ଜମି ବିବାଦରୁ ଭୟଙ୍କର ପ୍ରତିଶୋଧ : କକା ଉପରେ ଡମ୍ପର ଚଢ଼ାଇ ହତ୍ୟା!

୧୧ଟି ଗାଡ଼ି ସହ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ, ଅଭିଯୁକ୍ତ ପୁତୁରା ପରିବାର ସହ ଫେରାର୍‌

ଭୋଗରାଇ/କମର୍ଦା : ପୁତୁରାର ଡମ୍ପର ଚାପାରେ କକାଙ୍କ ଜୀବନ ଚାଲିଗଲା। ତେବେ ଏହା ଦୁର୍ଘଟଣା ନୁହେଁ, ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଫଳରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଲଙ୍କାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ସଂପୃକ୍ତ ପୁତୁରାର ୧୧ଟି ବିଭିନ୍ନ ଗାଡ଼ି ସହ ଘର ଜାଳି ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଦାହୁଣଦା ପଞ୍ଚାୟତରେ।

ସୂଚନା ମୁତାବକ; ଆଜି ଅପରାହ୍ନ ପ୍ରାୟ ୬ଟା‌ ବେଳେ ଦାହୁଣଦା ଗ୍ରାମର ଶଶିକାନ୍ତ ଦାସ (୬୨) ସାଇକେଲ୍‌ରେ ହାଟ ସଉଦା ସାରି ଘରକୁ ଫେରୁଥିଲେ। ଏତିକିବେଳେ ପଛପଟୁ ଘନଶ୍ୟାମ ଦାସ (୪୦) ନିଜର ଏକ ଡମ୍ପର (ଓଆର୍‌-୦୧-କେ-୪୨୯୦)ରେ ଆସୁଥିବା ବେଳେ ଶଶିକାନ୍ତଙ୍କ ଉପରେ ଚଢ଼ାଇ‌ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା।

ତେବେ ଏହା ଦୁର୍ଘଟଣା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଶଶିକାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏକ ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଥିବା ବେଳେ ପୁତୁରା ଘନଶ୍ୟାମ ନିଜ କକା ଶଶିକାନ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ କୁଆଡ଼େ ଯୋଜନା କରିଥିଲା। ସବୁ ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଘନଶ୍ୟାମର ୫ଟି ଡମ୍ପର, ୩ଟି ଟ୍ରାକ୍ଟର, ଗୋଟିଏ ଧାନକଟା ମେସିନ୍, ଗୋଟିଏ ଜେସିବି ଓ ଗୋଟିଏ କାର୍‌ ଜାଳିଦେବା ସହ ଗୋଦାମ ଘରେ ମଧ୍ୟ ନିଆଁ ଲଗାଇଦେଇଥିଲେ। ଏହା ସହିତ ସେମାନେ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଖବର ପାଇ କମର୍ଦା ପୁଲିସ ପହଂଚି ଲୋକଙ୍କୁ ଯେତେ‌ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇନଥିଲା। ପରେ ତିନିଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ସେହିପରି ଜଳେଶ୍ବର ଏସ୍‌ଡିପିଓ ସୁଦର୍ଶନ ଦାଶଙ୍କ ସହ ଭୋଗରାଇ ପୁଲିସ ତଥା ୨ ପ୍ଲାଟୁନ୍‌ ଫୋର୍ସ ପହଂଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ତେବେ ଖବର ଲେଖା ହେବା ବେଳକୁ ଅଭିଯୁକ୍ତ ପୁତୁରା ଘନଶ୍ୟାମ ନିଜ ପରିବାର ସହ ଫେରାର୍‌ ହୋଇଯାଇଥିବା ବେଳେ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର