ମନୋଜ ଜେନା ହତ୍ୟା ମାମଲା : ରିମାଣ୍ଡ୍‌ରେ ଆସିବ ମାଷ୍ଟର୍‌ମାଇଣ୍ଡ ଭାଲୁ

୫ହତ୍ୟା ସହ ୭ ମାମଲାରେ ଜଡ଼ିତ, ୧୦ହଜାର ଟଙ୍କା, ୪ଟି ମୋବାଇଲ ଜବତ

ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆସିକା ସନ୍ଧି ନୂଆପଲ୍ଲୀ ଗ୍ରାମର ମଦ ବ୍ୟବସାୟୀ ଭଗବାନ ସାହୁ ଓରଫ୍‌ ଭାଲୁକୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ହିଁ ଏହି ହତ୍ୟା ପଛର ମୁଖ୍ୟ କାରଣ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭାଲୁକୁ ଗତକାଲି ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ପଞ୍ଚସଖା ନଗର ଅଞ୍ଚଳରୁ ଗିରଫ କରା ଯାଇଥିଲା ବୋଲି ଏସ୍‌ପି କହିଛନ୍ତି। ଭାଲୁ ନିକଟରୁ ୧୦ହଜାର ୬ଶହ ଟଙ୍କା, ୪ଟି ମୋବାଇଲ, କ୍ରେଡିଟ୍‌ କାର୍ଡ ପ୍ରଭୃତି ଜବତ ହୋଇଛି। ତେବେ ଏହି ସୁପାରି କିଲିଂ ପଛରେ କେତେ ଟଙ୍କାର ଡିଲ୍‌ ହୋଇଥିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ଏ ଦିଗରେ ଅଧିକ ଜେରା ପାଇଁ ଭାଲୁକୁ ରିମାଣ୍ଡରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି। ବୈଦ୍ୟନାଥପୁର ଥାନା ପୁଲିସ ଭାଲୁକୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ଭାଲୁ ନାଁରେ ୫ଟି ହତ୍ୟା ମାମଲା ସମେତ ମୋଟ ୭ଟି ଅପରାଧ ମାମଲା ରହିଛି। ଭାଲୁକୁ ରିମାଣ୍ଡରେ ଆଣି ଜେରା କରିବା ପରେ ଏ ସମସ୍ତ ମାମଲାରେ ଗୁରୁତ୍ବପୂର୍ଣ ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି।

ମନୋଜ ସହିତ ଭାଲୁର ବିଭିନ୍ନ କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା। ବ୍ୟବସାୟ ଶତ୍ରୁତାକୁ ନେଇ ୨୦୦୪ରେ ମନୋଜ ଓ ସହଯୋଗୀମାନେ ଭାଲୁର ୧୬ବର୍ଷର ନାବାଳକ ଭାଇ ନାରାୟଣ ସାହୁକୁ ହତ୍ୟା କରିଥିବା ଅଭିଯୋଗ ଥିଲା। ସେହିପରି ଭାଲୁର ଜଣେ ସହଯୋଗୀ ଗୋପାଳ ସାହୁକୁ ମଧ୍ୟ ମନୋଜ ଏବଂ ସହଯୋଗୀମାନେ ଅପହରଣ କରି ଆକ୍ରମଣ କରିଥିବା ମାମଲା ରହିଛି। ବିଭିନ୍ନ ସମୟରେ ମନୋଜ ଗୋଷ୍ଠୀର ଯୁବକମାନେ ଭାଲୁର ପରିବାରବର୍ଗଙ୍କୁ ଆକ୍ରମଣ କରୁଥିଲେ। ସେପଟେ ଭାଲୁ ପ୍ରତିଶୋଧ ପରାୟଣ ହୋଇ ମନୋଜକୁ ରାସ୍ତାରୁ ହଟାଇ ତାର ମଦ ବ୍ୟବସାୟକୁ ହଡ଼ପ କରିବା ପାଇଁ ଯୋଜନା କରିଥିଲା। ଏଭଳି ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ଏଥିପାଇଁ ଭାଲୁ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲା। ଏଥିରେ ସେ ସୁନୀଲ କୁମାର ନାୟକ ଓରଫ୍‌ ସୁଲତାନ୍‌ର ସହାୟତା ନେଇଥିଲା ବୋଲି ପୁଲିସ କହିଛି। ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବଦିନ ମେ ୨୨ତାରିଖରେ ମନୋଜ ତାଙ୍କର କିଛି ସହଯୋଗୀଙ୍କ ସହିତ ଏକ କାର୍‌ରେ ରାତିରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିଲେ। ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ଦୁଇଟି ବାଇକ୍‌ରେ ୬ଜଣ ଦୁର୍ବୃତ୍ତ ଆସି ମନୋଜଙ୍କୁ ଗୁଳି କରି ଓ ଗଳା କାଟି ଚମ୍ପଟ ମାରିଥିଲେ। ୨୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମନୋଜ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଭାଲୁ, ସୁଲତାନ୍‌ ସମେତ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ମେ ୩୧ ତାରିଖ ରାତିରେ ଗୋଳନ୍ଥରା ଥାନା ରଣ୍ଢା ଅମିତ ହସ୍‌ପିଟାଲ ନିକଟରେ ପୁଲିସ ଏନ୍‌କାଉଣ୍ଟର୍‌ରେ ଆସିକାର ଗଣେଶ ନାୟକ ଓରଫ୍‌ ବୁଲୁ ଏବଂ ହୃଷୀକେଶ ପାତ୍ର ଆହତ ହୋଇଥିଲେ। ଘଟଣା ଦିନ ଏହି ଦୁଇଜଣ ମନୋଜଙ୍କୁ ଗୁଳି କରିବା ସହ ଗଳା କାଟିଥିଲେ। ଏହାପରେ ଗତ ୫ତାରିଖରେ ବ୍ରହ୍ମପୁର ପୁଲିସ ସୁଲତାନ୍‌ ସମେତ ୫ଜଣଙ୍କୁ ଗିରଫ କରିଥିଲା। ଗତକାଲି ଭୁବନେଶ୍ବରରୁ ଭାଲୁକୁ ଗିରଫ କରା ଯାଇଥିଲା।

ସମ୍ବନ୍ଧିତ ଖବର