ବଲାଙ୍ଗୀର : ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଖାନା ପାଲଟିଲା ରଣକ୍ଷେତ୍ର

ସହକାରୀ ଅଧୀକ୍ଷକଙ୍କୁ ଠେଲାପେଲା ଓ ଡାକ୍ତର ଓ ନର୍ସଙ୍କୁ ମାଡ଼ ଅଭିଯୋଗ
ରୋଗୀ ସଂପର୍କୀୟଙ୍କୁ ମାଡ଼ ମାରିଲା ପୁଲିସ

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ସୋମବାର ଜଣେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଖାନା ପରିସର ପାଲଟିଥିଲା ରଣକ୍ଷେତ୍ର । ପୁଲିସ ଉତ୍ତେଜିତ ପୁରୁଷ ଓ ମହିଳାଙ୍କୁ ମାଡ଼ ମାରିଥିବା ନେଇ ଟାଉନ ଥାନାରେ ରୋଗୀ ସଂପର୍କୀୟମାନେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଡାକ୍ତର ଓ ନର୍ସମାନଙ୍କ ତରଫରୁ ମଧ୍ୟ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଉଭୟ ପକ୍ଷର ମାମଲାକୁ ନେଇ ୯ଜଣଙ୍କୁ ଅଟକ ରଖିଛି। ସେପଟେ ମୃତ ରୋଗୀଙ୍କ ଶବ ପୁରୁଷ ୱାର୍ଡରେ ବହୁ ସମୟ ପଡ଼ିରହିଥିଲା।

ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭୁର୍ସିପାଲି ଗାଁର ୨୪ ବର୍ଷୀୟ ଯୁବକ ସୁମନ୍ତ ବେହେରା(ମିଟୁ) ରବିବାର ହସପିଟାଲରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକଙ୍କ କହିବାନୁସାରେ, ସୁମନ୍ତଙ୍କୁ ଭର୍ତ୍ତି କରିବା ପରେ ଉପସ୍ଥିତ ଡାକ୍ତର ଓ ନର୍ସମାନଙ୍କୁ ଚିକିତ୍ସା ପାଇଁ ସେମାନେ ନେହୁରା ହୋଇଥିଲେ। ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିଲା। ଡାକ୍ତର କହିଥିଲେ ରୋଗୀଙ୍କ ହିମୋଗ୍ଲୋବିନ କମ୍‌ ରହିଛି। ରକ୍ତ ଦେବାକୁ ପଡ଼ିବ। ତାପରେ ପରିବାର ଲୋକେ ଗାଁର ଯୁବକଙ୍କୁ ରକ୍ତ ପାଇଁ ଆଜି ଡାକ୍ତରଖାନାକୁ ଡାକିଥିଲେ। ହେଲେ ରକ୍ତ ପାଇଁ ସୋମବାର ଡ୍ୟୁଟିରେ ଥିବା ଡାକ୍ତର କୌଣସି ରିକ୍ୟୁଜିସନ ଦେଇନଥିଲେ। ଏହାରି ଭିତରେ ଦିନ ୧୦ଟାରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

ଚିକିତ୍ସାରେ ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀ ସଂପର୍କୀୟ ପାଟିତୁଣ୍ଡ କରି ହୋହଲ୍ଲା କରିଥିଲେ। ଉପସ୍ଥିତ ନର୍ସ ଓ ଡାକ୍ତରଙ୍କ ସହ କଥା କଟାକଟି ମଧ୍ୟ ହୋଇଥିଲା। ଉତ୍ତେଜନା ଉଗ୍ରରୂପ ନେଇଥିଲା ଓ ଉତ୍ତେଜିତ ଯୁବକମାନେ ମେଲ୍‌ ମେଡିସିନ ୱାର୍ଡର ଡ୍ୟୁଟି ରୁମ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ପହଞ୍ଚିଥିଲା। ହେଲେ ଆସୁ ଆସୁ ହଠାତ୍‌ ଟାଉନ ଥାନା ଅଧିକାରୀ ରାଗିଯାଇଥିଲେ। ରୋଗୀ ସଂପର୍କୀୟମାନଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ବଡ଼ ପାଟିରେ ଉତ୍ତେଜନାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚିକିତ୍ସା ଅବହେଳା ନେଇ ତାତିଥିବା ଯୁବକ ଓ ମହିଳାମାନେ ମାନିବାକୁ ନାରାଜ ଥିଲେ। ଡାକ୍ତର ଓ ନର୍ସମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହାପରେ ପୁଲିସ ସମସ୍ତଙ୍କୁ ଘଉଡ଼ାଇବାକୁ ମାଡ଼ ମାରିଥିଲା।

ଏସବୁ ଭିତରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ଭୟଭୀତ ହୋଇ ଶୌଚାଳୟରେ ଲୁଚି ଦେଇଥିଲେ। କିଛି ସମୟ ପାଇଁ ମେଲ୍‌ ମେଡିସିନ ୱାର୍ଡରେ ତୀବ୍ର ଉତ୍ତେଜନା ଥିଲା। ଅନ୍ୟ ରୋଗୀ ସବୁ ବି ବେଡଗୁଡ଼ିକରୁ ଉଠି ଯିଏ ଯୁଆଡ଼େ ଚାଲିଯାଇଥିଲେ। ପୁଲିସ ଡାକ୍ତର ଓ ନର୍ସଙ୍କୁ ପରେ ଉଦ୍ଧାର କରିଥିଲା। ସମଗ୍ର ଘଟଣାକୁ ନେଇ ଟାଉନ ଥାନାକୁ ଦୁଇଟି ଅଭିଯୋଗ ପହଞ୍ଚିଛି। ପୁଲିସ ମାଡ଼ରେ ମୃତ ଯୁବକଙ୍କ ପରିବାର ଲୋକ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ କାର୍ଯ୍ୟରତ ଥିବା ତିନି ଜଣ ଡାକ୍ତର ଓ ୫ ଜଣ ଷ୍ଟାଫ ନର୍ସଙ୍କୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିବା ନେଇ ହସପିଟାଲର ସହକାରୀ ଅଧୀକ୍ଷକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୁଲିସ ଏହି ଘଟଣାରେ ୯ଜଣଙ୍କୁ ଥାନାରେ ଅଟକ ରଖିଛି। ରୋଗୀ ସଂପର୍କୀୟ ଅଟକଙ୍କୁ ଛାଡ଼ିଲେ ଶବ ଉଠାଇବେ ବୋଲି ଜିଦ୍‌ ଧରି ବସିଛନ୍ତି। ଫଳରେ ଶବକୁ ଫ୍ରିଜରରେ ରଖାଯାଇଛି।

ସମ୍ବନ୍ଧିତ ଖବର