ବୟସ ବଢ଼ୁଛି, ଶରୀର ବଢ଼ୁନି; ୭ବର୍ଷ ବୟସରେ ବର୍ଷକର ଶିଶୁଭଳି ଚେହେରା

ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହୁଛନ୍ତି

ପ୍ରତାପୁର : ୭ବର୍ଷର ଝିଅ ସୋନାଲି। ତା’ର ବୟସ ବଢ଼ୁଛି, ମାତ୍ର ଶରୀର ଗଠନ ଠିକ୍‌ଭ‌‌ାବେ ହୋଇପାରୁନି। ପାଟିରୁ ବି କଥା ବାହାରୁନି। ବର୍ଷକର ପିଲା ଭଳି ସେ ଦେଖାଯାଉଛି। ଝିଅର ଏଭଳି ଦୁରବସ୍ଥାକୁ ଦେଖି ଗରିବ ବାପାମାଆ କେବଳ ଲୁହ ଗଡ଼ାଉଛନ୍ତି। ଝିଅକୁ ଉନ୍ନତମାନର ଚିକିତ୍ସା‌ ଯୋଗାଇବା ପାଇଁ ସେମାନଙ୍କ ପାଖରେ ଅର୍ଥ ନାହିଁ। ସବୁକିଛି ଏବେ ଭଗବାନଙ୍କ ଭରସାରେ ଛାଡ଼ିଦେଇଛନ୍ତି।

ସୋନାଲି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ ସମରବନ୍ଧ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ଝିଅ। ଯୋଗେନ୍ଦ୍ର ଜଣେ ଦିନମଜୁରିଆ। ସାତବର୍ଷ ତଳେ ତାଙ୍କର ତୃତୀୟ ଝିଅ ସୋନାଲି ଜନ୍ମ ହୋଇଥିଲା। ଜନ୍ମରୁ ସେ ସ୍ବାଭାବିକ ଥିଲା। ହଠାତ୍ ବୟସ ବଢ଼ିବା ସାଙ୍ଗକୁ ତା’ର ଶାରୀରିକ ଓ ମାନସିକ ବିକାଶ ହୋଇପାରିଲାନି। ଫଳରେ, ଯୋଗେନ୍ଦ୍ରଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଲା। ସୋନାଲିର ମୁଣ୍ଡଟି ଠିକ୍ ଭାବେ ବଢ଼ୁଥିବା ବେଳେ ଶରୀର ଏକ ଛୋଟ ଶିଶୁ ଭଳି ରହିଛି। ପାଟି ଫିଟୁ ନାହିଁ, ହାତଗୋଡ଼ ବି ଚଳପ୍ରଚଳ କରିପାରୁନି। ଯୋଗେନ୍ଦ୍ର ଝିଅକୁ ପ୍ରଥ‌ମେ ଭଞ୍ଜନଗର ଡାକ୍ତରଖାନାରେ ଦେଖାଇଥିଲେ। ପରେ ବ୍ରହ୍ମପୁର ବଡ଼ ମେଡିକାଲ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ମାତ୍ର, ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ପାରୁନାହିଁ। ସେ କୌଣସି ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହୁଛନ୍ତି। ଆଉ ଉନ୍ନତମାନର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ, ଏଥିପାଇଁ ନିଜର ଅସମର୍ଥତା ପ୍ରକାଶ କରିଛନ୍ତି ଯୋଗେନ୍ଦ୍ର।

ଯୋଗେନ୍ଦ୍ର କହିଛନ୍ତି, ପ୍ରତିଦିନ ମୂଲ ଲାଗି‌ଲେ ପରିବାର ଚଳୁଛି। ଝିଅର ଚିକିତ୍ସା ଚିନ୍ତାରେ ବି ଦିନରାତି ଚିନ୍ତାରେ କଟୁଛି। ରାଜ୍ୟ ସରକାର ଓ ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ଝିଅର ଚିକିତ୍ସା ହୋଇପାରନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର