କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ, ଦୁଇ କ‌‌ନେଷ୍ଟବଳ ନିଲମ୍ବିତ

ଅନୁଗୁଳ: ଆଜି ରାତି ସାଢ଼େ ୮ଟାରେ ଅନୁଗୁଳ କୋର୍ଟ ପରିସରରେ ପୁଲିସକୁ ଚକ୍‌ମା ଦେଇ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡ଼ିଛି। କାର୍ଯ୍ୟରେ ଅବହେଳା ଯୋଗୁଁ ଡ୍ୟୁଟିରେ ଥିବା ଦୁଇ ଜଣ କନେଷ୍ଟବଳଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି। ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଏସ୍‌ପି ଶ୍ରୀ ‌ମୀନା କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳ ଥାନା ପୁଲିସ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଆଜି ଗିରଫ କରିଥିଲା। ରାତି ସାଢ଼େ ୮ଟାରେ କୋର୍ଟ ଚାଲାଣ ପାଇଁ ପକ୍‌ସୋ କୋର୍ଟକୁ ନିଆଯାଉଥିଲା। ଜଣେ ପୁଲିସ ଅଧିକାରୀଙ୍କ ସହିତ ଦୁଇ ଜଣ କନେଷ୍ଟବଳ ଅଭିଯୁକ୍ତ ଯୁବକକୁ ଧରି କୋର୍ଟକୁ ଯାଇଥିଲେ। ଗାଡ଼ିରେ ଓହ୍ଲାଇବା ପରେ ଅଭିଯୁକ୍ତ ଜଣକ ପରିଶ୍ରା କରିବା ବାହାନା କରି ଦୌଡ଼ି ପଳାଇ ଯାଇଥିଲା। ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ। ଫଳରେ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇବାର କିଛି ସମୟ ପର୍ଯ୍ୟନ୍ତ ଜାଣିପାରିନଥିଲେ। ଦୌଡ଼ି ପଳାଉଥିବା ଦେଖି ସେଠାରେ ଜଣେ ବ୍ୟକ୍ତି ପାଟି କରିବା ପରେ ପୁଲିସ କର୍ମଚାରୀମାନେ ସେମାନଙ୍କ ପିଛା କରିଥିଲେ। ଜେଲ୍ ଛକ ପର୍ଯ୍ୟନ୍ତ ଗୋଡ଼େଇ ଥିଲେ। ତେବେ ଜେଲ୍ ଛକ ପାଖରେ ଅଭିଯୁକ୍ତ ଜଣକ ଏକ ବାଇକ୍‌ ଚାଳକଙ୍କୁ ଲିଫ୍ଟ ମାଗି କୁଆଡ଼େ ପଳାଇ ଯାଇଥିଲା। ଅଭିଯୁକ୍ତ ଜଣକର ନିଜ ଘର ଢେଙ୍କାନାଳ ଜିଲ୍ଲା ମଠକରଗୋଳା ଅଂଚଳର ହୋଇଥିବା ବେଳେ ସେ ଅନୁଗୁଳରେ ରହୁଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅନୁଗୁଳ ଥାନା ଆଇଆଇସିଙ୍କୁ ବାରଂବାର ଫୋନ୍ କରିବା ପରେ ବି ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ଅଭିଯୁକ୍ତ ତଥା ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନଙ୍କର ନାମ ଜଣାପଡ଼ି ନାହିଁ। ଏ ସଂକ୍ରାନ୍ତରେ ଓକିଲ ସଂଘର ପୂର୍ବତନ ସଭାପତି ଜିତେନ୍ଦ୍ର ସାହୁ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଜମିଜିମା ବିବାଦ ଭଳି ମାମଲାରେ ଗିରଫ ହୋଇଯାଉଥିବା ବେଳେ ଅଭିଯୁକ୍ତମାନଙ୍କୁ ହାତକଡ଼ି ପକାଇ ନିଆଯାଉଛି। ହେଲେ ପକ୍‌ସୋ ମାମଲାରେ ସଂପୃକ୍ତ ଅଭିଯୁକ୍ତ କାହିଁକି ହାତକଡ଼ି ପକାଇ ନିଆଗଲା ନାହିଁ ? ଏହି ଘଟଣା ପାଇଁ କେବଳ ପୁଲିସ କର୍ମଚାରୀ ନୁହେଁ, ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର