ଗାଁ ଦାଣ୍ଡରେ ଭାଲୁ, ଜଙ୍ଗଲ ନିଆଁ ରୋକିବାକୁ ପଥପ୍ରାନ୍ତ ସଭା

ରାମଚନ୍ଦ୍ରପୁର : ଜଙ୍ଗଲ ନିଆଁ ରୋକିବାକୁ ପଥପ୍ରାନ୍ତ ସଭାର ଆୟୋଜନ କରିଛି ବନ ବିଭାଗ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ବନସୁରକ୍ଷା ସମିତିର ସହଯୋଗ ଲୋଡିଛନ୍ତି। ଏଥିପାଇଁ ସ୍ଥାନୀୟ ବରାଙ୍ଗ, ନଣ୍ତାବର, ନୂହାମାଳିଆ, ନାନୀକାବାହାଳି, କୀର୍ତ୍ତନପାଟିଆ, ବିଲାବନ୍ଧ ପ୍ରଭୃତି ଗ୍ରାମରେ ପଥପ୍ରାନ୍ତ ସଭା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଚଣ୍ଡ ଖରା ହେଲାଣି। ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛଲତା ନଷ୍ଟ ହେଇଯାଉଛି। ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଟିପା ହରିଣ ପାଇଁ ପ୍ରସିଦ୍ଧ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ସହଯୋଗ ଲୋଡ଼ା ଯାଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଜିଲ୍ଲାରେ ଟିପା ହରିଣ ପାଇଁ ପ୍ରସଦ୍ଧ। ଏଠି ହରିଣ, ସମ୍ବର ବ୍ୟତୀତ ଭାଲୁ, ହେଟା, ନେଉଳ, ପାତି ହନୁ ବଣକୁକୁଡା ବିଭିନ୍ନ ପ୍ରକାର ସରୀସୃପ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଦେଖାଯାଇଥାନ୍ତି। ଏଠାକାର ଜଳବାୟୁ ଏବଂ ମାଟିରେ ଲବଣାଂଶ ଭରି ରହିଥିବାରୁ ଏଠାରେ ହରିଣଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ। ହରିଣମାନେ ଖୋଲା ମେଲାରେ ସ୍ବଚ୍ଛନ୍ଦରେ ବିଚରଣ କରୁଥିବା ଦେଖାଯାଏ। ଖରା ଦିନରେ ଜଳ ଓ ଖାଦ୍ୟାଭାବ ଯୋଗୁ ଦଳଦଳ ହୋଇ ହରଣ ଜଙ୍ଗଲରୁ ବାହାରି ନିକଟସ୍ଥ ଗ୍ରାମରେ ପଶି ଯାଇଛନ୍ତି। ବୁଲା କୁକୁରଙ୍କ ହାବୁଡରେ ପଡି ମୃତ୍ୟୁ ମୁଖରେ ବି ପଡୁଛନ୍ତି।

ଏବେ ଫାଶ ବସାଇ ହରିଣ ଶିକାର କରିବା ଘଟଣା ପଦାକୁ ଆସିବା ପରେ ବନବିଭାଗର ଚିନ୍ତା ବଢାଇ ଦେଇଛି। ସଞ୍ଜ ନଇଁଲେ ଜଙ୍ଗଲୀ ଭାଲୁ ଗାଁ ଭିତରେ ପଶି ଉତ୍ପାତ କରୁଛନ୍ତି। ଏଇ କିଛି ଦିନ ତଳେ ତିନୋଟି ଭାଲୁ ପୁରୁଣାବାନ୍ଧଗୋଡା ଶିବ ମନ୍ଦିର ବେଢାରେ ପଶି ବୁଲିବା ସହ ମନ୍ଦିର ଉପରେ ଚଢି ମହୁଫେଣା ଖାଇବା ଦୃଶ୍ୟ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ପରେ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ରାତି ୯ଟା ପରେ ଘରୁ ପଦାକୁ ବାହାରିବାକୁ ବାରଣ କରାଯାଇଛି। ଗତକାଲି ରାତିରେ ତିନୋଟି ଭାଲୁ ପୁଣି ଶିବମନ୍ଦିର ବେଢାରେ ପଶିବା ସହିତ ଗାଁ ଦାଣ୍ତରେ ଏଣେତେଣେ ବୁଲୁଥିବା ଦେଖାଯାଇଥିଲା। ଭାଲୁଙ୍କୁ ଦେଖି କୁକୁର ଭୁକିବାରୁ ଲୋକେ ଉଠିପଡ଼ିଥିଲେ। ଗାଁ ଦାଣ୍ଡରେ ଭାଲୁ ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ। ରାତି ତମାମ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର