେଶ କରିବେ ୧୦ ଜଣିଆ ଟିମ୍‌

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ୧୦ ଜଣିଆ ଟିମ୍‌ ପ୍ରବେଶ କରିବେ ବୋଲି ଗୁରୁବାର ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭଣ୍ଡାର ମେକାପ ପ୍ରଥମେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ। ଗଜପତି ମହାରାଜ ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଏହି ଟିମ୍‌ ଭଣ୍ଡାର ଭିତରକୁ ଯିବ। ପାଟ୍ଟଯୋଶୀ ମହାପାତ୍ର, ତଢ଼ଉ କରଣ, ଦେଉଳ କରଣ, ଏଏସ୍‌ଆଇର ୨ଜଣ ଯନ୍ତ୍ରୀ, ଏଏସ୍‌ଆଇ କୋର୍‌ କମିଟିର ୨ଜଣ ସଦସ୍ୟ, ଏଏସ୍‌ଆଇ କମିଟିର ଜିସି ମିତ୍ର, ଏନ୍‌.ସି ପାଲ୍‌ ଓ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏସ୍‌.କେ ମହାନ୍ତି ମଧ୍ୟ ଭଣ୍ଡାର ଭିତରକୁ ପ୍ରବେଶ କରିବେ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି। ଆପାତତଃ ରତ୍ନ ଭଣ୍ଡାର  ଏପ୍ରିଲ   ୪ରେ ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଯଦି ଯାଞ୍ଚ ସମୟରେ ଭଣ୍ଡାରରେ କୌଣସି ତ୍ରୁୂଟି ଦେଖାଯାଏ ତେବେ  କେବେ ଓ କିପରି  ଏହାର ମରାମତି ହେବ ତାହା ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ତେବେ ଏ ନେଇ ହାଇକୋର୍ଟରେ ଏପ୍ରିଲ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ରତ୍ନଭଣ୍ଡାର ଭିତରକୁ ଯିବା ନେଇ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟର ଚୂଡାନ୍ତ ହୋଇଛି। ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବା ସହ ଭିଡିଓଗ୍ରାଫି ହେବ। ତେବେ ଯାଞ୍ଚ ସମୟରେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଛୁଇଁପାରିବେ ନାହିଁ । ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କର ପ୍ରଥମେ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ନେଇପାରିବେ ନାହିଁ । ଧୋତି , ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ । ରତ୍ନଭଣ୍ଡାର ଯାଞ୍ଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ମାତ୍ର ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ ।

ସତର୍କତା ଦୃଷ୍ଟି କୋଣରୁ, ରତ୍ନଭଣ୍ଡାର ଭିତରେ ବିଷଧର ସର୍ପ ରହିଥିବା କୁହାଯାଉଥିବା ହେତୁ ଯାଞ୍ଚ ସମୟରେ ସ୍ନେକ୍‌ହେଲପ୍‌ ଲାଇନ୍‌ଙ୍କୁ ସାଥୀରେ ନିଆଯିବ। ଏଥିସହିତ ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ମୁଣ୍ଡରେ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ ଲାଗିବ ଯାହା ରତ୍ନଭଣ୍ଡାର ଭିତରକୁ ବାଟ କଡ଼ାଇବାରେ ସାହାଯ୍ୟ କରିବ। ଯାଞ୍ଚ ସମୟରେ ଯଦି କାହାରି କିଛି ଅସୁବିଧା ହୁଏ ସେମାନଙ୍କ ସୁରକ୍ଷା ପାଇଁ ରତ୍ନଭଣ୍ଡାର ବାହାରରେ ଡାକ୍ତର ଓ ଆମ୍ବୁଲାନ୍ସ ମହଜୁଦ ରହିବ।

ସମ୍ବନ୍ଧିତ ଖବର