ଶାରଳା ସୂତାକଳ ଆନ୍ଦୋଳନକୁ ନେଇ ଚାପରେ ପ୍ରଶାସନ

ଜଗତସିଂହପୁର : ଶାରଳା ସୂତାକଳ ପୁନରୁଦ୍ଧାର ନେଇ ଚାଲିଥିବା ଅନଶନ ଏବେ ଏକ ବଡ଼ ଧରଣର ଆନ୍ଦୋଳନ ରୂପ ନେବାକୁ ବସିଛି। ଅନଶନର ଦୁଇ ସମାଜସେବୀ ହିମାଂଶୁ ଭୂଷଣ ମଲ୍ଲିକ ଓ ଜ୍ୟୋତି ମଲ୍ଲିକଙ୍କୁ ଏବେ ସବୁ ମହଲରୁ ସମର୍ଥନ ବଢ଼ୁଥିବାରୁ ସ୍ବାଭାବିକ ଭାବେ ଜିଲ୍ଲା ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି। ଏପଟେ ଦିନକୁ ଦିନ ଦୁଇ ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ଦେଖି ପୁଲିସ ଉଭୟଙ୍କୁ ସୂତାକଳ ସାମ୍ନା ଅନଶନସ୍ଥଳରୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛି। ମାତ୍ର ସେଠାରେ ମଧ୍ୟ ଉଭୟ ଅନଶନ ଜାରି ରଖିଥିଲେ। ସଂଧ୍ୟାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. କ୍ଷେତ୍ରବାସୀ ଦାଶ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳଙ୍କ କିଛି ସମସ୍ୟା ଥିବାରୁ ସେ ଆସି ପାରୁନାହାନ୍ତି ବୋଲି ଜଣାଇଥିଲେ। ତେବେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ ଆସି ସିଧାସଳଖ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେମାନେ ରୋକ୍‌ଠୋକ୍‌ ଶୁଣାଇଥିଲେ। ଏଣେ ଜ୍ୟୋତିରଂଜନଙ୍କର ଅବସ୍ଥା ଗୁରୁତର ହେବାରୁ ହିମାଂଶୁଙ୍କ ଅନୁରୋଧକ୍ରମେ ସେ ଅନଶନରୁ ବିରତ ହୋଇଛନ୍ତି। ହସ୍‌ପିଟାଲ ପରିସରରେ ଅନେକ ସମର୍ଥକ ପହଞ୍ଚି ନୈତିକ ବଳ ଦେଉଥିବା ପରିଲକ୍ଷିତ ହୋଇଛି।

ଦୁଇ ଅନଶନକାରୀଙ୍କୁ ରାତିଅଧିଆ ଉଠାଇ ନେଇ ହସ୍‌ପିଟାଲରେ ଭର୍ତ୍ତି କଲା ପୁଲିସ
ସ୍ବାସ୍ଥ୍ୟ‌ାବସ୍ଥା ଗୁରୁତର ହେବାରୁ ଜଣେ ଓହରିଲେ
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଅନଶନ ଜାରି: ହିମାଂଶୁ

ତିର୍ତ୍ତୋଲରେ ଚେରିତୋଳ ବାଲିଯାତ୍ରା ଆରମ୍ଭ ଦିନଠାରୁ ହିଁ ଏହି ଆନ୍ଦୋଳନ ଜାରି ରହିଛି। ଏହି ରାସ୍ତାରେ ଜିଲ୍ଲାପାଳ, ବିଧାୟକ ଓ ମନ୍ତ୍ରୀମାନେ ଅତିଥି ହୋଇ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ବେଳେ ସୌଜନ୍ୟମୂଳକ ଭାବେ ଏହି ଅନଶନକାରୀମାନଙ୍କ ସହ ଆଲୋଚନା କରିବାକୁ ପହଞ୍ଚି ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଦୋଳନକାରୀମାନେ ଏପରି ସମ୍ବେଦନଶୂନ୍ୟ ଆଚରଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଠୋସ୍ ପଦକ୍ଷେପ ନିଆନଯାଇଛି, ସେ ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ହିମାଂଶୁ ଦୃଢ଼ ନିଶ୍ଚିତ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ତିର୍ତ୍ତୋଲ ତହସିଲଦାର, ଏସ୍‌ଡିପିଓ ଓ ଥାନା ଇନସପେକ୍ଟର ହିମାଂଶୁଙ୍କ ସହ ଆଲୋଚନା କରି ଅନଶନ ଭାଙ୍ଗିବାକୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଏହାର କିଛି ଫରକ ପଡ଼ୁ ନାହିଁ। ଓଲଟା ସେମାନେ ଅଧିକ ସଂଗଠିତ ହୋଇ ଦୃଢ଼ ଭାବେ ଆନ୍ଦୋଳନ କରିବା ପାଇଁ ବଳଗୋଟାଇଛନ୍ତି। ନିର୍ଦ୍ଦିଷ୍ଟଭାବେ ଭାରତୀୟ ଷ୍ଟେଟ୍‌‌ବ୍ୟାଙ୍କ୍‌ ଠାରୁ ସୂତାକଳକୁ ଋଣମୁକ୍ତ କରି ପ୍ରାରମ୍ଭିକ କାର୍ଯ୍ୟକ୍ରମ ହାତକୁ ନେବା ସକାଶେ ଜିଲ୍ଲାପାଳ ପଦକ୍ଷେପ ନେଲେ ଆନ୍ଦୋଳନକାରୀମାନେ ଆଶ୍ବସ୍ତ ହୁଅନ୍ତେ ଓ ସମାଧାନର ବାଟ ଫିଟନ୍ତା। ଅନ୍ୟଥା ଏହି ଅସନ୍ତୋଷ ଯେକୌଣସି ସମୟରେ ବିସ୍ଫୋରକ ରୂପ ନେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର