ରହସ୍ୟ ଘେରରେ ନାବାଳିକା ନିଖୋଜ ଘଟଣା : ବଳି ସନ୍ଦେହ, ଥାନା ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

, ଘଟଣା ପଛରେ ନାବାଳିକାର ଭାଇର ସଂପୃକ୍ତି ଅଭିଯୋଗ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁର ନାବାଳିକା ନିଖୋଜ ପରେ ବଳି ସନ୍ଦେହ ଘଟଣା ଏବେ ବି ରହସ୍ୟ ‌ଘେରରେ ରହିଛି। ନିଖୋଜ ନାବାଳିକା ଜନନୀ ରଣା (୧୨ ବର୍ଷ)ର ଆଜି ବି କୌଣସି ପତ୍ତା ମିଳିନାହିଁ। ଘଟଣାର ଅଭିଯୁକ୍ତକୁ ତୁରନ୍ତ ଖୋଜି ବାହାର କରାଯିବାକୁ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ଶନିବାର ସିନ୍ଧେକେଲା ଥାନା ଘେରାଉ କରିଥିଲେ। ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇ ତନାଘନା ଜାରି ରଖିଛି।

ଶନିବାର ସାଲେବରଟ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ସିନ୍ଧେକେଲା ଥାନାକୁ ଆସି ଦୋଷୀକୁ ଏବଂ ଏ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ମଙ୍ଗଳବାର ସାଲେବରଟ ଗାଁର ଶୋଭାବନ ରଣା ତାର ସାନ ଭଉଣୀ ଜନନୀକୁ ସାଇକଲରେ ବସାଇ ନେଇଥିଲା। ସେତେବେଳରୁ ଆଉ ଜନନୀର ପତ୍ତା ମିଳୁ ନାହିଁ। ଗତ ୨୭ ତାରିଖ ଜନନୀର ବାପା ମୁଶ୍ରୁ ରଣା ସିନ୍ଧେକେଲା ଥାନାରେ ଏନେଇ ଏତଲା ଦେଇଥିଲେ। ପୁଲିସ ଶୋଭାବନକୁ ଅଟକ ରଖି ପଚରା ଉଚରା କରୁଛି। ଶୋଭାବନ ତା’ର ସହଯୋଗୀଙ୍କ ସହ ବର୍ଷକ ତଳେ ତାର ମାମୁ ପୁଅ ଭାଇ ମିଥୁନ ରଣାକୁ ବଳି ଦେଇଥିବା ଅଭିଯୋଗରେ ଜେଲ୍‌ ଯାଇଥିଲା। ଗତ କିଛିମାସ ତଳେ ସେ ଜାମିନରେ ଆସିଥିଲା। ଏହା ପରେ ଏବେ ଏହି ଘଟଣା ଘଟିଥିବାରୁ ଶୋଭାବନ ହିଁ ତା ଭଉଣୀକୁ ତନ୍ତ୍ର ସାଧନା ପାଇଁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏହାକୁ ନେଇ ଏବେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଥ‌ାନ‌ା ଘେରାଉ ସମୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଲୋକେ ଦାବି କରିଥିଲେ। ଥାନାଧିକାରୀ ଅନନ୍ତ ପ୍ରଧାନ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପୁଲିକୁ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ପରେ ଟିଟିଲାଗଡ଼ ଏସ୍‌ଡିପିଓ ଏସ୍‌.ଏନ୍‌. ଶତପଥୀ ପହଞ୍ଚି ଉପଯୁକ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର